Odisha health minister Naba Das, ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନା କଟାକ୍ଷ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ? ଶୁକ୍ରବାର ବରମୁଣ୍ଡା ପଡିଆରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଯାହା କହିଛନ୍ତି, ତାହା ରାଜ୍ୟବାସୀଙ୍କୁ ଚକିତ କରିଛି। ମୁଖ୍ୟମନ୍ତ୍ରୀଙ୍କୁ ସେ ଯେଉଁ ଭଳି ଭାବରେ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି, ତାହା ଏକ ପ୍ରକାରର କଟାକ୍ଷ ବୋଲି ଲୋକେ ଆଲୋଚନା କରୁଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କଥାର କୌଣସି ତାତ୍ପର୍ଯ୍ୟ ନାହିଁ, ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇ ଏଭଳି ଅବୈଜ୍ଞାନିକ ମନ୍ତବ୍ୟରୁ ନିବୃତ ରହିବା ଉଚିତ ବୋଲି ସୋସିଆଲ ମିଡିଆ ୟୁଜର୍ସମାନେ ପରାମର୍ଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱର, ବରମୁଣ୍ଡା ପଡିଆରେ ବିଜେଡି ପକ୍ଷରୁ ଆୟୋଜିତ ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକାଧିକ ନେତା ମନ୍ତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମୋଡରେ ଯୋଡି ହୋଇ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଅନ୍ୟପଟେ ଦଳୀୟ ମନ୍ତ୍ରୀମାନେ ତାଙ୍କୁ ପ୍ରଶଂସା କରିବାର କୌଣସି ସୁଯୋଗ ହାତ ଛଡା କରିନାହାନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ ମହାନ ନେତା ତଥା ଜନନାୟକ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଯେଉଁ ଭଳି ଢଙ୍ଗରେ ବାକ ଚାତୁରୀ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି, ତାହା ତାଙ୍କ ପାଇଁ ବୁମେରାଂ ହୋଇଛି।


Also Read: ପୁନଃନିଯୁକ୍ତ ଅବସରପ୍ରାପ୍ତଙ୍କ ଦରମା ବଢାଇଲେ ସରକାର, ଠିକା କର୍ମଚାରୀ ଦେଲେ ରଣ ହୁଙ୍କାର


ତାଲିମ ଶିବିରର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଜଣେ ଚମତ୍କାରୀ ପୁରୁଷ ଭାବେ ବର୍ଣ୍ଣନା କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହଁ ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପରୋକ୍ଷରେ ପ୍ରଶଂସା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ନବୀନଙ୍କୁ ଦେଖିଲେ ବନ୍ୟା, ବାତ୍ୟା, କୋରୋନା ସବୁ ଚାଲିଯାଏ। ଆଉ ଲୋକମାନେ ସୁସ୍ଥ ଅନୁଭବ କରନ୍ତି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଜନନାୟକ। ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବାକୁ ନବୀନ ସ୍ୱପ୍ନ ଦେଖିଛନ୍ତି। ନବୀନ ଯାହା ସ୍ୱପ୍ନ ଦେଖୁଛନ୍ତି ତାହାକୁ ୫ଟି ସଚିବ ଭିକେ ପାଣ୍ଡିଆନ ରୂପାନ୍ତରିତ କରୁଛନ୍ତି। 


ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଏହି ରୋଚକ ମନ୍ତବ୍ୟକୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି। ନବୀନଙ୍କୁ ଦେଖିଲେ ବନ୍ୟା, ବାତ୍ୟା, କୋରୋନା ସବୁ ଚାଲିଯାଏ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କିନ୍ତୁ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ, ତେଣୁ ମନ୍ତ୍ରୀ ଏଭଳି ବୟାନରୁ ଦୂରେଇ ରହିବା ଉଚିତ ବୋଲି ଜଣେ ସୋସିଆଲ ମିଡିଆ ୟୁଜର କହିଛନ୍ତି। ଅନ୍ୟ ଜଣେ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀଙ୍କୁ ବର୍ତ୍ତମାନ ସୁଦ୍ଧା ବନ୍ୟା ବାତ୍ୟା ଓ କୋରୋନା ଦେଖିନାହାନ୍ତି ବୋଧେ, ସେଥିପାଇଁ ସେମାନେ ଦେଖିବା ପାଇଁ ଓଡିଶାକୁ ବାରମ୍ବାର ଆସୁଛନ୍ତି। ଆଉ କୋରୋନା ତ ମୁଖ୍ୟମନ୍ତ୍ରୀଙ୍କ ପ୍ରେମରେ ପଡିଯାଇଛି, ସେଥିପାଇଁ ଓଡିଶା ଛାଡି ଯାଉନାହିଁ।


Also Read: Tejeswar Parida: ବିଜେପିରେ ଯୋଗଦେଲେ ତେଜେଶ୍ୱର


ସେହିପରି ଅନ୍ୟ ଜଣେ ୟୁଜର୍ସଙ୍କ କହିବା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଥରେ କେଉଁ ସରକାରୀ ହସ୍ପିଟାଲ ଆଡେ ବୁଲାଇ ଆଣନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ପାଇ କିଛି ରୋଗୀ ହେଲେ ସୁସ୍ଥ ହୋଇଯିବେ। ଲୋକେ ଦାଦନ ଶ୍ରମିକଙ୍କ ପ୍ରସଙ୍ଗକୁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମନ୍ତବ୍ୟ ସହ ଯୋଡିଛନ୍ତି। ସେମାନେ କହିଛନ୍ତି ଯେ, ରାଜ୍ୟର ଗରିବ ଓ ଦିନ ମଜୁରିଆଙ୍କ ଉପରେ ନୁହଁ ବରଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧିକ କୃପାଦୃଷ୍ଟି ପଡୁଛି। ଯେଉଁଥିପାଇଁ ମନ୍ତ୍ରୀଙ୍କ ସମ୍ପତ୍ତିରେ ଅହେତୁକ ବୃଦ୍ଧି ହେଉଛି ଆଉ ସେ ମାଳମାଳ ଗାଡି କିଣୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ନିଜ ଚୌକି ବଞ୍ଚେଇବା ପାଇଁ ନବ ଦାସ ଏଭଳି ଗୋଟି ଚଳାଇଥିବା ଲୋକେ ଅଭିଯୋଗ କରିଛନ୍ତି।


ସୂଚନାଯୋଗ୍ୟ, ଗତ ମାସରେ ପଛକୁ ପଛ ଦୁଇଟି ବନ୍ୟା ଆସିଥିଲା। ଏଥିରେ ହଜାର ହଜାର ଏକର ଫସଲ ନଷ୍ଟ ହୋଇଥିବା ବେଳେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନେକ କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ମିଳିନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ବର୍ତ୍ତମାନ ମଧ୍ୟ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ତିନି ଅଙ୍କ ରହିଛି। ଶନିବାର ୧୪୬ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କୋରୋନାରେ ଜଣକର ମୃତ୍ୟୁ ହୋଇଛି। ରାଜ୍ୟରେ ୧୩୪୩ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୯୪କୁ ବୃଦ୍ଧି ପାଇଛି।