ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି ସୁଭଦ୍ରା ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ରାଜ୍ୟସରକାରଙ୍କ ଯୋଜନା ‘ସୁଭଦ୍ରା’ ର ମାର୍ଗଦର୍ଶୀକା ଜାରି କରାଯାଇଛି। ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ ସେଥିପାଇଁ ଏହି ମାର୍ଗଦର୍ଶୀକା ପ୍ରସ୍ତୁତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ମାର୍ଗଦର୍ଶୀକା ଅନୁଯାୟୀ ହିତାଧିକାରୀଙ୍କ ବୟସ ୨୧ବର୍ଷ କିମ୍ବା ତଦୁର୍ଦ୍ଧ ଓ ୬୦ବର୍ଷରୁ କମ୍ ହେଇଥିବା ଆବଶ୍ୟକ। ଯୋଗ୍ୟ ମହିଳାଙ୍କ କେବଳ ନିଜ ନାମରେ ଆଧାରକାର୍ଡ/ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାରକାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ (କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟ) ଥିବା ସହ ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ନିହାତି ଆବଶ୍ୟକ। ସହଜ କାରବାର କରିବା ପାଇଁ ସମସ୍ତ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ ପ୍ରଦାନ କରାଯିବ। ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦,୦୦୦ ହାରରେ ୫୦,୦୦୦ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନ ଦିବସରେ ଓ ଦ୍ବିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ। 


ମହିଳାମାନଙ୍କ ମଧ୍ୟରେ ଡିଜିଟାଲ ଆର୍ଥିକ ସାକ୍ଷରତାକୁ ବ୍ୟାପକ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ସଂସ୍ଥାରୁ ସର୍ବାଧିକ ଡିଜିଟାଲ କାରବାର କରୁଥିବା ୧୦୦ଜଣ ମହିଳାଙ୍କୁ ଅତିରିକ୍ତ ୫୦୦ଟଙ୍କା ପୁରସ୍କାର ଆକାରରରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। 


ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁଦୃଢ କରିବା ପାଇଁ ସୁଭଦ୍ରା ଯୋଜନା ଏକ ପଦକ୍ଷେପ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଏହି ମାର୍ଗଦର୍ଶୀକା ଜାରି କରାଯାଇଛି। ଏହି ଯୋଜନା ସମ୍ବନ୍ଧୀୟ କୌଣସି ଭୁଲ ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରାଯାଇଛି।