କଲମ୍ବୋ: ଦେଶରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟ ଭାଙ୍ଗି ଦେଇଛି ଶ୍ରୀଲଙ୍କା ନାଗରିକଙ୍କ ଆର୍ଥିକ ମେରୁଦଣ୍ଡ। ସ୍ଥିତି ଏପରି ହୋଇଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଦିନକୁ ଦିନ ବଢିଚାଲିଥିବା ଏହାକୁ ପାଇବା ପାଇଁ ଲୋକଙ୍କୁ ବେଶ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ଏବେ ଘରେ ବସିବା କିମ୍ବା କୌଣସି ସ୍ଥାନକୁ ଯାତ୍ରା କରିବା ଲୋକଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। କାରଣ ବିଜୁଳି ଏବଂ ଇନ୍ଧନ ମିଳିବା ଏବେ ଲୋକଙ୍କ ପାଇଁ ଦିବାସ୍ୱପ୍ନ ପାଲଟିଯାଇଛି। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ଉପ ମହାଦ୍ୱୀପର  ଦକ୍ଷିଣ ଭାଗରେ ଭାରତ ମହାସାଗର ବକ୍ଷରେ ଅବସ୍ଥିତ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା ଏବେ ଭୟାନକ ଆର୍ଥିକ ସଂକଟ ଦେଇ ଗତି କରୁଛି। ଯାହା ଏବେ ମାନବୀୟ ସଙ୍କଟ ଆଡକୁ ଗତି କରୁଛି। ବୈଦେଶିକ ଋଣ ଦେଶର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଦେଇଛି। କୋରୋନା ମହାମାରୀ ହେତୁ ଦେଶର ଅର୍ଥନୀତି ବର୍ବାଦ ହୋଇପଡ଼ିଛି। କାରଣ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ ଦ୍ୱାରା ପରିଚାଳିତ। ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଏଠାକୁ ବିଦେଶ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ଦେଶରେ ରାଷ୍ଟ୍ରପତିଙ୍କ ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯିବା ପରେ ସେଠାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଆର୍ଥିକ ସଙ୍କଟ ଖୁବ ଶୀଘ୍ର ମାନବୀୟ ସଙ୍କଟରେ ପରିଣତ ହୋଇ ଶ୍ରୀଲଙ୍କା ଅର୍ଥନୀତି ଦେବାଳିଆ ଅବସ୍ଥା ଆଡକୁ ଠେଲି ଦେଇପାରେ। ଏଭଳି ପରିସ୍ଥିତି କାହିଁକି ଶ୍ରୀଲଙ୍କା  ଭଳି ଦେଶରେ ସୃଷ୍ଟି ହୋଇଛି? 


Also Read: Sri Lanka: ଗଣ ବିକ୍ଷୋଭ ପରେ ଦେଶରେ ଜାରି ହେଲା ଜାତୀୟ ଜରୁରୀ କାଳୀନ ପରିସ୍ଥିତି


୧.ଋଣ 


ଶ୍ରୀଲଙ୍କା ଅର୍ଥନୀତିରେ ସୃଷ୍ଟି ହୋଇଥିବା ଏଭଳି ଅବସ୍ଥା ପାଇଁ ଅନେକ କାରଣ ଦାୟୀ। ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ଏହି ଅବସ୍ଥା ପାଇଁ ସବୁଠାରୁ ବଡ କାରଣ ବୋଲି ବିଶ୍ୱାସ କରାଯାଏ। ବିଗତ ୩ ବର୍ଷ ପୂର୍ବେ ଯେଉଁଠି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୭.୫ ବିଲିୟନ ଡ଼ଲାର ଗଚ୍ଛିତ ଥିଲା ହେଲେ ଗତ ବର୍ଷ ନଭେମ୍ବରରେ ଏହାର ପରିମାଣ ୧.୫୮ ବିଲିୟନ ଡ଼ଲାରକୁ ଖସି ଆସିଥିଲା। ଚୀନ୍, ଜାପାନ, ଭାରତ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ବିପୁଳ ପରିମାଣର ଋଣ ନେଇଥିଲା ହେଲେ ବୈଦେଶିକ ମୁଦ୍ରା ଅଭାବ କାରଣରୁ ଋଣ କିସ୍ତି ପରିଶୋଧ କରିବାରେ ସମର୍ଥ ହୋଇନଥିଲା ଶ୍ରୀଲଙ୍କା। ଖାଦ୍ୟ ଶସ୍ୟ, ପେଟ୍ରୋଲିୟମ ଉତ୍ପାଦ, ଔଷଧ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଶ୍ରୀଲଙ୍କା ଅନ୍ୟ ଦେଶ ଉପରେ ନିର୍ଭଶୀଳ। ହେଲେ ବୈଦେଶିକ ମୁଦ୍ରା ଅଭାବ ହେତୁ ସେ ଆମଦାନୀ କରିବାକୁ ସକ୍ଷମ ହୋଇନଥିଲା ଶ୍ରୀଲଙ୍କା। ଏହି କାରଣରୁ ଦେଶର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା। ଦେଶରେ ଏବେ ଶକ୍ତି ସଙ୍କଟ ମଧ୍ୟ ଗୁରୁତର ହେବାରେ ଲାଗିଛି ଏବଂ ଲୋକଙ୍କୁ ଦୈନିକ ୭-୮ ଘଣ୍ଟା ଅନ୍ଧାରରେ ରହିବାକୁ ପଡୁଛି।


୨.କୋରୋନା ମହାମାରୀ 
ଶ୍ରୀଲଙ୍କା ଅର୍ଥନୀତିରେ ପର୍ଯ୍ୟଟନ ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦେଶର GDP ରେ ପର୍ଯ୍ୟଟନର ଅଂଶ ୧୦ ପ୍ରତିଶତରୁ ଅଧିକ ଏବଂ ଏହି ଶିଳ୍ପ ମଧ୍ୟ ବୈଦେଶିକ ମୁଦ୍ରା ଭଣ୍ଡାର ବଢାଇବାରେ ସହାୟକ ହୋଇଥାଏ। ହେଲେ କୋରୋନା ମହାମାରୀ କାରଣରୁ ଏହି ଶିଳ୍ପ ଭୀଷଣ ରୂପରେ କ୍ଷତିଗ୍ରସ୍ତ ହୋଇଛି। କୋଭିଡ୧୯  କାରଣରୁ ସେଠାରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏକ ବଡ଼ ହ୍ରାସ ଘଟିଛି। 


୩. ରାସାୟନିକ ସାର ବ୍ୟବହାର ଉପରେ ପ୍ରତିବନ୍ଧକ 
ମୁଦ୍ରା ହ୍ରାସ ଏବଂ ବୈଦେଶିକ ଭଣ୍ଡାର ହ୍ରାସ ମଧ୍ୟରେ ଶ୍ରୀଲଙ୍କା ସରକାର ଏକ ବଡ ପଦକ୍ଷେପ ନେଇଥିଲେ ଯାହା ଦ୍ୱାରା ଦେଶରେ ଖାଦ୍ୟ ସଙ୍କଟ ଭଳି ଅବସ୍ଥା ଉପୁଜିଥିଲା। ଗତ ବର୍ଷ ସ୍ଥାନୀୟ ସରକାର ଘୋଷଣା କରିଥିଲେ ଯେ ଶ୍ରୀଲଙ୍କା ବିଶ୍ୱରେ ପ୍ରଥମ ଦେଶ ହେବ ଯେଉଁଠି ଶତ ପ୍ରତିଶତ ଜୈବିକ କୃଷି ହେବ। ଅର୍ଥାତ୍ କୃଷି କ୍ଷେତ୍ରରେ ରାସାୟନିକ ସାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହାର ପରିଣାମ ସମଗ୍ର ଦେଶକୁ ଭୋଗିବାକୁ ପଡିଲା। କାରଣ ଏହା ଦ୍ୱାରା କୃଷି ଉତ୍ପାଦନ ବ୍ୟାପକ ମାତ୍ରାରେ ହ୍ରାସ ପାଇଥିଲା। 


୪. ଟିକସ ହ୍ରାସ 
ଗତ ୨୦୧୯ ବର୍ଷରେ ନବ ନିର୍ବାଚିତ ରାଜପକ୍ଷେ ସରକାର ଲୋକଙ୍କ ଖର୍ଚ୍ଚ କ୍ଷମତା ବୃଦ୍ଧି ପାଇଁ ଟିକସ ହ୍ରାସ କରିଥିଲେ। ଯାହା ଦ୍ୱାରା ସରକାରଙ୍କ ରାଜସ୍ୱରେ ବ୍ୟାପକ କ୍ଷତି ହୋଇଥିଲା। 


୫.ଋଷିଆ-ୟୁକ୍ରେନ ଯୁଦ୍ଧ
ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଶ୍ରୀଲଙ୍କା ଅର୍ଥନୀତି ବ୍ୟପକ ମାତ୍ରାରେ ପ୍ରଭାବିତ ହୋଇଛି। ଦେଶର ଚାହାର, ଋଷିଆ ହେଉଛି ସବୁଠାରୁ ବଡ ଆମଦାନୀକାରୀ। ଋଷିଆ, ୟୁକ୍ରେନ ଭଳି ଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଶ୍ରୀଲଙ୍କା ଆସିଥାନ୍ତି। ମାତ୍ର ଋଷୀୟ ମୁଦ୍ରା ରୁବେଲ ମୂଲ୍ୟରେ ହ୍ରାସ, ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଚାହା ଆମଦାନୀ ହ୍ରାସ ହେତୁ ଏହାର ଅର୍ଥନୀତି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।


Also Read: ପ୍ରଭୂତ୍ୱ ବିସ୍ତାରର ପାଇଁ ନୂଆ ଚାଲ, ଋଣ ଜାଲରେ ଏସୀୟ-ଆଫ୍ରିକୀୟ ଦେଶଙ୍କୁ ଦେବାଳିଆ କରୁଛି ଡ୍ରାଗନ


ଭାରତ ବଢାଇବ କି ଶ୍ରୀଲଙ୍କାକୁ ସହଯୋଗର ହାତ?


ବର୍ତ୍ତମାନ ଶ୍ରୀଲଙ୍କା ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଚୀନ୍ ଏବଂ ଭାରତ ସହିତ ଏହି ଦେଶର ସମ୍ପର୍କ ଏକ ଆକର୍ଷଣୀୟ ମୋଡ଼ ନେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା ଦୁଇ ଦେଶକୁ ସନ୍ତୁଳିତ କରିବାକୁ ଚେଷ୍ଟା କରୁଛି ଏବଂ ଚୀନ୍-ଭାରତ ଆଦି ଦେଶର ଭୌଗୋଳିକ ସ୍ୱାର୍ଥରୁ ଲାଭବାନ ହେବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ସାହାଯ୍ୟ ପାଇଁ ଶ୍ରୀଲଙ୍କା ଭାରତ ଆଡକୁ ଚାହିଁଛି। ଏଭଳି ପରିସ୍ଥିତିରେ ଭାରତ ଏହାର ପଡ଼ୋଶୀ ଶ୍ରୀଲଙ୍କାକୁ ଏକ ବିଲିୟନ ଡଲାର ମୂଲ୍ୟର ସହଜ ଋଣ ପ୍ରଦାନ କରିବାକୁ ଯାଉଛି। ଆହୁରି ମଧ୍ୟ ବିଶ୍ୱ ବ୍ୟାଙ୍କ ପାଖରୁ ଋଣ ପାଇବାକୁ ଚେଷ୍ଟା କରୁଛି ଶ୍ରୀଲଙ୍କା। ଅନ୍ୟପଟେ ଭାରତ  ହଜାର ଟନ୍ ଇନ୍ଧନ ଶ୍ରୀଲଙ୍କାକୁ ଯୋଗାଇବ। ଅର୍ଥନୀତିଜ୍ଞଙ୍କ ମତରେ ଚୀନ୍ ଋଣ ଜାଲରେ ଫସିଯାଇଛି ଶ୍ରୀଲଙ୍କା। ଏହି କାରଣରୁ ଏଠରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି।