ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୧୦ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ୧୧ ଜିଲ୍ଲାର ୫୮ ଆସନରେ ଚାଲିଛି ଭୋଟ୍ ଗ୍ରହଣ। ମଧ୍ୟାନ୍ନ ଗୋଟାଏ ପର୍ଯ୍ୟନ୍ତ ପ୍ରାୟ ୩୫ ପ୍ରତିଶତ ମତଦାନ ହୋଇସାରିଛି।


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଯେଉଁଠି ଗୋଟିଏ ପଟେ ନିର୍ବାଚନରେ ​ଅଧିକରୁ ଅଧିକ ମତଦାନ କରିବା ପାଇଁ ଏକ ସଚେତନତା ଅଭିଯାନ ଚାଲିଛି। ଅନ୍ୟପକ୍ଷରେ ମେରଠ ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ। ଜିଲ୍ଲାର ମେରଠ କ୍ୟାଣ୍ଟ ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନସ୍ଥ ଦାୟମପୁର ଗ୍ରାମର ଲୋକେ ମତଦାନ କରିବାକୁ ମନା କରିଦେଇଛନ୍ତି। ଭୋଟ ଗ୍ରହଣ ପାଇଁ ଗ୍ରାମରେ କରାଯାଇଥିବା ମତଦାନ କେନ୍ଦ୍ର ଖାଲିପଡି଼ଛି। ଗ୍ରାମରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନଥିବାରୁ ଗ୍ରାମବାସୀ ମତଦାନ ବର୍ଜନ କରିଛନ୍ତି।


ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ପୋଷ୍ଟର ମଧ୍ୟ ଲଗାଯାଇଛି। ଯେଉଁମାନେ ଭୋଟ୍ ଦେବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ମଧ୍ୟ ଅଟକାଯାଉଛି। ଦିନ ପ୍ରାୟ ୧୨ଟା ପର୍ଯ୍ୟନ୍ତ କେବଳ ୩ ଜଣ ଲୋକ ମତଦାନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ଲୋକଙ୍କୁ ବୁଝାଇବା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି। ପୋଲିସ ପ୍ରଶାସନ ଏବଂ ନେତାଙ୍କ ବିରୋଧରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଫିସର ଘଟଣା ବାବଦରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। 


Also Read: UP Election 2022: କେଉଁ ଜିଲ୍ଲାରେ ଏବଂ କେଉଁ ଆସନରେ କେବେ ହେବ ମତଦାନ?


ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମତଦାନକୁ ନେଇ ରାଜନୈତିକ ଦଳ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସାହାରନପୁର ଠାରେ ରଖିଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ସମର୍ଥକ ଲୋକଙ୍କୁ ଧମକ ଦେଉଛନ୍ତି। ଏଥିପାଇଁ ବିଜେପି ନେତା ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମଜବାଦୀ ପାର୍ଟି ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ସମ୍ପର୍କରେ ଅଭିଯୋଗ କରିଛି। କୈରାନା ଏବଂ ଶାମଲି ଠାରେ ମତଦାତଙ୍କୁ ଧମକ ଦିଆଯାଉଛି ଏବଂ ସେମାନଙ୍କୁ ଧାଡି଼ରୁ ହଟାଯାଉଛି ବୋଲି ଦଳ କହିଛି। ଏହା ସହିତ ଦଳ ଅଭିଯୋଗ କରିଛି ଯେ ମେରଠ ଜିଲ୍ଲାର ସିୱାଲଖାସ୍ ବିଧାନସଭା ଆସନର ୪୩, ୮୧, ୮୨ ନମ୍ବର ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଯାଉଥିବା ଲୋକଙ୍କୁ ଆପଣଙ୍କର ଭୋଟ୍ ଦିଆଯାଇ ସାରିଛି ବୋଲି କହି ଫେରାଇ ଦିଆଯାଉଛି।