Sri Lanka: ଗଣ ବିକ୍ଷୋଭ ପରେ ଦେଶରେ ଜାରି ହେଲା ଜାତୀୟ ଜରୁରୀ କାଳୀନ ପରିସ୍ଥିତି
Advertisement

Sri Lanka: ଗଣ ବିକ୍ଷୋଭ ପରେ ଦେଶରେ ଜାରି ହେଲା ଜାତୀୟ ଜରୁରୀ କାଳୀନ ପରିସ୍ଥିତି

କାଙ୍ଗାଳ ଓ ବର୍ବାଦ ହୋଇସାରିଥିବା ଏହି ଦେଶରେ ଦରଦାମ ବୃଦ୍ଧି ଏବେ ସବୁ ରେକର୍ଡ ଭାଙ୍ଗି ସାରିଛି। 

Sri Lanka: ଗଣ ବିକ୍ଷୋଭ ପରେ ଦେଶରେ ଜାରି ହେଲା ଜାତୀୟ ଜରୁରୀ କାଳୀନ ପରିସ୍ଥିତି

କଲମ୍ବୋ: ଭୟାୟକ ଆର୍ଥିକ ସଂକଟ କାରଣରୁ ହୋଇଥିବା ଗଣ ବିକ୍ଷୋଭ ପରେ ଦେଶରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଛନ୍ତି ଶ୍ରୀଲଙ୍କା ସରକାର। ଏନେଇ ପ୍ରତିକ୍ରିୟା ରଖି  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ କହିଛନ୍ତି ଯେ ଦେଶର ନିରାପତ୍ତା ତଥା ଅତ୍ୟାବଶ୍ୟକ ସେବା ଯୋଗାଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇବା ପାଇଁ ଲୋକେ ଏବେ ଦେଶର ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି। ଏହାକୁ ନେଇ ଦେଶର ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ଶ୍ରୀଲଙ୍କା ସରକାର ଦେଶରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ବର୍ତ୍ତମାନ ଶ୍ରୀଲଙ୍କା ଏକ ଭୟାନକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସାଧାରଣ ଲୋକଙ୍କ ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇପଡିଛି। ପରିସ୍ଥିତି ଖରାପରୁ ଖରାପ ହେବାକୁ ଯାଉଛି। ଶ୍ରୀଲଙ୍କା ଅର୍ଥନୀତି ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ। ଯାହା କୋରୋନା ମହାମାରୀ କାରଣରୁ ପ୍ରଭାବିତ ହୋଇଛି। ଏହା ଦ୍ୱାରା ଶ୍ରୀଲଙ୍କା ଅର୍ଥନୀତି ବିପର୍ଯ୍ୟସ୍ଥ ହୋଇପଡି଼ଛି। ଏଭଳି ପରିସ୍ଥିତିରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ସରକାର। ଏନେଇ ଜାରି କରାଯାଇଥିବା ଆଦେଶ ଜରିଆରେ କୁହାଯାଇଛି ଯେ ଦେଶର ନିରାପତ୍ତା ତଥା ଅତ୍ୟାବଶ୍ୟକ ସେବା ଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବିରୋଧ ପ୍ରଦର୍ଶନ କରିବା କାରଣରୁ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଦେଶର ପଶ୍ଚିମ ପ୍ରଦେଶରେ ୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ଯାହା ୨ ତାରିଖ ମଧ୍ୟ ରାତ୍ରୀରୁ କାର୍ଯ୍ୟକାରୀ ହୋଇଛି। ଏହା ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ଦେଶର ନାଗରିକ।  ଏହି ସମୟରେ ରାଷ୍ଟ୍ରପତିଙ୍କ ବାସଭବନ ବାହାରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ହିଂସାତ୍ମକ ପ୍ରଦର୍ଶନରେ ପ୍ରାୟ ୫୦ ଜଣ ଆହତ ହୋଇଥିଲେ।

ଯେତେବେଳେ ଦେଶରେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଥିଲା ସେବେ ଠାରୁ ଦେଶର ଅର୍ଥନୀତି ଦେବାଳିଆ ହେବା ଆରମ୍ଭ କରିଥିଲା। ଦେଶରେ ଏବେ ଏକ ବଡ଼ ଶକ୍ତି ସଙ୍କଟ ଦେଖାଦେଇଛି। ପେଟ୍ରୋଲ ପମ୍ପ ଠାରେ ପେଟ୍ରୋଲ କିମ୍ବା ଡିଜେଲ ଭଳି ଇନ୍ଧନ ଉପଲବ୍ଧ ନାହିଁ। ଯାହା ଫଳରେ ଦେଶର ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ ରାଷ୍ଟ୍ରପତିଙ୍କ ବିରୋଧରେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଦେଶର ବିଭିନ୍ନ ଅଞ୍ଚଳରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀ ପୋଲିସ ସହ ମୁକାବିଲା କରିବାକୁ ପଛାଇନାହାଁନ୍ତି। ହିଂସାତ୍ମକ ବିରୋଧ ପ୍ରଦର୍ଶନ କାରଣରୁ ସ୍ଥିତି ବିଗିଡ଼ିବାରେ ଲାଗିଛି। 

ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ବିକ୍ଷୋଭକାରୀ କିମ୍ବା ସଦିଗ୍ଧ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଅଧିକାର ପ୍ରଦାନ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ। ରାଜଧାନୀ କଲମ୍ବୋ ଠାରେ ଶତାଧିକ ବିକ୍ଷୋଭକାରୀ ଏକତ୍ରିତ ହେବା ପରେ ଏପରି ନିଷ୍ପତ୍ତି କାର୍ଯ୍ୟକାରୀ କରିଛନ୍ତି ଶ୍ରୀଲଙ୍କ ସରକାର। ଅନ୍ୟପଟେ ସରକାରଙ୍କ ଆର୍ଥିକ ନୀତିର ଖରାପ ପରିଚାଳନାକୁ ବିରୋଧ କରି ରାଷ୍ଟ୍ରପତିଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ପଛେଇ ନହାଁନ୍ତି ଜନସାଧାରଣ। 

ଦେଶରେ ଏକ ସାଧାରଣ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଯାହା ପାଇଁ କଠୋର ଆଇନ ପ୍ରଣୟନ ଆବଶ୍ୟକ। ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ଜନସାଧାରଣଙ୍କ ସୁରକ୍ଷା ଏବଂ ନିରାପତ୍ତା ତଥା ଅତ୍ୟାବଶ୍ୟକ ସାମଗ୍ରୀ ତଥା ସେବାର ରକ୍ଷଣା ବେକ୍ଷଣ ପାଇଁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ରାଷ୍ଟ୍ରପତି। 

କାହିଁକି ସୃଷ୍ଟି ହୋଇଥିଲା ଆର୍ଥିକ ସଂକଟ? 
ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା ଋଣ ଭାରରେ ବୁଡ଼ି ଯାଇଛି। ମୋଟ ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ବୈଦେଶିକ ମୁଦ୍ରା ଅଭାବ ହେତୁ ଇନ୍ଧନ ଏବଂ ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି ଏବଂ ବିଦ୍ୟୁତ୍ କାଟ ଅତ୍ୟଧିକ ହେବାରେ ଲାଗିଛି | ମୂଲ୍ୟ ବୃଦ୍ଧି ଏବଂ ଖାଦ୍ୟ ସାମଗ୍ରୀର ଅଭାବ ହେତୁ ଲୋକଙ୍କ ସମସ୍ୟା ବଢିଯାଇଛି। ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ ଘରେ ଚଢାଉ କରିବାକୁ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ବିକ୍ଷୋଭକାରୀ। ଏହି ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି। 

ଲଙ୍କା ଆଖିରେ ଗରିବୀ ଲୁହ; ଦାନ ଦେଲା ଭାରତ
ଦିନେ ସ୍ୱର୍ଣ୍ଣିମ ସାମ୍ରାଜ୍ୟରେ ସମୃଦ୍ଧ ଥିଲା। ହେଲେ ଆଜି ପେଟକୁ ଦାନା ନାହିଁ। ଦିନେ ସୁନାର ମହଲ, ସୁଖ, ସୌଭାଗ୍ୟ ପାଇଁ ଜଗତ ବିଖ୍ୟାତ ଥିଲା। ହେଲେ ଆଜି ଗରିବୀ ମାଡ଼ରେ ଲହୁଲୁହାଣ। ସତରେ ହତଶିରୀ ଶ୍ରୀଲଙ୍କା। ଖାଇବା ପାଇଁ ମିଳୁନି। ପେଟ୍ରୋଲ-ଡିଜେଲ ନାହିଁ। ପେପର୍ କିଣିବାକୁ ସାମର୍ଥ୍ୟ ନଥିବାରୁ ପରୀକ୍ଷା ବାତିଲ ହେଉଛି। ଦିନକୁ ୧୦ ଘଣ୍ଟାରୁ ଅଧିକ ସମୟ ବିଜୁଳି କଟୁଛି । ତେଣୁ ସଡ଼କ ଉପରେ ଏବେ ଦେଖିବାକୁ ମିଳୁଛି ଲୋକଙ୍କ ଆକ୍ରୋଶ।

ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏବେ ହାହାକାର ପରିସ୍ଥିତି। ଦାନା ମୁଠେ ପାଇଁ ଦଙ୍ଗା ଭଲି ପରିସ୍ଥିତି। ପେଟ୍ରୋଲ-ଡିଜେଲ ଭଳି ଇନ୍ଧନର ପ୍ରତିଟି ବୁନ୍ଦା ପାଇଁ ରକ୍ତ ବୁହାଇବାକୁ ଲୋକେ ପ୍ରସ୍ତୁତ। କାଙ୍ଗାଳ ଓ ବର୍ବାଦ ହୋଇସାରିଥିବା ଏହି ଦେଶରେ ଦରଦାମ ବୃଦ୍ଧି ଏବେ ସବୁ ରେକର୍ଡ ଭାଙ୍ଗି ସାରିଛି। ପରିବା ଓ ଅତ୍ୟାବଶ୍ଯକୀୟ ସାମଗ୍ରୀର ଦାମ ଆକାଶ ଛୁଆଁ। ଚାଉଳ କେଜି ୨୦୦ ପାର୍ କରିଥିବା ବେଳେ ୪୦୦ ଗ୍ରାମ କ୍ଷୀରର ମୂଲ୍ୟ ୮୦୦ ଟଙ୍କା। ଆଉ ପେଟ୍ରୋଲ-ଡିଜେଲ କଥା ନକହିଲେ ଭଲ। ବିଗତ ୩ ମାସ ମଧ୍ୟରେ ପେଟ୍ରୋଲ ଦର ୯୨ ପ୍ରତିଶତ ଏବଂ ଡିଜେଲ ଦର ୭୬ ପ୍ରତିଶତ ବଢ଼ିଛି। ଦେଶରେ ପେଟ୍ରୋଲ ଏବେ ପ୍ରତି ଲିଟର ୩୦୦ ଓ ଡିଜେଲ ୨୩୦ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ ଆମଦାନୀ ପାଇଁ ପାଖରେ ଟଙ୍କା ନାହିଁ। ଡିଜେଲ ସରିଯାଇଥିବାରୁ ବଡ଼ବଡ଼ ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ କରାଯାଇଛି।

ବିଦେଶୀ ମୁଦ୍ରା ଭଣ୍ଡାର ୭୦% ପର୍ଯ୍ୟନ୍ତ କମ୍ ହୋଇସାରିଛି। ଶ୍ରୀଲଙ୍କାରେ ପରିସ୍ଥିତି ଏମିତି ହୋଇଛି ଯେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ବନ୍ଦ କରିବାକୁ ପଡ଼ିଛି। ଏପରିକି ହସ୍ପିଟାଲରେ ଅପରେସନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ଖାଦ୍ୟପାନୀୟ ସହ ମେଡିସିନ ପାଇଁ ରାସ୍ତାରେ ଦେଖିବାକୁ ମିଳୁଛି ଲମ୍ୱା ଲାଇନ୍। ପରିସ୍ଥିତି ବିଗୁଡ଼ୁଥିବାରୁ ଲୋକେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ହେଉଛି। ଭଙ୍ଗାରୁଜା, ରାସ୍ତା ଜାମ୍ ସାଙ୍ଗକୁ ଉତ୍ତ୍ୟକ୍ତ ଲୋକେ ବସରେ ମଧ୍ୟ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି। ରାଷ୍ଟ୍ରପତି ରାଜପକ୍ଷେଙ୍କ ଘର ଘେରିବାକୁ ଲୋକେ ପ୍ରୟାସ କରିଛନ୍ତି। ପ୍ରଦର୍ଶନ ବେଳେ ପୋଲିସ ସହ ହାତାହାତି ହୋଇଛନ୍ତି ଲୋକେ। ଦେଶର ଏଭଳି ଆର୍ଥିକ ସଙ୍କଟ ପାଇଁ ରାଜପକ୍ଷେଙ୍କ ପରିବାର ଦାୟୀ ବୋଲି ଲୋକେ ଅଭିଯୋଗ କରୁଛନ୍ତି।

ଦେଶକୁ ସରକାର ନୁହେଁ ରାଜପକ୍ଷେଙ୍କ ପରିବାରର ସାତ ଜଣ ଲୋକ ଚଳାଉଛନ୍ତି। ଗୋଟବାୟା ରାଜପକ୍ଷେ ଶ୍ରୀଲଙ୍କା ରାଷ୍ଟ୍ରପତି ଅଛନ୍ତି, ତାଙ୍କ ଭାଇ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ, ଚମଲ ରାଜପକ୍ଷେ କୃଷି ଏବଂ ଜଳସେଚନ ମନ୍ତ୍ରୀ ଓ ସାନ ଭାଇ ବାସିଲ ରାଜପକ୍ଷେ ସରକାରରେ ଅର୍ଥମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ସରକାରରେ ଚାରି ଭାଇ ବଡ଼ ପଦବୀରେ ଅବସ୍ଥିତ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପୁଅ ନମଲ ରାଜପକ୍ଷେ କ୍ରୀଡ଼ା ମନ୍ତ୍ରୀ ଓ କୃଷିମନ୍ତ୍ରୀ ଚମଲ ରାଜପକ୍ଷେଙ୍କ ପୁଅ ଶୀଶେନ୍ଦ୍ର ରାଜପକ୍ଷେ ସରକାରରେ ଜୁନିଅର ମିନିଷ୍ଟର ଅଛନ୍ତି। ତେବେ ଲୋକଙ୍କ ହିଂସ୍ର ପ୍ରଦର୍ଶନ ଦେଖି ରାଷ୍ଟ୍ରପତି ରାଜପକ୍ଷେ ଦେଶରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।

ସେପଟେ ଶ୍ରୀଲଙ୍କା ଅବସ୍ଥା ଦେଖି ସାହାଯ୍ୟ ପାଇଁ ଆଗକୁ ଆସିଛି ଭାରତ। ୪୦ ହଜାର ଟନ୍ ଚାଉଳ ଭାରତ କଲମ୍ୱୋ ପଠାଇଛି। ଚାଉଳ ପହଞ୍ଚିବା ପରେ ସେଠାରେ ଚାଉଳ ଦାମ ଖସିବ ବୋଲି ଅନୁମାନ କରାଯାଉଛି।

Also Read: ପ୍ରଭୂତ୍ୱ ବିସ୍ତାରର ପାଇଁ ନୂଆ ଚାଲ, ଋଣ ଜାଲରେ ଏସୀୟ-ଆଫ୍ରିକୀୟ ଦେଶଙ୍କୁ ଦେବାଳିଆ କରୁଛି ଡ୍ରାଗନ

Also Read: Fish ବିକି China Loan ଶୁଝିବ Pakistan Govt

Also Read: ଥମିନି Covid19 ସଂକ୍ରମଣ ପ୍ରକୋପ; Sri Lanka ସରକାର ନେଲେ ଏହି ପଦକ୍ଷେପ