ସମ୍ବଲପୁର: ଖୁଲମଖୁଲା ଚାଲିଛି ସରକାରୀ ଅର୍ଥର ଲୁଟ। ଯେଉଁଠି କୋଭିଡ ମହାମାରୀ ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁମୁଖୀ ଯୋଜନା ପ୍ରସ୍ତୁତ କରାଯାଇଛି। ହେଲେ ସେଠାରେ କିଛି ଲାଭଖୋର ଅଧିକାରୀ ଏଭଳି ଯୋଜନାର ମଜାକ ଉଡାଇଛନ୍ତି। ବୁର୍ଲା ଶ୍ମଶାନ ନିର୍ମାଣ କାର୍ଯ୍ୟରେ ସରକାରୀ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଗୋଟିଏ ପଟେ କୋରୋନା ମହାମାରୀ ସର୍ବତ୍ର ଆତଙ୍କ ଖେଳାଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କୋରୋନା ଆକ୍ରାନ୍ତ ଏବଂ ମୃତକଙ୍କ ପାଇଁ ଏକାଧିକ ଯୋଜନା ପ୍ରସ୍ତୁତ କରିଛନ୍ତି। କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ପ୍ରାଣ ହରାଇଥିବା ସଂକ୍ରମିତଙ୍କ ପାଇଁ ମଧ୍ୟ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି। ଏପରିକି ଅନ୍ୟ ରାଜ୍ୟକୁ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। 


ଏଭଳି କ୍ଷେତ୍ରରେ ରାଜ୍ୟର କିଛି ଲାଭଖୋର ମନୋବୃତ୍ତି ରଖୁଥିବା ଅଧିକାରୀ ଏହି ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ସ୍ୱାସ୍ଥ୍ୟନଗରୀ ବୁର୍ଲା ଶ୍ମଶାନ ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବୁର୍ଲା ବିଷ୍ଣୁମନ୍ଦିର ପଡା ହେଉ ଅଥବା ସେଣ୍ଟ୍ରାଲ ଲାଇନ ସ୍ଥିତ ଶ୍ମଶାନ ଏହାର ନିର୍ମାଣ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହି ମଶାଣୀରେ ସାଧାରଣ ତଥା କୋଭିଡ୧୯ ସଂକ୍ରମଣରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ଅନ୍ତିମ ସଂସ୍କାର କରାଯାଇଥାଏ। 


Also Read: ପଟ୍ଟା ଜମିକୁ ପୁଣି ଦଖଲକୁ ନେଲେ ଗ୍ରାମବାସୀ; ଦଙ୍ଗାର ରୂପ ନେବକି ଶ୍ମଶାନ?


ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଦୁଇ ମଶାଣୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ମଶାଣିର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରି କଠୋର ଦଣ୍ଡ ବିଧାନ କରାଯିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।


ସାଧାରଣ ଲୋକଙ୍କ ସହ କୋଭିଡ ଆକ୍ରାନ୍ତ ମୃତକଙ୍କ ଅନ୍ତିମ ସଂସ୍କାର ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ମିତ ଏହି ମଶାଣୀକୁ ଉପଯୋଗ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ କାର୍ଯ୍ୟ ପୂରଣ  ସମୟସୀମା ସମାପ୍ତ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। 


Also Read: ପଟା ଜମିରେ ସମାଧି ଦେବାକୁ ନେଇ ବିବାଦ


କେଉଁଠି ଚୌକି ଭାଙ୍ଗି ପଡ଼ିଲାଣିତ ଆଉ କେଉଁଠି ଲାଗିଥିବା ଟାଇଲ୍ସ ବାହାରି ପଡ଼ିଲାଣି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ମଶାଣିରେ ଶବ ସତ୍କାର କରିବାତ ଦୂରର କଥା ଏଠାରେ ଠିଆ ହେବା ମଧ୍ୟ କଷ୍ଟକର ହୋଇ ପଡୁଛି। ଟିକିଏ ପାଣିରେ କାଦୁଅରେ ପଚପଚ ହୋଇପଡିଛି ଏହି ମଶାଣି। ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ଯେ କିଭଳି ଭାବେ ସରକାରୀ ଅର୍ଥର ହରିଲୁଟ କରିଛନ୍ତି ଠିକାଦାର ଆଉ ବିଭାଗୀୟ ଅଧିକାରୀ। କାର୍ଯ୍ୟ ସରିନଥିଲେ ସୁଦ୍ଧା ଯଥା ପୂର୍ବ ତଥା ପରଂ ସ୍ଥିତିରେ ରହିଛି ଏହାର ଅବସ୍ଥା।