Doctor Kidnapped: ରାତି ଅଧରେ ଡାକ୍ତରଙ୍କୁ ଅପହରଣ, ପୋଲିସର ଛାନଭିନ ଜୋରଦାର
୪ମାସ ତଳେ ଡାକ୍ତର ଭୋଇ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହ ତାଙ୍କର ସଂପର୍କ ଭଲ ଥିଲା। ସମସ୍ତଙ୍କ ସହ ମିଳାମିଶା କରୁଥିଲେ।
Doctor Kidnaped: ଭୁବନେଶ୍ୱର: କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ଶନିବାର ବିଳମ୍ବିତ ରାତିରେ ଅପହରଣ କରାଯାଇଛି। ସରକାରୀ କ୍ବାର୍ଟର୍ସରୁ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। କୁହାଯାଉଛି କି ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଛନ୍ତି। ଯଦିଓ ଅମ୍ଳାନଙ୍କୁ କିଏ ଓ କାହିଁକି ଅପହରଣ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରିନାହିଁ। ସେପଟେ ରବିବାର ସକାଳେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଘଟଣାର ପୃଥକ ଭାବେ ତଦନ୍ତ ଚାଲିଛି। କେଉଁ କାରଣରୁ ଜଣେ ଡାକ୍ତରଙ୍କୁ ଅପହରଣ କରାଗଲା ସ୍ପଷ୍ଟ ହୋଇପାରିନି। ପୁଲିସ ଆଦୌ ମୁହଁ ଖୋଲୁନଥିବା କାରଣରୁ ସନ୍ଦେହ ବଢ଼ିବାରେ ଘନିଭୂତ ହୋଇଛି।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା କ୍ବାର୍ଟର୍ସରେ ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ସହ ଡାକ୍ତର ଅମ୍ଳାନ ରହୁଥିଲେ। ଶନିବାର ବିଳମ୍ବିତ ରାତିରୁ ତାଙ୍କ ପତ୍ତା ମିଳୁନି। ରବିବାର ସକାଳୁ କ୍ବାର୍ଟର୍ସ ନିକଟରୁ ସିପିଆଇ ମାଓବାଦୀ ଉଲ୍ଲେଖ ଥିବା ଗୋଟିଏ ଚିଠି ମିଳିଥିଲା। ସେଥିରୁ ମାଓବାଦୀ ଅପହରଣ କରିଥିବା ଅନୁମାନ କରାଯାଉଛି। ୪ମାସ ତଳେ ଡାକ୍ତର ଭୋଇ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହ ତାଙ୍କର ସଂପର୍କ ଭଲ ଥିଲା। ସମସ୍ତଙ୍କ ସହ ମିଳାମିଶା କରୁଥିଲେ। ତେଣୁ ତାଙ୍କୁ ଅପହରଣ କରିବା କଥାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କ୍ବାର୍ଟର୍ସରେ ରହୁଥିବା ଅନ୍ୟ ଦୁଇ ଡାକ୍ତରଙ୍କୁ ପୁଲିସ ପଚରାଉଚୁରା କରିଥିଲେ ସୁଦ୍ଧା କୌଣସି ସୁରାକ ମିଳିନି।
ଘର ବାହାରୁ ମିଳିଥିବା ଚିଠିକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି। ନିଜେ ଏସ୍ପି ନୀତୀଶ ୱାଧୱାନୀ କାଲିମେଳା ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ। ଏସ୍ଡିପିଓ ସଚିନ ପଟେଲଙ୍କ ନେତୃତ୍ବରେ ପୁଲିସ ତଦନ୍ତ କରୁଛି। ଡାକ୍ତରଖାନା କର୍ମଚାରୀ, କ୍ବାର୍ଟର୍ସରେ ରହୁଥିବା ସହକର୍ମୀ ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରାଯାଇଛି। ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ୍ ସଂଗ୍ରହ କରି ପୁଲିସ ଯାଞ୍ଚ କରୁଛି। ସିଡିଏମ୍ଓଙ୍କ ନିର୍ଦ୍ଦେଶରେ ଏଡିଏମ୍ଓ ଡାକ୍ତର ଆବିଦ ହୁସେନ ଖାନ ମଧ୍ୟ ଆଜି ସକାଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ତଦନ୍ତ କରିଛନ୍ତି। ଡାକ୍ତର ଅମ୍ଳାନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବାସିନ୍ଦା। ପୁଲିସ ଠାରୁ ସୂଚନା ପାଇ ତାଙ୍କ ପରିବାର କାଲିମେଳା ଆସୁଥିବା ସୂଚନା ମିଳିଛି।