ଚାଲିଛି ଚନ୍ଦନଯାତ୍ରା ପ୍ରସ୍ତୁତି; ମହାପ୍ରଭୁଙ୍କ ଜଳକ୍ରୀଡା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ
ମେ ୧୫ତାରିଖ ଶନିବାର ପାଳିତ ହେବ ଅକ୍ଷୟ ତୃତୀୟା ସହ ମହାପ୍ରଭୁଙ୍କ ଚନ୍ଦନଯାତ୍ରା।
ପୁରୀ: ମହାପ୍ରଭୁଙ୍କ ଚନ୍ଦନଯାତ୍ରାକୁ ଆଉ ରହିଲା ମାତ୍ର ୨ ଦିନ। ଆରମ୍ଭ ହେଲା ଚନ୍ଦନ ଯାତ୍ରା ପ୍ରସ୍ତୁତି। ବୁଧବାର ଠାରୁ ମହାପ୍ରଭୁଙ୍କ ନନ୍ଦା-ଭଦ୍ରା ଦୁଇ ଚାପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ୱକର୍ମା ସେବାୟତ। ସେପଟେ ଏସଓପି ଆଧାରରେ ନରେନ୍ଦ୍ର ଚତୁପାର୍ଶ୍ୱକୁ ବ୍ଯାରିକେଡ୍ କରି ୧୪୪ ଧାରା ପାଇଁ ଜାରି ହୋଇଛି ପ୍ରକ୍ରିୟା। ଅନ୍ଯପଟେ ରଥଖଳାକୁ କୋଭିଡ୍ ନିୟମ ଅନୁସାରେ କପଡା ଘେରାଯାଇ ଆବଦ୍ଧ କରାଯାଇଛି।
ବୁଧବାର ଠାରୁ ଅକ୍ଷୟ ତୃତୀୟା ନୀତି ଏବଂ ଚନ୍ଦନଯାତ୍ରା ପାଇଁ ନିୟୋଜିତ ସେବାୟତଙ୍କ (Srimandir Sevayat) ଆରମ୍ଭ ହୋଇଛି ଆରଟିପିସିଆର ଟେଷ୍ଟ। କୋରୋନା ମୁକାବିଲା ପାଇଁ ଜାରି ହୋଇଥିବା ଏସଓପି ଅନୁପାଳନ ନେଇ ଜିଲ୍ଲାପାଳଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ସମୀକ୍ଷା କରିଛନ୍ତି।
ମେ ୧୫ତାରିଖ ଶନିବାର ଅକ୍ଷୟ ତୃତୀୟା ସହ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ସେନେଇ ଚଳଚଞ୍ଚଳ ହୋଇଉଠିଛି ନରେନ୍ଦ୍ରର ଚନ୍ଦନଚକଡା। ବିଧି ଅନୁସାରେ ନନ୍ଦା-ଭଦ୍ରା ଚାପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱକର୍ମା ମହାରଣା ଅନୁକୂଳ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ପଟ୍ଟା ବାଡିଆ କାର୍ଯ୍ଯରୁ ଆରମ୍ଭ କରି ଚାପରେ ହଂସ ଲଗାଯିବା ପରେ ଶେଷ ହେବ କାର୍ଯ୍ୟ। ଖରାକୁ ଦୃଷ୍ଟିରେ ରଖି ସକାଳା ଏବଂ ଅପରାହ୍ନ ସମୟରେ ନିର୍ମାଣ କାର୍ଯ୍ୟ କରାଯାଉଛି।
ସେପଟେ କୋଭିଡ୍ କଟକଣା ଭିତରେ ଏହି ଯାତ୍ରା କରାଯାଉଥିବାରୁ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି। ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଖଳାକୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇଛି। ସେପଟେ ଗତବର୍ଷ ପରି ରଥଖଳାରେ କପଡାରେ ଆବଦ୍ଧ କରାଯାଇ ରଥ ନିର୍ମାଣ କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ପଦକ୍ଷେପ ନିଆଯାଇଛି। ଅନ୍ୟ ପଟେ ରଥନିର୍ମାଣ ସହ ଚନ୍ଦନଯାତ୍ରାରେ ନିୟୋଜିତ ସେବାୟତଙ୍କ ଚଳିତ ମାସ ୧୨ ତାରିଖ ବୁଧବାର ଠାରୁ ୧୪ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଉତ୍କଳ ହିନ୍ଦୀ ବିଦ୍ଯାପୀଠରେ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟ।
Also Read: କୋରୋନା କଟକଣାରେ ପାଳିତ ହେବ ଚନ୍ଦନ ଯାତ୍ରା; Srimandir Adminstration ପକ୍ଷରୁ ପ୍ରସ୍ତୁତି ଜାରି
ସେପଟେ ଚଳିତବର୍ଷ କୋଭିଡ୍ କଟକଣାରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ କରାଯିବ ବାହାର ଚନ୍ଦନଯାତ୍ରା। ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇ ବିନାଭକ୍ତରେ ୨୧ ଦିନ ଧରି ବାହାର ଚନ୍ଦନଯାତ୍ରା କରାଯିବ। ଏହାୱ ସହିତ ସାଧାରଣ ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରଥଖଳାରେ ମଧ୍ୟ ୧୪୪ ଧାରା ଜାରି କରାଯିବ।
Also Read: ମହାପ୍ରଭୁଙ୍କ ଜଳକ୍ରୀଡା ଓ ଅକ୍ଷୟ ତୃତୀୟକୁ ନେଇ ବଡ ନିଷ୍ପତି
ଅକ୍ଷୟ ତୃତୀୟା ନୀତିକାନ୍ତି ସହ ରଥନିର୍ମାଣ ଅନୁକୂଳକୁ ନେଇ ମେ ୧୫ତାରିଖରେ ଶ୍ରୀମନ୍ଦିର ଠାରୁ ମରଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତ ଶୂନ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ପ୍ରଶାସନର ନିୟମ ଅନୁସାରେ ସମସ୍ତ ସେବାୟତ ମହାପ୍ରଭୁଙ୍କ ଯାନିଯାତ୍ରା ଶୃଙ୍ଖଳିତ କରିବା ପାଇଁ ସହଯୋଗ କରିବା ନେଇ ସମ୍ମତି ପ୍ରକାଶ କରିଛନ୍ତି।
Also Read: ଛତିଷା ନିଯୋଗ ବୈଠକ ଅନୁଷ୍ଠିତ; ଏଥର କଟକଣା ଭିତ୍ତିରେ ପାଳିତ ହେବ ପର୍ବ
ଗତବର୍ଷ ବିନା ଭକ୍ତରେ ଚନ୍ଦନଯାତ୍ରା ହେବା କାରଣରୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଜଳକ୍ରୀଡା ଦର୍ଶନରୁ ବଞ୍ଚିତ ହୋଇଥିଲେ। ଆଶା ଥିଲା ଚଳିତ ବର୍ଷ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ଯାତ୍ରା ଦେଖିବାର ସୁଯୋଗ ପାଇବେ। ମାତ୍ର କୋଭିଡ୍ କଟକଣା ଯୋଗୁଁ ପୂର୍ବ ଥର ଭଳି ଏଥର ନିରାଶ ହେବେ ଭକ୍ତ।