DhanuJatra 2025: ଭୁବନେଶ୍ୱର: ଆସନ୍ତା ୩ ଜାନୁଆରୀ ୨୦୨୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହି ଧନୁଯାତ୍ରାକୁ ଦିବ୍ୟ, ଭବ୍ୟ ଏବଂ ଆଡମ୍ବର ସହକାରେ ପାଳନ କରାଯିବା ନେଇ ସୂଚନା ଦେଇଛନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି କି ବରଗଡ଼ ଧନୁଯାତ୍ରାକୁ ଆନ୍ତର୍ଜାତୀୟ ସ୍ତରର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଧନୁଯାତ୍ରା ପାଇଁ ଅନୁଦାନ ରାଶିକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଧନୁଯାତ୍ରା ସିଧାପ୍ରସାରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ନିମନ୍ତେ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯିବାର ନିଷ୍ପତ୍ତି ନିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଧନୁଯାତ୍ରାରେ ଭାଗନେଇଥିବା ପ୍ରାୟ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ରାଶି ପ୍ରଦାନ କରାଯିବ। ପୂର୍ବ ବର୍ଷ ଗୁଡ଼ିକରେ ଧନୁଯାତ୍ରାରେ ଅଂଶଗ୍ରହଣ କରିଥିବା ବହୁ ଅଭିନେତାଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଧନୁଯାତ୍ରାର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ଏଲଇଡି ମାଧ୍ୟମରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ସ୍ଥାନରେ ଧନୁଯାତ୍ରାରେ ସିଧାପ୍ରସାରଣ କରାଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଧନୁଯାତ୍ରା ଚାଲୁଥିବା ସମୟରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଏବଂ ଦେସ ବାହାରୁ ଆସୁଥିବା ପ୍ରବାଶୀମାନେ ମଧ୍ୟ ଏ ସମ୍ପର୍କରେ ଅବଗତ ହୋଇପାରିବେ। ଏଥିପାଇଁ ଏକ ସ୍ୱତନ୍ତ୍ର ୱେବସାଇଟ ମଧ୍ୟ ପ୍ରସ୍ତୁତକରାଯାଇଛି। ଯେଉଁଥିରେ ଧନୁଯାତ୍ରା ସହିତ ଜଡିତ ଚିତ୍ରାୟନ, ପ୍ରାମାଣିକ ଦସ୍ତାବିଜ, ସମସ୍ତ ଦୃଶ୍ୟାବଳୀ, ସହରରେ ଥିବା ପ୍ରମୁଖ ହୋଟେଲ ପାର୍କିଂ ସ୍ଥାନ, ମହୋତ୍ସବ ସ୍ଥାନ ସମ୍ବନ୍ଧୀୟ ବିବରଣୀ ଏବଂ ଜିପିଏସ ସିଷ୍ଟମକୁ ମଧ୍ୟ ସ୍ଥାନିତ କରାଯିବ ବୋଲି ସୂଚନା ରହିଛି।