School Re-Open: ଭୁବନେଶ୍ୱର: ଚାଲିଛି ଖରାଛୁଟି। ଖରାଛୁଟି ସରିବା ପରେ ଖୋଲିବାକୁ ଯାଉଛି ସ୍କୁଲ। ଆସନ୍ତା ମଙ୍ଗଳବାର ୧୮ ଜୁନ ୨୦୨୪ ଠାରୁ ଖୋଲିବାକୁ ଯାଉଛି ସ୍କୁଲ। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସ୍କୁଲର ସମସ୍ତ ଶ୍ରେଣୀ ଗୃହଠାରୁ ଆରମ୍ଭ କରି କ୍ୟାମ୍ପସ ସବୁ ସ୍ଥାନକୁ ଯାଞ୍ଚ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା କାଲି ଶିକ୍ଷକ, ପାଚିକା ଓ ସହାୟିକା ସ୍କୁଲ ଆସିବେ। ରୋଷେଇଶାଳାକୁ ଯାଞ୍ଚ କରିବେ। ରୋଷେଇ ସାମଗ୍ରୀକୁ ମଧ୍ୟ ଯାଞ୍ଚ କରିବେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ତେବେ ସ୍କୁଲର ପରିସର ଓ ସେଠାରେ ଥିବା ସମସ୍ତ ଉପକରଣର ଯତ୍ନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସ୍କୁଲ ଖୋଲିବା ପୂର୍ବରୁ ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଅନୁଯାୟୀ ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ। ସ୍କୁଲ ପାଣିଟାଙ୍କିକୁ ସଫା କରାଯିବ। ଆସବାବପତ୍ରକୁ ସଫା କରାଯିବା ସହିତ ପିଲା ବସିବା ପାଇଁ ଉପଯୋଗୀ କରାଯିବ। ଶୌଚାଳୟକୁ ନିଶ୍ଚିତ ଭାବେ ସଫେଇ କରାଯିବ। ଏହାର ଏକ୍ସପାରୀ ତାରିଖକକୁ ଯାଞ୍ଚ କରି ରଖାଯିବ। ନୂଆ ସାମଗ୍ରୀ ଅଣାଯିବ। ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇ ରଖାଯିବ। ଇଣ୍ଟରନେଟ ସଂଯୋଗକୁ ନିଶ୍ଚିତ କରାଯିବ। ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ। ପିଲାଙ୍କୁ ଶୁଦ୍ଧ ପାଣି ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ। 


ସେହିପରି ସ୍କୁଲ ଖୋଲିବା ଦିନ ଠାରୁ ମଧ୍ୟାହ୍ନ ଭୋଜନ ଦିଆଯିବ। ତେଣୁ ରୋଷେଇଶାଳ, ବାସନ, ଗ୍ୟାସ ଷ୍ଟୋଭ ସବୁକୁ ସଫା କରାଯିବ। ସମସ୍ତ ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀକୁ ଯାଞ୍ଚ କରାଯିବ। ତେଣୁ ସ୍କୁଲ କର୍ତ୍ତୃପକ୍ଷ ପାଚିକାଙ୍କୁ ରୋଷେଇ ସାମଗ୍ରୀ ହସ୍ତାନ୍ତର କରିବା ପୂର୍ବରୁ ଯାଞ୍ଚ କରିବାକୁ କୁହାଯାଇଛି।