Akhilesh Yadav: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପୁଅ ଅଖିଳେଶ ଯାଦବଙ୍କ ସାମ୍ନାରେ ଅନେକ ଆହ୍ୱାନ। ନେତାଜୀଙ୍କ ଅନୁପସ୍ଥିତିରେ ଅଖିଳେଶ ଯାଦବଙ୍କ ନେକୃତ୍ୱରେ ପ୍ରଥମ ଥର ପାଇଁ ମୈନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲଢିବାକୁ ଯାଉଛି ସମାଜବାଦୀ ପାର୍ଟି। ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ମୈନପୁରୀ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଅନ୍ୟପଟେ ଦଳର ବିଧାୟକ ଆଜାମ ଖାନଙ୍କ ବିଧାନସଭା ସଦସ୍ୟତା ସମାପ୍ତ ହେବା ପରେ ରାମପୁର ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। 


COMMERCIAL BREAK
SCROLL TO CONTINUE READING

ଉଭୟ ମୈନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଆସନ ସମାଜବାଦୀ ପାର୍ଟିର ପାରମ୍ପରିକ ଆସନ ଭାବେ ଜଣାଶୁଣା। ଦଳର ଏହି ଦୁଇଟି ଗଡ଼କୁ ବଞ୍ଚାଇବା ଏବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଲାଗି ସବୁଠାରୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ଏହି ଦୁଇଟି ଆସନ ପାଇଁ କାହାକୁ ଅଖିଳେଶ ଯାଦବ ଦଳୀୟ ପ୍ରାର୍ଥୀ କରିବ ତାହା ଉପରେ ଏବେ ରହିଛି ନଜର। ଏହି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରି ସାରିଛନ୍ତି ନିର୍ବାଚନ ଆୟୋଗ।   


ମୈନପୁରୀ ଲୋକସଭା ସିଟ୍ ପାଇଁ କିଏ ହେବେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ହେଲେ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯେ ଏହି ଆସନରେ ଅଖିଳେଶ ଯାଦବ ବହୁତ ବୁଝି ବିଚାରି ପ୍ରାର୍ଥୀ ଦେବେ। କାରଣ ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ତାଙ୍କୁ ଉଭୟ ଜାତିଗତ ସମୀକରଣ ଏବଂ ଆଞ୍ଚଳିକ ସନ୍ତୁଳନ ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବାକୁ ହେବ। ଏଭଳି ପରିସ୍ଥିତିରେ ପିତାଙ୍କ ଆସନରେ ଦଳୀୟ ପ୍ରାର୍ଥୀ କିଏ ହେବ ତାହା ସ୍ଥିର କରିବା ଅଖିଲେଶ ଯାଦବଙ୍କ ପାଇଁ ସହଜ ହେବ ନାହିଁ।


ଉତ୍ତର ପ୍ରଦେଶ ରାଜନୀତିରେ ଶାସକ ବିଜେପି ପକ୍ଷରୁ କଠୋର ଅବରୋଧର ସାମ୍ନା କରୁଥିବା ବିରୋଧୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ବୁଝି ବିଚାରି ଗୋଟି ଚଳାଇ ପାରନ୍ତି।  ରାଜନୈତିକ ପଣ୍ଡିତ କହୁଛନ୍ତି ଯେ ସମ୍ପର୍କୀୟ ଭାଇ ତେଜ ପ୍ରତାପ ଯାଦବ ପ୍ରାର୍ଥୀ କରି ଅଖିଳେଶ ଯାଦବ ଏକାସାଙ୍ଗରେ ଉଭୟ ରାଜନୀତି ଏବଂ ପରିବାର ସମୀକରଣକୁ ଦଳ ସପକ୍ଷରେ ନେଇପାରନ୍ତି। ମୈନ୍ପୁରୀ ଆସନରେ ତେଜ ପ୍ରତାପଙ୍କ ବ୍ୟତୀତ  ଅଖିଳେଶ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ଡିମ୍ପଲ୍ ଯାଦବ ଏବଂ ତାଙ୍କ ଚାଚା ଶିବପାଲ ସିଂହ ଯାଦବ ମଧ୍ୟ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି। 


ସମାଜବାଦୀ ପାର୍ଟି ନେତାଙ୍କ କହିବା କଥା ଯେ ପରିବାରର ଏକତା ବଜାୟ ରଖିବା ପାଇଁ ଚାଚା ଶିବପାଲଙ୍କୁ ମନାଇବା ପାଇଁ ଉଦ୍ୟମ ଚାଲିଛି। ଏହାର ପ୍ରଭାବ ଶିବପାଲ ଯାଦବଙ୍କ ବୟାନରେ ମଧ୍ୟ ଦୃଶ୍ୟମାନ ହେଉଛି। ଯିଏ ପରିବାରରେ ଏକତା ବିଷୟରେ ବାରମ୍ବାର କହୁଛନ୍ତି। ପରିବାରରେ ଏକତା ଆବଶ୍ୟକ ବୋଲି ବାରାମ୍ବାରା ପୁତୁରା ଅଖିଲେଶଙ୍କ ଉଦ୍ଦେଶ୍ୟରେ କହି ଆସୁଛନ୍ତି ଚାଚା। ଦଳର ଗୋଟିଏ ଗୋଷ୍ଠୀ ମୈନପୁରୀ ଆସନରେ ଡିମ୍ପଲ ଯାଦବଙ୍କୁ ମୁଲାୟମ ସିଂହ ଯାଦବଙ୍କ ଉତ୍ତରାଧିକାରୀ କରିବା ସପକ୍ଷରେ ଅଛି। ଯଦିଓ ଅଖିଳେଶ ଯାଦବଙ୍କୁ ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବାର ଅଛି। ଅନ୍ୟପଟେ ଚାଚା ଶିବପାଲ ମଧ୍ୟ ନେତାଜୀ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ପରିବାରରେ ଏକତା ରକ୍ଷା କରିବାର ବାର୍ତ୍ତା ଦେଇଛନ୍ତି। ନିକଟରେ କଲକି ମହୋତ୍ସବରେ ଯୋଗ ଦେଇଥିବା ଶିବପାଲ ଯାଦବ କହିଛନ୍ତି ସେମାନେ ଆମକୁ କେଉଁ ଦାୟିତ୍ୱ ପ୍ରଦାନ କରୁଛନ୍ତି ତାହାକୁ ଆମେ ଅପେକ୍ଷା କରିଛୁ। ଏହା ପରେ ଯାଇ ଆମେ କୌଣସି ନିଷ୍ପତ୍ତି ନେବୁ।


ସୂତ୍ରରୁ ପ୍ରକାଶ ଯେ ଶିବପାଲ ଯାଦବ ମଧ୍ୟ ତେଜ ପ୍ରତାପ ଯାଦବଙ୍କ ସପକ୍ଷରେ ନିଜର ପ୍ରାର୍ଥୀତ୍ୱ ଦାବି ଛାଡି ପାରିନ୍ତି। ପରିବାରରେ ଉଭୟଙ୍କ ସମ୍ପର୍କ ଭଲ ବୋଲି କୁହାଯାଏ। ସେ ମଧ୍ୟ ଥରେ ମୈନପୁରୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ ସାରିଛନ୍ତି। ଯଦି ଦଳୀୟ ସୂତ୍ରକୁ ବିଶ୍ୱାସ କରାଯାଏ  ତାହେଲେ  ରାମପୁର ଆସନରେ ଆଜାମ ଖାନଙ୍କ ପରିବାର ମଧ୍ୟରୁ କାହାକୁ ଜଣେ ଟିକେଟ ମିଳିପାରେ। କାରଣ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଅଖିଲେଶ ଯାଦବ ଆଜାମ ଖାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ। କାରଣ ବର୍ତ୍ତମାନ ମୁସଲିମ ଭୋଟବ୍ୟାଙ୍କ ହାତଛଡ଼ା କରିବାକୁ ସମାଜବାଦୀ ପାର୍ଟି। ଏଭଳି ପରିସ୍ଥିତିରେ କିଏ ରାମପୁର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ହେବେ ତାହା ଆଜାମ ଖାନାଙ୍କ ଇଚ୍ଛା ଉପରେ ନିର୍ଭର କରେ। 


ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ। ତାଙ୍କ ମୃତ୍ୟୁ ପରେ ମୈନପୁରୀ ଏବଂ ରାମପୁର ଆସନରେ ହେବାକୁ ଯାଉଥିବା ନିର୍ବାଚନ ଅଖିଲେଶ ଯାଦବଙ୍କ ଲାଗି କୌଣସି ଅଗ୍ନି ପରୀକ୍ଷା ଠାରୁ କମ ନୁହେଁ। କାରଣ ଏହି ୨ ଆସନ ସମାଜବାଦୀ ପାର୍ଟିର ପାରମ୍ପରିକ ଆସନ ଭାବେ ଜଣାଶୁଣା। ହେଲେ ଦଳର ଏହି ଗଡ଼ ଦ୍ୱୟକୁ ବଞ୍ଚାଇବାରେ ଅଖିଲେଶ ଯାଦବ କେତେ ସଫଳ ହେଉଛନ୍ତି ତାହା ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।