ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଡିସେମ୍ବର ୩୦ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନ ଉଭୟ ସରକାରୀ ଓ ବିରୋଧୀ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଷୋଡ଼ଶ ବିଧାନସଭା ଶେଷ ପୂର୍ବରୁ ଯଦିଓ ଆଉ ଏକ ଅଧିବେଶନ ସୂଚନା ରହିଛି କିନ୍ତୁ ତାହା ସ୍ୱଳ୍ପକାଳୀନ ହେବ। ଏଣୁ ଏହି ଅଧିବେଶନରେ ସରକାରଙ୍କ ପକ୍ଷରୁ ନିର୍ବାଚନ ପ୍ରତିଶୃତି ପୂରଣ ତଥା ଆସନ୍ତା ନିର୍ବାଚନ ଜିତିବାକୁ ଅନେକ ନୂଆ ନୀତି ଘୋଷଣା ହୋଇପାରେ। ଅପରପକ୍ଷେ ବିରୋଧୀଙ୍କ ପାଖରେ ସରକାରୀ ଦଳକୁ ସମାଲୋଚନା କରିବା ତଥା ଯୁକ୍ତି ସଙ୍ଗତଭାବେ ରାଜ୍ୟବାସୀଙ୍କ ଦାବିକୁ ସରକାରଙ୍କ ପାଖରେ ରଖିବା ଲାଗି ଏହାଠୁ ବଳି ଉତ୍‍କୃଷ୍ଟ ସମୟ ଆଉ ରହି ନ ପାରେ।  


COMMERCIAL BREAK
SCROLL TO CONTINUE READING

ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗୃହର ପରମ୍ପରା ଅନୁସାରେ ଶାସକ ଦଳ ପକ୍ଷରୁ ଜି ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନଙ୍କ ନାମ ମୁଖ୍ୟମନ୍ତ୍ରୀ ଗୃହରେ ପ୍ରସ୍ତାବ ଆକାରରେ ରଖିଥିଲେ। ଏହାପରେ ବିରୋଧୀ ଦଳ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି  ଏବଂ କଂଗ୍ରେସ ପକ୍ଷରୁ ଦାଶରଥି ଗମାଙ୍ଗ ତାଙ୍କୁ ସ୍ୱାଗତ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ। ଗୃହରେ ଏକମାତ୍ର ପ୍ରାର୍ଥୀ ଥିବାରୁ ସାଲୁଗା ପ୍ରଧାନଙ୍କୁ ଉପ ବାଚସ୍ପତି ଭାବେ ଘୋଷଣା କରାଯାଇଥିଲା।  


ବିଧିବଦ୍ଧ ଭାବେ ଉପ ବାଚସ୍ପତିଙ୍କ ଦାୟିତ୍ୱ ଗ୍ରହଣ ପରେ ଅଧିବେଶନ ଆରମ୍ଭ ହୋଇଥିଲା।  ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚନୀ ଅନୁସାରେ ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik) । ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତି, ପୂର୍ବତନ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର ସରୋଜ କୁମାର ଦାସ, ପୂର୍ବତନ କନେଷ୍ଟବଳ ବି.ଏସ.ଏଫ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ।  


ଏହାପରେ ବରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦିବଂଗତଙ୍କ ସ୍ମୃତିଚାରଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ  ଗ୍ରହଣ କରିଥିଲେ। ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟ ଉଭୟ ଓଡ଼ିଆ ଓ କୋଶଳୀ ଭାଷାରେ ରଖିଥିଲେ। ଶୋକ ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ କାର୍ଯ୍ୟକୁ ଆସନ୍ତା କାଲି ଯାଏ ମୁଲତବୀ ଘୋଷଣା କରିଥିଲେ।


Also Read- ଡିବିରି ଆଲୁଅରେ ଗାଁ, ନାହିଁ ବିଦ୍ୟୁତ ସେବା, ପାଠ ପଢା ମୁଖ୍ୟ ସମସ୍ୟା !


Also Read- World Cup 2023: ବିଶ୍ୱକପ ହାରିବା ପରେ ଭାଙ୍ଗି ପଡିଥିଲେ ସାମି-ଜାଡେଜା, ଏମିତି କହିଲେ ପିଏମ ମୋଦୀ