Maharashtra Politics: ମହାରାଷ୍ଟ୍ରରେ ସରକାର ବଦଳିବା ପରେ ଶିବସେନା ନେତୃତ୍ୱକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଶେଷ ହୋଇନାହିଁ। ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ସାମିଲ ରହିଥିବା ୧୪ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଏକନାଥ ସିନ୍ଦେଙ୍କ ଘନିଷ୍ଠ ସହଯୋଗୀ ତଥା ବିଦ୍ରୋହୀ ଶିବେସନା ବିଧାୟକ ଗୋଷ୍ଠୀର ମୁଖ୍ୟ ସଚେତକ ଭରତ ଗୋଗାୱଲେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ସାମିଲ ରହିଥିବା ୧୪ ଜଣ ବିଧାୟକଙ୍କୁ ଏକ ନୋଟିସ ଜାରି କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏନେଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଅଭିଯୋଗ କରିଛି ଯେ ଜୁଲାଇ ୪ ତାରିଖ ସୋମବାର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥାଭୋଟରେ ଏହି ୧୪ ଜଣ ବିଧାୟକ ଜାରି ହୋଇଥିବା ଦଳୀୟ ହ୍ୱିପ୍ ବିରୋଧରେ ଯାଇ ସରକାର ସପକ୍ଷରେ ଭୋଟ୍ ଦେଇ ନାହାଁନ୍ତି।     


ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ୫୫ ଆସନ ପାଇଥିଲା। ଦଳୀୟ ବିଧାୟକ ରମେଶ ଲଟେକଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଦଳ ପାଖରେ ୫୪ ଜଣ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ଏକନାଥ ସିନ୍ଦେଙ୍କ ସହ ରହିଥିବା ବେଳେ ୧୫ ଜଣ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ସାମିଲ ରହିଥିଲେ। ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟ ସମୟରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ଶିବସେନା ବିଧାୟକ ସନ୍ତୋଷ ବାଙ୍ଗର ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଚାଲି ଯାଇଥିଲେ। କେବଳ ଆଦିତ୍ୟ ଠାକରେଙ୍କ ସମେତ କେବଳ ୧୪ ଜଣ ବିଧାୟକ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ରହିଯାଇଥିଲେ। ରବିବାର ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ବିଦ୍ରୋହୀ ଶିବେସନା ବିଧାୟକ ଗୋଷ୍ଠୀର ନେତା ଭରତ ଗୋଗାୱଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ। ଏହା ପରେ ସିନ୍ଦେ ଦଳ ଆଦିତ୍ୟ ଠାକରେଙ୍କ ବ୍ୟତୀତ ବାକି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ ଜାରି କରିଛି।


ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ସାମିଲ ରହିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ତାଲିକାରୁ ଆଦିତ୍ୟ ଠାକରେଙ୍କ ନାଁ ହଟାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ସିନ୍ଦେ ଗୋଷ୍ଠୀ। ଏନେଇ ମୁଖ୍ୟ ସଚେତକ ଭାରତ ଗୋଗାୱଲେ କହିଛନ୍ତି ଯେ ଶିବସେନା ସଂସ୍ଥାପକ  ବାଲାସାହେବ ଠାକରେଙ୍କ ସମ୍ମାନ ଜଣାଇ ତାଙ୍କ ନାତି ଆଦିତ୍ୟ ଠାକରେଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୂକ୍ତ କରାଯାଇନାହିଁ। ଯେଉଁ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି ଯଦି ସେମାନେ ସଠିକ ଜବାବ ଦାଖଲ କରିବେ ନାହିଁ ତାହେଲେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କାର୍ଯ୍ୟାନୁଷ୍ଠାମ ଗ୍ରହଣ କରାଯିବ।


ମହାରାଷ୍ଟ୍ରରେ ସରକାର ଗଠନ କରିବା ପରେ ଏବେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ବର୍ତ୍ତମାନ ଦଳର ନିୟନ୍ତ୍ରଣକୁ ପ୍ରୟାସ ଜାରି ରଖିଛନ୍ତି। ଏହି କାରଣରୁ ସିନ୍ଦେ ଗୋଷ୍ଠୀ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି। ବିଧାୟକଙ୍କ ପରେ ଆଗାମୀ କିଛି ଦିନ ମଧ୍ୟରେ କିଛି ସାଂସଦ ଠାକରେ ଗୋଷ୍ଠୀରୁ ବାହାରି ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି। ଏହା ସହିତ ଦଳର ବହୁ ଜିଲ୍ଲା ମୁଖ୍ୟ ତଥା ଜିଲ୍ଲା ଯୋଗାଯୋଗ ମୁଖ୍ୟ ମଧ୍ୟ ସିନ୍ଦେ ଗୋଷ୍ଠୀ ହାତ ଧରିପାରନ୍ତି। ଯଦି ଏହା ହୁଏ ତାହେଲେ ଏହା ଉଦ୍ଧବ ଠାକରେଙ୍କ ପାଇଁ ଏକ ଝଟକା ହେବ। 


Also Read: Maharashtra Political Crisis: ବଢୁଛି ସିନ୍ଦେ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି କେତେ ଶିବ ସେନା ବିଧାୟକ?