Top 10 News Headlines:


COMMERCIAL BREAK
SCROLL TO CONTINUE READING

1- ନୂଆ ପୋଲିସ କମିଶନରଙ୍କ ଦାୟିତ୍ୱ ଗ୍ରହଣ: ଆଜି ରାଜଧାନୀ ଭୁବନେଶ୍ୱରରେ ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ସଂଜୀବ ପଣ୍ଡା । ବିଧିବଦ୍ଧ ଭାବେ ଆଜି ଏହି ଦାୟିତ୍ୱ ଗ୍ରହଣ ପର୍ବ ପାଳନ ହୋଇଛି । ବିଦାୟ ନେବା ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କୁ ସମସ୍ତ ଦାୟିତ୍ୱ ସମର୍ପଣ କରିଛନ୍ତି । ଆଜି ନୂତନ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସଂଜୀବ ପଣ୍ଡା କହିଛନ୍ତି ଯେ, ପୋଲିସକୁ ସାଧାରଣ ଜନତାଙ୍କ ସହଯୋଗର ଆବଶ୍ୟକତା ରହିଛି । ସାଧାରଣ ଲୋକଙ୍କ ସହଯୋଗରେ ହିଁ କମିଶନରେଟ ପୋଲିସ ଆଗକୁ ବଢିପାରିବ । ଅନ୍ୟପଟେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଦିଆଯାଇଛି । ସେଠାରେ ମଧ୍ୟ ସେ ସମସ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିବେ ବୋଲି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାବାର୍ତ୍ତା ଦିଆଯାଇଛି ।


2- ଝିଅଟିଏ ପାଇଁ ୫୦ ଲକ୍ଷର ମନ୍ଦିର: କୋଳରେ ଝିଅଟିଏ ଜନ୍ମ ହେଉ ବୋଲି ମାନସିକ କରିଥିଲେ ପ୍ରଭୁ ଗଜାନନଙ୍କ ନିକଟରେ । ଭଗବାନ ଦମ୍ପତ୍ତିଙ୍କ ଇଚ୍ଛା ପୂରଣ କରିବା ପରେ ମାନସିକ ଅନୁଯାୟୀ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ଦମ୍ପତ୍ତି ତୋଳିଦେଲେ ପ୍ରଭୁ ଗଣେଶଙ୍କ ମନ୍ଦିର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ରାଜୁଆପଡା ଅଞ୍ଚଳରେ । ଗତ ଜାନୁଆରୀ ୧୮ ତାରିଖରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ପ୍ରତିକ୍ରିୟା ଦେଇ ଦମ୍ପତ୍ତି କହିଛନ୍ତି ଯେ, ଆମ ସମାଜରେ ପୁଅ, ଝିଅ ଉଭୟଙ୍କର ସମାନ ଅଧିକାର ରହିଛି ।


3- ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍: ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ।  ଆସନ୍ତା ଫେବୃଆରୀ ୨୭ ତାରିଖରେ ହେବ ନିର୍ବାଚନ ବୋଲି ଜଣାପଡିଛି। ୧୫ଟି ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଓଡ଼ିଶାରେ ଖାଲିପଡିଥିବା ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ଫେବୃଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଫେବୃଆରୀ ୧୫ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ଏବଂ ୧୬ରେ ଯାଂଚ ପ୍ରକ୍ରିୟା କରାଯିବା ସହ ୨୦ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଅନ୍ୟପଟେ ଏପ୍ରିଲ୍ ୩ରେ ଓଡି଼ଶାର ତିନି ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଇଛି। ସେମାନେ ହେଲେ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବ।


4- ନବ ଦାସଙ୍କ ହତ୍ୟାକୁ ପୂରିଲା ବର୍ଷେ:  ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜିକୁ (ଜାନୁଆରୀ ୨୯ ତାରିଖ ୨୦୨୩) ବର୍ଷେ ପୁରିଛି। ଠିକ୍ ଆଜିକା ଦିନରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବର୍ଷେ ପୂରିଛି ସତ ହେଲେ କାହିଁକି ଏବଂ କେଉଁ  କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ଏବେ ବି ରହସ୍ୟ ଘେରରେ ରହିଛି। 


5- ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ଲାଲୁ ପ୍ରସାଦ ଯାଦବ:  ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଆଜି ଇଡି ଆଗରେ ହାଜର ହୋଇଛନ୍ତି। ED ଜମି ବଦଳରେ ରେଲୱେ ଚାକିରି ଘୋଟାଲା ସହ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ପଚରାଉଚୁରା ପାଇଁ ଡକାଇଥିଲେ। ସମନ ଅନୁଯାୟୀ, ଲାଲୁ ପ୍ରସାଦଙ୍କୁ ଆଜି ଅର୍ଥାତ୍ ୨୯ ଜାନୁଆରୀରେ ହାଜର ହେବାକୁ କୁହାଯାଇଥିଲା। ଯେଉଁଠାରେ ତେଜସ୍ୱୀଙ୍କୁ ୩୦ ଜାନୁଆରୀରେ ଡକାଯାଇଛି।


6- ବିଧାୟକ ଜୟ ନାରାୟଣ ପତ୍ନୀଙ୍କ ନାଁରେ ଆସିଲା ସଙ୍ଗୀନ୍ ଅଭିଯୋଗ:  ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାଁ ରେ ଗୁରୁତର ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଅନ୍ନପୂର୍ଣ୍ଣା ବାରିକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନମସ୍କାର କରୁଛ ମୋ ଝିଅକୁ କାହିଁକି ନମସ୍କାର କରୁନାହଁ ବୋଲି ଜୟ ନାରାୟଣଙ୍କ ଫୋନରେ ତାଙ୍କ ସ୍ତ୍ରୀ କହିଥିବାର ଅଭିଯୋଗ କରିଛନ୍ତି ଅନ୍ନପୂର୍ଣ୍ଣା । ତା ସହ ତାଙ୍କୁ ଏ ପଦବୀ କିଏ କରେଇଥିଲା ଓ ତାଙ୍କୁ ପରିଚୟ କିଏ ଦେଇଥିଲା ବୋଲି ମଧ୍ୟ ଜୟ ନାରାୟଣଙ୍କ ସ୍ତ୍ରୀ କହିଥିବାର ଅଭିଯୋଗ ମଧ୍ୟ ହୋଇଛି । କିଛି ଦିନ ହେବ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଝିଅ ସମ୍ବଲପୁର ଆସିଥିଲେ । 


7- ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡି ଟିମ୍: ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ଦିଲ୍ଲୀର ଶାନ୍ତି ନିକେତନରେ ଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଛି। ଲ୍ୟାଣ୍ଡ ଡିଲ୍ ସ୍କାମରେ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବାକୁ ଇଡି ସମୟ ମାଗିଥିଲା। ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏକ ନୂତନ ସମନ ଜାରି କରିବା ପରେ ହେମାନ ସୋରେନ ୨୮ ଜାନୁଆରୀରେ ହଠାତ୍ ଦିଲ୍ଲୀ ଯାଇଥିଲେ। ହେମନ୍ତ ସୋରେନଙ୍କୁ ଏପର୍ଯ୍ୟନ୍ତ ନଅଟି ସମନ ଜାରି କରାଯାଇଛି। ଅଷ୍ଟମ ସମନ ସମୟରେ ତାଙ୍କୁ ଜାନୁଆରୀ ୬ ରୁ ଜାନୁୟାରୀ ୨୦ ମଧ୍ୟରେ ପଚରାଉଚରା କରିବାକୁ କୁହାଯାଇଥିଲା।


8 - ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ବଞ୍ଚାଅ ସମାବେଶ:  ଆଜି ଭୁବନେଶ୍ୱରରେ ଓଡ଼ିଶା ବଞ୍ଚାଅ ସମାବେଶ ଆୟୋଜନ କରାଯାଉଛି। ବିଭିନ୍ନ ଆଡ଼ୁ କଂଗ୍ରେସ କର୍ମୀ ଓ ସାଧାରଣ ଲୋକ ଭୁବନେଶ୍ବର ଆସିଛନ୍ତି । ଏଥିରେ କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେଇଛନ୍ତି। ନିର୍ବାଚନ ପୂର୍ବରୁ ଶ୍ରୀ ଖଡ଼ଗେଙ୍କ ଆସିବା ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ସମାବେଶକୁ ଉଦ୍‍ବୋଧନ ଦେବା ସହ ପ୍ରଦେଶ କଂଗ୍ରେସ କମିଟିର ଉତ୍ସାହକୁ ସେ ଆହୁରି ବଢାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।


9- ବିଏସ୍‍କେଓ୍ୱାଇ ନବୀନ କାର୍ଡ ପାଇଁ ଆବେଦନ ତାରିଖ ସମ୍ପ୍ରସାରଣ: ଫେବୃୟାରୀ ୮ ତାରିଖ ଯାଏ ବିଏସ୍‍କେଓ୍ୱାଇ ନବୀନ କାର୍ଡ ପାଇଁ ଇଚ୍ଛୁକ ଆବେଦନକାରୀ ଆବେଦନ କରିପାରିବେ। ଏହା ଏକ ଚିକିତ୍ସା କାର୍ଡ। ଯାହା ମାଧ୍ୟମରେ ଓଡ଼ିଶା ସରକାର କାର୍ଡଧାରୀଙ୍କୁ ଘରୋଇ ହସ୍‍ପିଟାଲ୍‍ରେ ସୁପର ସ୍ପେଶାଲିଟି ଚିକିତ୍ସାକୁ ମାଗଣାରେ ସମ୍ପାଦନ କରିବା ଲାଗି ଗ୍ୟାରେଣ୍ଟି ପ୍ରଦାନ କରିଥାନ୍ତି। ପୂର୍ବରୁ ଏଥିପାଇଁ ଆବେଦନ ତାରିଖକୁ ଜାନୁୟାରୀ ୨୮ ତାରିଖ ଯାଏ ସ୍ଥିର କରାଯାଇଥିଲା। 


10- ୩୧ରୁ ବଦଳିବ ପାଗ: ରାଜ୍ୟରେ ଜାରି ରହିଛି ଶୀତର ଲହରୀ ।  ଆଉ ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଗକୁ ଆସୁଛି ବର୍ଷା। ରାଜ୍ୟର କିଛି ସ୍ଥାନରେ ୪ ଦିନ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମା ଝଡ଼ ପ୍ରଭାବରେ ୩୧ରୁ କାଁ ଭାଁ ହାଲୁକା ବର୍ଷା ହୋଇପାରେ। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ଉମା ଶଙ୍କର ଦାସ୍  କହିଛନ୍ତି ଯେ, ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩୧ ତାରିଖ ପର୍ଯ୍ଯନ୍ତ କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ଅଛି। କିନ୍ତୁ ଅଧିକ ବର୍ଷା ବା ବିସ୍ତୁତ ଅଞ୍ଚଳରେ ବର୍ଷା ହେବନି ।


Also Read- ଝିଅଟିଏ ପାଇଁ କରିଥିଲେ ମାନସିକ, ଇଚ୍ଛା ପୂରଣ ପରେ ଗଢିଦେଲେ ମନ୍ଦିର


Also Read- ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା