ଟ୍ୱିଟ୍ କରି ଫସିଗଲେ ଦିଗବିଜୟ ସିଂହ; ନିଆଯାଇ ପାରେ ଏହି କାର୍ଯ୍ୟାନୁଷ୍ଠାନ
ଦିଗବିଜୟ ସିଂହ କରିଥିବା ଟ୍ୱିଟ୍ କୁ ନେଇ ବିରୋଧି କଂଗ୍ରେସ ଉପରେ ବର୍ଷିଛି ଶାସକ ବିଜେପି।
ଭୋପାଳ: ଗତ ରବିବାର ଅନୁଷ୍ଠିତ ହୋଇଥିବା ରାମ ନବମୀ ଶୋଭାଯାତ୍ରା ବେଳେ ରାଜ୍ୟର ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଟ୍ୱିଟ କରି ଫସିଯାଇଛି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଘଟଣାରେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ପକ୍ଷରୁ କୁହାଯାଇଛି ଦିଗବିଜୟ ସିଂହ ହେଉଛନ୍ତି ଦଳର ଜଣେ ଅତି ଦାୟିତ୍ୱବାନ ନେତା ଯିଏକି ୧୦ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ଏବଂ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଅଛନ୍ତି। ସେ ଏପରି କୌଣସି କାର୍ଯ୍ୟ କରିବେ ନାହିଁ ଯାହା ରାଜ୍ୟରେ ଶାନ୍ତି ଏବଂ ଶୃଙ୍ଖଳା ନଷ୍ଟ କରିବ। କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି କ୍ରମାଗତ ଭାବେ ଦଳୀୟ ନେତା ତଥା କର୍ମକର୍ତ୍ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିବାକୁ ଚେଷ୍ଟା କରୁଛି।
Also Read: Khargone Violence:ଟ୍ୱିଟ କରି ଫସିଗଲେ ଦିଗବିଜୟ ସିଂହ, ଘେରିଲା ବିଜେପି
ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ କରିଥିବା ଟ୍ୱିଟ ବିରୋଧରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ IPC ଧାରା 295A, 465, 505(2) ଆଧାରରେ ମାମଲା ଦାଏର କରିଛି ମଧ୍ୟ ପ୍ରଦେଶ ପୋଲିସ।
ଦିଗବିଜୟ ସିଂହ କରିଥିବା ଟ୍ୱିଟ୍ କୁ ନେଇ ବିରୋଧି କଂଗ୍ରେସ ଉପରେ ବର୍ଷିଛି ଶାସକ ବିଜେପି। ଅନ୍ୟପଟେ କଂଗ୍ରେସ ଦିଗବିଜୟ ସିଂହଙ୍କୁ ସୁରକ୍ଷା ଦେବାକୁ ଯାଇ କହିଛି ରାଜ୍ୟର ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଲୋକଙ୍କୁ ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରୁଛି। ବିଜେପି ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଏଜେଣ୍ଡା ବନାଇବା ପାଇଁ ଚାହୁଁଛି।
Also Read: Khargone Violence: କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ
ଖାରଗୋନ ହିଂସା ଘଟଣାରେ କରିଥିବା ଟ୍ୱିଟ ପାଇଁ ଦିଗବିଜୟ ସିଂହଙ୍କ ବିରୋଧରେ ଅଭିଯୋଗ ଦାଏର କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିକଟକୁ ଏକ ଦାବି ପତ୍ର ପଠାଇଥିଲେ ବିଜେପି ବିଧାୟକ ରମେଶ୍ୱର ଶର୍ମା। ଏନେଇ ବିଧାୟକ କହିଥିଲେ ମୋ ଅଭିଯୋଗ ପରେ ଦିଗବିଜୟ ସିଂହ ତାଙ୍କ ଟ୍ୱିଟ୍ ହଟାଇ ଦେଇଥିଲେ। ବିଧାୟକ ଏହା ମଧ୍ୟ କହିଛନ୍ତି ଯେ ଦିଗବିଜୟ ସିଂହ ନିଜେ ହିନ୍ଦୁ-ମୁସଲମାନ ଦଙ୍ଗା କରିବାକୁ ଚାହୁଁଛନ୍ତି।
Also Read: Khargone Violence: କର୍ଫ୍ୟୁ ଲାଗୁ ହେବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ
ଅନ୍ୟପଟେ ମଧ୍ୟ ପ୍ରଦେଶ ଚିକିତ୍ସା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଦିଗବିଜୟ ସିଂହଙ୍କ ଟ୍ୱିଟର ହ୍ୟାଣ୍ଡେଲ ସସପେଣ୍ଡ୍ କରିବାକୁ ଦାବି କରିଛନ୍ତି। ଏନେଇ ସେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଲେଖାଯାଇଛି ଯେ ଦିଗବିଜୟ ସିଂହ ତାଙ୍କ ଟ୍ୱିଟର ଆକାଉଣ୍ଟ ଜରିଆରେ ସମାଜରେ ବିଚ୍ଛିନ୍ନତା ସୃଷ୍ଟି କରିବା ସହ ଧାର୍ମିକ ଭେଦଭାବ ବିସ୍ତାର କରିବାରେ ଲାଗିଛନ୍ତି। ନିଜେ ଲେଖିଥିବା ଚିଠିରେ ମନ୍ତ୍ରୀ ସାରଙ୍ଗ କହିଛନ୍ତି ଏଭଳି ଟ୍ୱିଟ କରି ସେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛନ୍ତି।