ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ସେସୁ ସମେତ ରାଜ୍ୟର ଅନ୍ୟ ତିନୋଟି ବିଦ୍ୟୁତ ବିତରକ କମ୍ପାନୀକୁ ସମ୍ପୂର୍ଣ୍ଣ ବେଆଇନ ଭାବେ ଟାଟା ପାୱାରକୁ ବିକ୍ରି କରାଯାଇଛି। ରାଜ୍ୟରେ ୮୦ ଲକ୍ଷ ପରିବାର ପାଖରେ ବିଜୁଳି ପହଞ୍ଚିଛି। ପ୍ରତି ବର୍ଷ ୪ କମ୍ପାନୀର ୧୧ ହଜାର କୋଟି ଟର୍ଣ୍ଣଓଭର ରହିଥିବାବେଳେ ସେମାନଙ୍କ ପାଖରେ ୧୫ ହଜାର କୋଟିର ସମ୍ପତ୍ତି ରହିଛି। ତେଣୁ ଏତେ ସମ୍ପତ୍ତିକୁ କିଭଳି କୋଭିଡ ସମୟରେ ହଜାରେ କୋଟି ଟଙ୍କାରେ ବିକ୍ରି କରି ଦିଆଗଲା ଵୋଲି  ତଥ୍ୟ ଆଧାରରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଶ୍ନ କରିଛି। 


COMMERCIAL BREAK
SCROLL TO CONTINUE READING

କୋଭିଡ ସମୟରେ ଫିଜିକାଲ ବିଡ଼ (Physical bid) କୁ କିଭଳି ଅନୁମତି ଦିଆଗଲା? ଅନ୍ୟ କମ୍ପାନୀ ବାରମ୍ବାର ୨ ମାସ ସମୟ ଦେବାକୁ କହିବା ସତ୍ତ୍ୱେ କାହିଁକି ସେମାନଙ୍କୁ ସମୟ ଦିଅଗଲାନାହିଁ ଵୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ (Pradeep Majhi) ପ୍ରଶ୍ନ କରିଛନ୍ତି। ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି, ତାହା ସରକାର ସ୍ପଷ୍ଟ କରନ୍ତୁ ଵୋଲି ଦଳ (Congress) ଦାବି କରିଛି। ଏହି ୪ଟି ବିଦ୍ୟୁତ ବିତରକ କମ୍ପାନୀରେ ୪୦ ହଜାର କର୍ମଚାରୀ କାମ କରୁଛନ୍ତି। ଏବେ ସେମାନେ କଣ କରିବେ ଵୋଲି ପ୍ରଶ୍ନ ହୋଇଛି। ପୁଣି ଥରେ ସ୍ଵଛ ଢଙ୍ଗରେ ବିଡ଼ିଙ୍ଗ କରାଯିବାକୁ କଂଗ୍ରେସ ଦାବି କରିଛି।


Also Read: ସୁପ୍ରିମକୋର୍ଟଙ୍କୁ ବି ଅନ୍ଧାରରେ ରଖିଛନ୍ତି ନବୀନ ସରକାର: କଂଗ୍ରେସ


୨୫ ବର୍ଷ ପାଇଁ ସିଙ୍ଗଲ ବିଡ଼ରେ ଟାଟା କମ୍ପାନୀକୁ ୪ଟି ବିଦ୍ୟୁତ ବିତରଣ କମ୍ପାନୀ (Electricity company) କୁ ଟେକି ଦେବା ସମ୍ପୂର୍ଣ୍ଣ ଆଇନ ବିରୋଧୀ। ବିଦ୍ୟୁତ ନିୟମ ୨୦୦୩ର ଧାରା ୨୦ ଅନୁଯାୟୀ ଜଣେ ବିଡ଼ର ଗୋଟିଏ ସଂସ୍ଥାକୁ ୨ଟି କମ୍ପାନୀକୁ ବିକ୍ରି କରିପାରିବ ନାହିଁ। ସେହିଭଳି ବିଦ୍ୟୁତ ନିୟମ ଧାରା ୬୦ ଅନୁଯାୟୀ ଗୋଟିଏ ଘରୋଇ ସଂସ୍ଥା ବିଦ୍ୟୁତ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ। ତେଣୁ ତୁରନ୍ତ ଆଉଥରେ ବିଡ଼ କରି ସ୍ୱଚ୍ଛତାର ସହ କାର୍ଯ୍ୟ କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି।


ତେବେ ଏଥିପାଇଁ ସରକାରଙ୍କୁ କଂଗ୍ରେସ ୩୦ ଦିନର କଣ୍ଟ ଦେଇଛି। ସ୍ୱଚ୍ଛତାର ସହ ପ୍ରକ୍ରିୟା କରା ନ ଗଲେ ଟାଟାକୁ କିଛି କାମ କରାଇ ଦିଆଯିବ ନାହିଁ। ସବୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବା ସହ ସବୁ କାମ ବନ୍ଦ କରିଦିଆଯିବ ଵୋଲି ପ୍ରଦୀପ ମାଝୀ କଡା ଚେତାବନୀ ଦେଇଛନ୍ତି। ଏପରିକି ଆବଶ୍ୟକ ହେଲେ କଂଗ୍ରେସ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କଂଗ୍ରେସ କହିଛି। ବୁଧବାରର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି ଓ ରଶ୍ମି ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।