VSSUT Student Death Case: ସମ୍ବଲପୁର (sambalpur) ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ (VSSUT Student chinmayee Sahoo Death case) ଆସିଲା ନୂଆ ମୋଡ଼ । ମୃତ୍ୟୁର ଦୁଇ ମାସ ପରେ ସାମ୍ନାକୁ ଆସିଛି ଭିସେରା ରିପୋର୍ଟ (viscera report) । ଏଥିରେ ଛାତ୍ରୀ ଜଣଙ୍କ ଆଲକହଲ ସେବନ କରିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଏନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ସୂଚନା ଦେଇ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ଚିନ୍ମୟୀ ମଦ ପିଇଥିଲେ । ସେଦିନ ରାତିରେ ଚିନ୍ମୟୀ ଓ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ହୋଟେଲରେ ମିଶି ମଦ ପିଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । କିନ୍ତୁ ପୂର୍ବରୁ ଆସିଥିବା ଡ଼ାୟାଟମ୍ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ିବା ଯୋଗୁଁ ହୋଇଥିବା ଦର୍ଶାଯାଇଥିଲା । ତେବେ ମୃତ୍ୟୁର ଦୀର୍ଘଦିନ ପରେ ବି ଚିନ୍ମୟୀ ସାହଙ୍କ ମୃତ୍ୟୁର ସଠିକ୍ କାରଣ ଖୋଜି ପାରିନି ପୋଲିସ।


COMMERCIAL BREAK
SCROLL TO CONTINUE READING

 



ସୂଚନାଯୋଗ୍ୟ, ଗତ ଫେବ୍ରୃୟାରୀ ମାସ ୨୮ ତାରିଖରେ ଚିନ୍ମୟୀଙ୍କ ତାଙ୍କ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ଲାଗି ଭିସୁଟ୍ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ସେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହ ନିକଟସ୍ଥ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ଏମିତି କି ରାତିରେ ଭୁବନେଶ୍ବର ଯିବା ଲାଗି ଟିକେଟ୍ ମଧ୍ୟ କରିଥିଲେ । କିନ୍ତୁ ସେ ଦିନ ରାତିରେ ରହସ୍ୟମୟ ଭାବେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା । ପାୱାର ଚାନେଲର ଜଳରାଶି ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ  ଖବର ପାଇଥିଲେ । ଝିଅ ଆତ୍ମହତ୍ୟା କରିନଥିବା ବରଂ ତାକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରେ ଏହି ଘଟଣାରେ ପୁରୁଷ ବନ୍ଧୁ ପ୍ରୀତିମାନ ଓ ତାଙ୍କ ସାଙ୍ଗ ମାନସଙ୍କ ଲାଇ ଡ଼ିଟେକ୍ସନ ଟେଷ୍ଟ ମଧ୍ଯ କରାଯାଇଥିଲା । ଏଥିରେ ସେମାନେ କୌଣସି ଭୁଲ ତଥ୍ୟ ଦେଇନଥିବା ପୋଲିସ କହିଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଖୋଜୁଛି ପୋଲିସ । ଇତି ମଧ୍ୟରେ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଡାଏଟମ୍  ରିପୋର୍ଟ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ଉଭୟ ରିପୋର୍ଟରେ ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ିବା ଯୋଗୁଁ ହୋଇଥିବା ଦର୍ଶାଯାଇଛି । ତେବେ ଦୁର୍ଘଟଣାବଶତଃ ପାଣିରେ ବୁଡ଼ି ନା କେହି ବଳ ପ୍ରୟୋଗ କରି ତାଙ୍କୁ ହତ୍ୟା କରିଛି ସେ ନେଇ ପୋଲିସକୁ କୌଣସି ଠେସ୍ ପ୍ରମାଣ ମିଳି ପାରିନାହିଁ ।


ପ୍ରକାଶ ଥାଉ କି, ଏହି ମାମଲାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, “ଯଦି ଉପଯୁକ୍ତ ତଦନ୍ତ ନ ହେବ ତା ହେଲେ ପାୱାର ଚ୍ୟାନେଲ ଚିନ୍ମୟୀ ମୃତ୍ୟୁ ଘଟଣା କଥା ବିଧାନସଭାରେ ଉଠିବ । ରାଜ୍ୟର ଜଣେ ପ୍ରତିପତ୍ତିଶାଳୀ ଅଧିକାରୀଙ୍କର ପୁଅଙ୍କ ସମୃକ୍ତି ଏହି ଘଟଣାରେ ରହିଛି , ସେହି ପ୍ରଭାବଶାଳୀ ବ୍ୟକ୍ତି ପ୍ରଭାବ ପକାଇ ତଦନ୍ତକୁ ବାଟବଣା କରୁଛନ୍ତି” । ସେପଟେ ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ ଯେ, “ଚିନ୍ମୟୀର ଦୃଢ ମନୋବଳ ଥିଲା। ସେ ଆତ୍ମହତ୍ୟା କରିନାହିଁ। ପୋଲିସ ତଦନ୍ତ ଉପରେ ସନ୍ଦେହ ହେଉଛି। କାରଣ ପ୍ରୀତିମାନଙ୍କ ବାପା ପ୍ରଣବ ଦେ ଗୃହ ବିଭାଗର ଯୁଗ୍ମ ସଚିବ ଅଛନ୍ତି। ତେଣୁ ବ୍ୟବଚ୍ଛେଦ ରିପୋର୍ଟରେ ବ୍ୟତିକ୍ରମ ଦେଖାଦେବା ସମ୍ଭାବନା ରହିଛି। ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର। ବ୍ୟବଚ୍ଛେଦ ଉପରେ ତାଙ୍କର ଅଭିଜ୍ଞତା ରହିଛି”।


ଏହା ବି ପଢନ୍ତୁ-Bhubaneswar News: ୮ ମହଲାରୁ ଖସି ଆଇନ ଛାତ୍ରଙ୍କ ମୃତ୍ୟୁ; ଦୁର୍ଘଟଣା ନା ହତ୍ୟା? ତଦନ୍ତୁ କରୁଛି ପୋଲିସ