2024 General Election: ଭୁବନେଶ୍ୱର(ମଳୟ ମହାନ୍ତି): ଦ୍ଵିତୀୟ ଦିନରେ ବିଜେପି ଓ ବିଜେଡିର ଦମଦାର ସୋ। ୨୦୨୪ରେ ସଫଳ ହେବାକୁ ଉଭୟ ଦଳର ଜୋରଦାର ପ୍ରୟାସ। କର୍ମୀଙ୍କ ମଧ୍ୟରେ ଭରପୁର ଜୋଶ ଭରିବାକୁ ପ୍ରୟାସ କରିଛନ୍ତି ଉଭୟ ଦଳ। ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଡବଲ ଇଞ୍ଜିନ ସରକାରର କଥା ଉଠାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ସେପଟେ ବିଜେଡି ମଧ୍ୟ ନିଜ ନେତା କାର୍ଯ୍ୟକର୍ତାଙ୍କୁ ପଦଯାତ୍ରା ବେଳେ ସରକାରଙ୍କ ଯୋଜନା ଓ ଭଲ କାର୍ଯ୍ୟ ସମ୍ପର୍କରେ ଅବଗତ କରିବାକୁ ଆହ୍ୱାନ ଦେଇଛି।


COMMERCIAL BREAK
SCROLL TO CONTINUE READING

ଓଡିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବା ଦରକାର। ଉପରେ ମୋଦି ତଳେ ମଧ୍ୟ ବିଜେପି ହେବା ଆବଶ୍ୟକ । ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଏଭଳି ଢଙ୍ଗରେ କାର୍ଯ୍ୟକର୍ତା ଙ୍କୁ ଆହ୍ୱାନ ଦେଇଛନ୍ତି ଜେପି ନଡ୍ଡା। ଆଗାମୀ ୨୫ ବର୍ଷ ଦେଶକୁ ବିକଶିତ କରିବା ପାଇଁ ମୋର୍ଚ୍ଚାକୁ ଦେଲେ ଆହ୍ୱାନ । ବିକଶିତ ଓଡିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବାକୁ ପଡ଼ିବ । ଓଡିଶାରେ ପଦ୍ମ ଫୁଟାଇବାକୁ ପଡ଼ିବ ବୋଲି କହିଛନ୍ତି ନଡ୍ଡା। ମନରେଗା କାମରେ ହେଉଥିବା ନକଲି ବିଲ ବିରୋଧରେ ଲଢ଼ିବାକୁ ପଡ଼ିବ । ଏହି ଭ୍ରଷ୍ଟାଚାରୀ ସରକାର ବିରୋଧରେ ଲଢ଼ିବାକୁ ପଡ଼ିବ। ଲୋକଙ୍କ ପାଖକୁ ଯାଇ ଏ ସବୁ ବୁଝାଇବାକୁ ଆହ୍ୱାନ ଦେଇଛନ୍ତି ନଡ୍ଡା।


ସମସ୍ତେ ଅପେକ୍ଷାରେ ଥିଲେ ବିଜେପିର ରାଜନୈତିକ ଦିଗ କଣ ହେବ ସମସ୍ତେ ଚର୍ଚା କରୁଥିଲେ । କିନ୍ତୁ ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳକୁ ମାର୍ଗ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋର୍ଚ୍ଚା କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି। ମୋର୍ଚ୍ଚାରେ ଅଧିକ ଲୋକଙ୍କୁ ଯୋଡ଼ିବାକୁ ପଡ଼ିବ । ମୋର୍ଚ୍ଚାମାନେ ଯେପର୍ଯ୍ୟନ୍ତ ଅଧିକ ପରିଶ୍ରମ କରିବେ ନାହିଁ, ଓଡିଶାରେ ସରକାର ଗଠନ ହୋଇପାରିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।


ବିଜେଡିର ଜନସଂପର୍କ ପଦଯାତ୍ରା ପ୍ରସ୍ତୁତି ବୈଠକ ଉଦଯାପନ କାର୍ଯ୍ୟକ୍ରମରେ ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ଵିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି। 


ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଓ ସ୍ୱଚ୍ଛ ଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ କିପରି ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗଉଛି, ତାହାର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବୈଠକରେ ଉପସ୍ଥିତ ଥିବା ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଦଳର ଜିଲ୍ଲା ଓ ବ୍ଳକ୍ କର୍ମକର୍ତାମାନଙ୍କୁ ମନ୍ତ୍ର ଦେଇଥିଲେ।ଦଳର ମନ୍ତ୍ରୀ ସାଂସଦ ମାନେ ନବୀନ ବାବୁଙ୍କ ଶାସନରେ ଓଡ଼ିଶାର ପ୍ରଗତି ସମ୍ପର୍କରେ କଥା ରଖିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ୫ଟି ରୂପାନ୍ତରୀକରଣର ସୁନେଲି ଚିତ୍ର ଉପସ୍ଥାପନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ -ଟି ମନ୍ତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ।


ସେପଟେ କଂଗ୍ରେସ ଉଭୟ ଦଳର କାର୍ଯ୍ୟକ୍ରମ କୁ ସମାଲୋଚନା କରିଥିବା ବେଳେ କଂଗ୍ରେସକୁ ହିଁ ଲୋକେ ବିକଳ୍ପ ଭାବେ ଗ୍ରହଣ କରିବେ ଓ ତା ପାଇଁ ସବୁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ପିସିସି ସଭାପତି।


ଅଧିକ ପଢନ୍ତୁ: Tejeswar Parida: ବିଜେପିରେ ଯୋଗଦେଲେ ତେଜେଶ୍ୱର