Puri: ଆସନ୍ତା ରଥଯାତ୍ରା ସମୟରେ ଖୋଲିବ ରତ୍ନଭଣ୍ଡାର (Ratna Bhandar) । କିନ୍ତୁ ଏବେ ଠାରୁ ପ୍ରକ୍ରିୟା ଆରମ୍ଭ କରାଯିବ । ପ୍ରଥମେ ଲେଜର ସ୍କାନିଂ କରାଯାଇ ବାହାର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ଛାତରୁ ପାଣି ଗଳି ସ୍ଥିତି ଦୁର୍ବଳ ଥିବ ତାହାର ମରାମତି କରାଯିବ । ତାପରେ ଭିତର ରତ୍ନଭଣ୍ଡାର ମରାମତି ଯଦି ଆବଶ୍ୟକ ପଡେ ତାହେଲେ ମରାମତି କରାଯିବ ବୋଲି ଆଜି ପରିଚାଳନା କମିଟି (Srimandir Managing Committee) ବୈଠକରେ ନିଷ୍ପତ୍ତି ହୋଇଛି ।


COMMERCIAL BREAK
SCROLL TO CONTINUE READING

ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ରତ୍ନଭଣ୍ଡାର ଖୋଲିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ମରାମତି ଦୃଷ୍ଟିରୁ ରତ୍ନଭଣ୍ଡାର ଖୋଲିବା ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ପରିଚାଳନା କମିଟି ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିବ । ରାଜ୍ୟ ସରକାର ୨୦୧୮ରେ ଯେଉଁ ନିୟମାବଳୀ ଅନୁସାରେ ରତ୍ନଭଣ୍ଡାର ଖୋଲିଥିଲେ ସେହି ଭଳି ରତ୍ନଭଣ୍ଡାର ଖୋଲିବେ ।


ସବୁଠାରୁ ବଡକଥା ହେଉଛି ରତ୍ନଭଣ୍ଡାରର ଭିତର ସ୍ଥିତି ତୁରନ୍ତ ଅନୁଧ୍ୟାନ କରିବା ପାଇଁ ଲେଜର ସ୍କ୍ରୀନିଂ ମେସିନ ଆବଶ୍ୟକ । ଦେଶରେ ମାତ୍ର ଗୋଟିଏ ଲେଜର ସ୍କ୍ରୀନିଂ ମେସିନ ରହିଛି ଯାହା ଓଡ଼ିଶା ଏଏସଆଇ ପାଖରେ ଅଛି । କିନ୍ତୁ ଏହି ମେସିନ ଗତକାଲି ରାତିରେ ଉତ୍ତରପ୍ରଦେଶର ଜ୍ଞାନବାପୀକୁ ପଠାଯାଇଛି । ତାହା କେବେ ଆସିବ ତାହା ଜଣାନାହିଁ । ସେପଟେ ରତ୍ନଭଣ୍ଡାରର ଲେଜର ସ୍କାନିଂ ଓ ମରାମତି ନେଇ ଏଏସଆଇର ପୂର୍ବରୁ ରହିଥିବା ସ୍ୱତନ୍ତ୍ର ଟେକନିକାଲ କମିଟିକୁ ସଂପ୍ରସାରିତ କରାଯିବ । ଏକ ହାଇ ଟେକ୍ନିକାଲ କମିଟି ଗଠନ କରାଯିବ । ଯେଉଁଥିରେ ସେବାୟତ ଓ ବହୁ ବରିଷ୍ଠ ଟେକ୍ନିକାଲ ସଦସ୍ଯ ଭାବେ ଏହି କମିଟିରେ ରହିବେ ।


ପ୍ରଥମେ ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ଏହି ହାଇ ଟେକନିକାଲ ଟିମ୍ ପଦକ୍ଷେପ ଗ୍ରହଣ କରିବ । ତାପରେ ରତ୍ନଭଣ୍ଡାର ଖୋଲିବା ପରେ ମରାମତିକୁ ପ୍ରାଥମିକତା ଦିଆଯିବ । ଏଥିସହିତ ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣାଳଙ୍କାରର ମଣତି କରାଯିବା ପାଇଁ ମଧ୍ୟ ସରକାରଙ୍କୁ ଚିଠି ଲେଖିବ ପରିଚାଳନା କମିଟି । ମଣତି ପାଇଁ ସରକାର ୨୦୧୮ମସିହା ଭଳି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।ରତ୍ନଭଣ୍ଡାର ଖୋଲିବା ସମୟରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯିବ ବୋଲି ଆଜି ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ଆସିଛି ।


ସେପଟେ ବନକଲାଗି ନିତି ବିବାଦ ଉପରେ ଆଲୋଚନା ହୋଇଛି । ଆସନ୍ତା ବୁଧବାର ଦିନ ବନକଲାଗି ହେବ । ପର୍ବପର୍ବାଣି ଥିଲେ ଗୁରୁବାର ଦିନ ହେବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିଲେ ଚାରିଦ୍ୱର ଖୋଲିବା ପାଇଁ ନିସ୍ପତ୍ତି ନିଆଯିବ । ସେବାୟତ ବାସଗୃହ ଯୋଜନା କାର୍ଯ୍ଯ ୨୦୨୪ସୁଦ୍ଧା ସରିବ ବୈଠକରେ ସ୍ଥିର ହୋଇଛି । ବୈଠକରେ ସ୍ଥାୟୀ ଅଧ୍ଯକ୍ଷ ଗଜପତି ମହାରାଜ ଦିବ୍ଯସିଂହ ଦେବ, ଉପମୂଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ପରିଚାଳନା କମିଟି ସଦସ୍ଯ ମାନେ ଉପସ୍ଥିତ ଥିଲେ ।


ଏହା ବି ପଢ଼ନ୍ତୁ: Suktel Project: ଦୁଃଖ ଦେଉଛି ସୁକତେଲ ପ୍ରକଳ୍ପ, ପାଣି ମାଡିଆସିବାରୁ ଇଷ୍ଟପ୍ରଭୁଙ୍କୁ ସାଙ୍ଗରେ ଧରି ଗାଁ ଛାଡିଲେ ଲୋକେ


ଏହା ବି ପଢ଼ନ୍ତୁ: Modi Surname Case: ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ 'ସୁପ୍ରିମ' ଆରାମ, ଦଣ୍ଡ ଉପରେ ଲାଗିଲା ରୋକ, ଜାଣନ୍ତୁ କେବେ ପାଇବେ ସଂସଦର ସଦସ୍ୟତା