ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ରରୁ ବାହାରିଛି ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଚାପ ଡଙ୍ଗା। ଭୋଇସେବକ ଏଥିରେ ନିୟୋଜିତ ଥିବା ବେଳେ ମହାରଣା ସେବକଙ୍କ ଦ୍ୱାରା ଅକ୍ଷୟ ତୃତୀୟା ପୂର୍ବରୁ ଚାପ ନିର୍ମାଣ କାର୍ଯ୍ୟ କରାଯିବ। ସେପଟେ ସେବାୟତଙ୍କ କ୍ଷେତ୍ରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚନ୍ଦନ ଯାତ୍ରା ପୂର୍ବରୁ ସମସ୍ତ ରଥ ନିର୍ମାଣ ସେବକ ଓ ପାଳିଆ ସେବାୟତ ଯେଭଳି ଦୁଇଟି ଡୋଜ ଟିକା ନେବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।
Trending Photos
ପୁରୀ: ମେ' ମାସ ୧୫ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ଅକ୍ଷୟ ତୃତୀୟା ପଡୁଛି। ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ମଙ୍ଗଳବାର ରଥଖଳାକୁ ଚତୁର୍ଥ ପର୍ଯ୍ଯାୟରେ ୯୬ ଖଣ୍ଡ ଅସନ ଓ ଧଉରା କାଠ ଆସିଥିବା ବେଳେ ଅକ୍ଷୟ ତୃତୀୟା ଦିନ ହେବ ରଥ ନିର୍ମାଣ ଅନୁକୂଳ ବିଧି ଅନୁଷ୍ଠିତ ହେବ। ସେପଟେ ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ରରୁ ବାହାରିଛି ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଚାପ ଡଙ୍ଗା। ଭୋଇସେବକ ଏଥିରେ ନିୟୋଜିତ ଥିବା ବେଳେ ମହାରଣା ସେବକଙ୍କ ଦ୍ୱାରା ଅକ୍ଷୟ ତୃତୀୟା ପୂର୍ବରୁ ଚାପ ନିର୍ମାଣ କାର୍ଯ୍ୟ କରାଯିବ। ସେପଟେ ସେବାୟତଙ୍କ କ୍ଷେତ୍ରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚନ୍ଦନ ଯାତ୍ରା ପୂର୍ବରୁ ସମସ୍ତ ରଥ ନିର୍ମାଣ ସେବକ ଓ ପାଳିଆ ସେବାୟତ ଯେଭଳି ଦୁଇଟି ଡୋଜ ଟିକା ନେବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।
ପବିତ୍ର ଅକ୍ଷୟ ତୃତୀୟା (Akshya Tritiya) ତିଥିରୁ ଆରମ୍ଭ ହେବ ମହାପ୍ରଭୂଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା (Chandan Yatra)। ଏବେଠୁଁ ଚାଲିଛି ଜୋରଦାର ପ୍ରସ୍ତୁତି। ବିଧିପରମ୍ପରା ମୁତାବକ ଗତବର୍ଷ ଚାପ ପରେ ନରେନ୍ଦ୍ରରେ ବୁଡାଇ ଦିଆଯାଇଥିବା ନନ୍ଦା, ଭଦ୍ରା ଚାପର ୫ଟି ଡଙ୍ଗାକୁ ଆଜି ଚୈତ୍ର ପୂର୍ଣ୍ଣମୀରେ ପାଣି ଭିତରୁ ବାହାର କରାଯାଇଛି। ଭୋଇସେବକ ମାନେ ବିଧି ପୂର୍ବକ ଗୋଟିଏ ପରେ ଗୋଟିଏ ଡଙ୍ଗା ବାହାର କରିବା ପରେ ସଜାଇ ରଖିଛନ୍ତି। ପୁନର୍ବାର ମହାପ୍ରଭୁଙ୍କ ଜଳକ୍ରୀଡା ପାଇଁ ଦୁଇ ଚାପକୁ ପାରମ୍ପରିକ ରଙ୍ଗରେ ପ୍ରସ୍ତୁତ କରାଯିବ। ପ୍ରତି ଚାପରେ ଦୁଇଟି ଡଙ୍ଗା (Boat) ସଂଯୋଗ କରାଯିବା ସହ ଅତି ଆକର୍ଷଣୀୟ ଭାବେ ସଜ୍ଜିତ କରାଯିବ।
Also Read: ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା, ସ୍ୱର୍ଗଦ୍ୱାରରେ କୋରୋନାର ପହରା
ନନ୍ଦା ଚାପରେ ଶ୍ରୀମଦନମୋହନ, ଶ୍ରୀଦେବୀ ଭୁଦେବୀଙ୍କ ସହ ବିରାଜମାନ କରିବେ। ସେହିଭଳି ଭଦ୍ରାଚାପରେ ରାମକୃଷ୍ଣ ଓ ପଞ୍ଚମହାଦେବ ବିରାଜମାନ କରି ଜଳକ୍ରୀଡା (Jala Krida) କରିବାର ବିଧି ରହିଛି। ଗତବର୍ଷ କୋଭିଡ୍ ଯୋଗୁଁ ନରେନ୍ଦ୍ରରେ ଚାପ ଖେଳିବାରୁ ବଞ୍ଚିତ ହୋଇଥିଲେ ମହାପ୍ରଭୁ (Mahaprabhu)। ଉଭୟ ବାହାର ଓ ଭିତର ଚନ୍ଦନ ଶ୍ରୀମନ୍ଦିର (Srimandir) ଭିତରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଚଳିତବର୍ଷ ନରେନ୍ଦ୍ରରେ ଚାପକ୍ରୀଡା ହେବ। ତେବେ ଏନେଇ ଚୁଡାନ୍ତ ନିଷ୍ପତି ମେ' ମାସ ୬ ତାରିଖ ଦିନ ହେବାକୁ ଥିବା ବୈଠକରେ ହେବ।
ସେପଟେ ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ (Lord Jagannath) ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା (Puri Rath Yatra)। ଆଉ ମେ ୧୫ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଅନୁକୂଳ ହେବ। ସେନେଇ ପର୍ଯ୍ଯାୟ କ୍ରମେ ରଥକାଠ ପହଞ୍ଚୁଥିବା ବେଳେ ମଙ୍ଗଳବାର ପ୍ରଥମଥର ଲାଗି ବୌଦ୍ଧ ବନଖଣ୍ଡରୁ ତିନୋଟି ଟ୍ରକ ଯୋଗେ ୯୬ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ଏଥିରେ ୪୦ଫୁଟିଆ ୫୧ ଖଣ୍ଡ ଓ ୨୦ଫୁଟିଆ ୪୫ଖଣ୍ଡ ଅସନ ଓ ଧଉରା କାଠ ରହିଛି। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି।
Also Read: ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ
ତେବେ ଆବଶ୍ୟକୀୟ ମୋଟ ୭୯୬ ଖଣ୍ଡ କାଠରୁ ଆଜି ପର୍ଯ୍ୟନ୍ତ ମୋଟ ୧୭୫ଖଣ୍ଡ ରଥଖଳାକୁ ଆସିଥିବା ବେଳେ କଟକ (Cuttack) ଖପୁରିଆ ସ'ମିଲ୍କୁ ଯାଇଛି ୨୭୬ ଖଣ୍ଡ କାଠ। ମୋଟ ୪୫୧ ଖଣ୍ଡ କାଠ ପହଂଚିଥିବା ବେଳେ ବଳକା ୩୪୫ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ। ତେବେ ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା। ଇତିମଧ୍ୟରେ ରାମନବମୀ ଦିନ କଟକ ଖପୁରୀଆ ସ'ମିଲରେ ରଥକାଠ ଚିରଟ ଅନୁକୂଳ ହୋଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି।
ସେପଟେ କୋଭିଡ୍ ସଂକ୍ରମଣ (Coronavirus) ବୃଦ୍ଧି ପାଉଥିବାରୁ ଚନ୍ଦନଯାତ୍ରା ପୂର୍ବରୁ ସମସ୍ତ ରଥନିର୍ମାଣ ସେବକ ଓ ପାଳିଆ ସେବାୟତ ଯେଭଳି ଦୁଇଟି ଡୋଜ ଟିକା ନେବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ଗତବର୍ଷ ବାହାର ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା କୋଭିଡର ସ୍ଥିତିକୁ ନେଇ ମନ୍ଦିର ଭିତରେ ବିନାଭକ୍ତରେ ଅନୁଷ୍ଠିତ ହୋଇଥିଲା। ଆଉ ବର୍ତ୍ତମାନ ପରିସ୍ଥିତିରେ ସେବାୟତଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି। ୩୮ଜଣ ସେବାୟତ ଓ ୧୮ଜଣ ସେମାନଙ୍କ ପରିବାର ସଦସ୍ଯଙ୍କୁ ମିଶାଇ ୫୬ଜଣ କୋରୋନା ପଜିଟିଭ୍ ବାହାରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ମିଶି ମୋଟ ୯୫ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବରିଷ୍ଠ ସେବାୟତ ମୃତ୍ୟୁବରଣ କରିଛନ୍ତି।