ଲୁକ୍କାୟିତ ଅବସ୍ଥାରେ ତ୍ରିଲୋଚନେଶ୍ୱର ମହାଦେବ, ଲିଙ୍ଗରାଜଠୁ ପୁରୁଣା ଏହି ମନ୍ଦିର
ଜଗତସିଂହପୁର ଜିଲ୍ଲାରେ ଅନେକ ଛୋଟ ବଡ଼ ମନ୍ଦିର ରହିଛି। ଏହି ଜିଲ୍ଲାର ଇଷ୍ଟଦେବୀ ତଥା ବାକଦେବୀ, ମା` ଶାରଳା ବାଣୀଦେବୀ ନାମରେ ବିଦୀତ ଥିବାରୁ ଏହାକୁ ବାଣୀକ୍ଷେତ୍ର ଓ ଜଗତତ୍ସିଂହପୁର ସହରକୁ ବାଣୀର ସହର ବୋଲି କୁହାଯାଏ।
ଜଗତସିଂହପୁର ଦିନେ କଟକ ଜିଲ୍ଲାର ଏକ ଅଂଶ ଥିଲା। ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୧ ଏପ୍ରିଲ ୧୯୯୩ରେ ଏହାକୁ ଏକ ନୂଆ ଜିଲ୍ଲା ଭାବରେ ଗଠନ କରାଗଲା। ଓଡ଼ିଶା ପୂର୍ବ ଉପକୂଳର ଏହି ସହର ଏକଦା ହରିଦ୍ରାବସନ, ପରବର୍ତ୍ତୀ ସମୟରେ ହରିହରପୁର ଓ ସମ୍ପ୍ରତି ଜଗତସିଂହପୁର ନାମରେ ପରିଚିତ ହେଲା। ଜଗତସିଂହପୁର ଜିଲ୍ଲାରେ ଅନେକ ଛୋଟ ବଡ଼ ମନ୍ଦିର ରହିଛି। ଏହି ଜିଲ୍ଲାର ଇଷ୍ଟଦେବୀ ତଥା ବାକଦେବୀ, ମା' ଶାରଳା ବାଣୀଦେବୀ ନାମରେ ବିଦୀତ ଥିବାରୁ ଏହାକୁ ବାଣୀକ୍ଷେତ୍ର ଓ ଜଗତତ୍ସିଂହପୁର ସହରକୁ ବାଣୀର ସହର ବୋଲି କୁହାଯାଏ।
ପ୍ରାଚୀନ କାଳରୁ ବିଭିନ୍ନ ଧର୍ମଧାରା ବୌଦ୍ଧ, ଜୈନ, ନାଥ, ଶାକ୍ତ, ଶୈବ, ଗାଣପତ୍ୟ, ବୈଷ୍ଣବ ଓ ଇସଲାମ ଧର୍ମ ଧାରା ପ୍ରବାହିତ ହୋଇଚାଲିଛି। ଜଗତତ୍ସିଂହପୁର ସହରର ଭୌମ ରାଜବଂଶର ରାଜତ୍ୱ କାଳରେ ମା' ଶାରଳାଙ୍କ ପୀଠ ପ୍ରତିଷ୍ଠା ହୋଇଥିବା ସୂଚନା ମିଳେ। କଳା, ସ୍ଥାପତ୍ୟ ପାଇଁ ଏ ଭୂମି ସାରା ଦେଶରେ ସୁଖ୍ୟତ। ଏହା ସହିତ ଜଗତସିଂହପୁର ଜିଲ୍ଲାରେ ଏକ ବହୁ ପୁରାତନ ମନ୍ଦିର ମଧ୍ୟ ରହିଛି। ହେଲେ ପ୍ରଶାସମିକ ଅବହେଳା କାରଣରୁ ତାହା ଲୁକ୍କାଇତ ରହିଯାଇଛି। ଜଗତସିଂହପୁର ସଦର ମହକୁମାରୁ ନାଉଗାଁ ବ୍ଲକର ଅଲଣାହାଟରୁ ୫ କିଲୋମିଟନ ଦୂର କୁଣ୍ଢେଶ୍ୱର ଗାଁରେ ରହିଛି ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର। କିନ୍ତୁ ଏହାର କଳା, ସ୍ଥାପତ୍ୟ ଲୋକଲୋଚନକୁ ଆସିପାରିନାହିଁ। କିମ୍ୱା ମନ୍ଦିର ଇତିହାସରେ ସ୍ଥାନ ପାଇପାରି ନାହିଁ।
Also Read: କନ୍ୟାଦାନ ପରମ୍ପରା: ଭାରତୀୟ ବୈବାହିକ ରୀତିନୀତିକୁ ଚ୍ୟାଲେଞ୍ଜ କରୁଛି ଏସବୁ ବିଜ୍ଞାପନ
ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଶୈବ ପୀଠ ହେଉଛି କୁଣ୍ଡେଶ୍ୱର ଗାଁରେ ଥିବା ଅଷ୍ଟମ ଶତାବ୍ଦୀରେ ନିର୍ମିତ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର। ଏହି ମନ୍ଦିରଟି ଲିଙ୍ଗରାଜ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ନିର୍ମିତ ହୋଇଥିବା ଜଣାଯାଏ। କୁହାଯାଏ, ବାରଗୋଟି ପୁର ବା ଗାଁକୁ ନେଇ ନଗ୍ରଟିଏ, କୁଣ୍ଡେଶ୍ୱର ନଗ୍ର ଓ ଏହି କୁଣ୍ଡେଶ୍ୱର ନଗ୍ରର ଅଧିଷ୍ଠାତା ଦେବତା ହେଉଛନ୍ତି ତ୍ରିଲୋଚନେଶ୍ୱର ଓ ଅଧିଷ୍ଠାତ୍ରୀ ଦେବୀ ହରଚଣ୍ଡୀ। ତ୍ରିଲୋଚନେଶ୍ୱର ମନ୍ଦିରଟି ଯେତିକି ପ୍ରାଚୀନ ଏହାର କାରୁକାର୍ଯ୍ୟ ସେତିକି ସୁନ୍ଦର ମଧ୍ୟ। କେଶରୀ ବଂଶୀୟ ଶାସକ ବିଶ୍ୱମ୍ୱରଙ୍କ ସମୟରେ ମନ୍ଦିରଟି ନିର୍ମାଣ ହୋଇଛି। ମୁଖ୍ୟ ମନ୍ଦିରଟି ରେଖ ଶୈଳୀରେ ନିର୍ମିତ ହୋଇଥିବା ବେଳେ ଜଗମୋହନଟି ପୀଢ଼ ଶୈଳୀରେ ନିର୍ମିତ ହୋଇଛି।
ତ୍ରିଲୋଚନେଶ୍ୱର ମନ୍ଦିରର ଚତୁର୍ପାର୍ଶ୍ୱରେ କେତେକ ଛୋଟ ଛୋଟ ମନ୍ଦିର ରହିଥିବା ଦେଖିବାକୁ ମିଳେ। ଉତ୍ତର ପାର୍ଶ୍ଵକୋଣରେ ତିନୋଟି ଛୋଟ ପୁରାତନ ମନ୍ଦିର ରହିଛି ଓ ଏ ସମସ୍ତ ମନ୍ଦିରରେ ଶିବଲିଙ୍ଗ ପୂଜା ପାଇଥାନ୍ତି। ମନ୍ଦିରଟିରେ ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଦୃଷ୍ଟିଗୋଚର ନ ହେଲେ ବି ପାର୍ଶ୍ଵ ଦେବଦେବୀଙ୍କ ଉପର ଓ ପାର୍ଶ୍ଵଭାଗ ତଥା ରାହୁମୁଖ ପାର୍ଶ୍ୱରେ କେତେକ କାରୁକାର୍ଯ୍ୟ ଦେଖିବାକୁ ମିଳେ। ହେଲେ ସମୟ ସ୍ରୋତରେ ରକ୍ଷଣାବେକ୍ଷଣ ଅଭାବରୁ ଏହି କାର୍ଯ୍ୟକାର୍ଯ୍ୟ କ୍ଷୁର୍ଣ୍ଣ ହୋଇଚିଲିଛି। ସ୍ଥାନୀୟ ପୂଜକଙ୍କ କହିବା ଅନୁସାରେ ମୁଖ୍ୟ ମନ୍ଦିରଟି ପାଖାପାଖି ୬ ଫୁଟ ମାଟି ତଳେ ପୋତିହୋଇ ରହିଛି। ମୁଖ୍ୟ ମନ୍ଦିର ଓ ଜଗମୋହନର ଉପରିଭାଗ ୧୯୭୨ ମସିହାରେ ପତ୍ନତତ୍ୱ ବିଭାଗ ଦ୍ୱାରା ପୁନଃ ଯୋଡ଼େଇ ହୋଇଛି। ଏହି ମନ୍ଦିର ପରିସରରୁ ଅନେକ ଛୋଟ ବଡ଼ ମୂର୍ତ୍ତି ମଧ୍ୟ ଚୋରି ହୋଇଯାଇଥିବା ଅଭିଯୋଗ ହୁଏ।
Also Read: ହସଖୁସିରେ କଟିବ ବୁଧବାର, ଏହି ରାଶିରେ ଅଛି ଧନ ପ୍ରାପ୍ତି ଯୋଗ
ତ୍ରିଲୋଚନେଶ୍ୱର ମନ୍ଦିରଠାରୁ ଶହେ ଫୁଟ ଦୂରରେ ଅଧିଷ୍ଠାତ୍ରୀ ଦେବୀ ହରଚଣ୍ଡୀଙ୍କ ମନ୍ଦିର ରହିଛି। ମାଆଙ୍କ ମୂର୍ତ୍ତିଟି ପ୍ରାଚୀନ ଓ କମନୀୟ। ତ୍ରିଲୋଚନେଶ୍ୱର ମନ୍ଦିରଠାରୁ ଅଧ କିଲୋମିଟର ଦୂର ସଠଳପୁରଠାରେ ଆଉ ଏକ ପୁରାତନ ଶିବ ମନ୍ଦିର ସିଦ୍ଧେଶ୍ୱର ବିଦ୍ୟମାନ ଅଛନ୍ତି। ସେଠାରେ ପ୍ରାକ ଐତିହାସିକ ଯୁଗର ଏକ ଶକ୍ତି ପୀଠ ସପ୍ତମାତୃକା ମନ୍ଦିର ମଧ୍ୟ ରହିଛି। ମାତ୍ର ଏହି ସପ୍ତମାତୃକା ମନ୍ଦିରରୁ ବରାହୀଙ୍କର କମନୀୟ ମୂର୍ତ୍ତି, ଗଣେଶ ଓ ବୀରଭଦ୍ରଙ୍କର ମୂର୍ତ୍ତି ଚୋରି ଯାଇଥିବା ସ୍ଥାନୀୟ ପୂଜକ କୁହନ୍ତି। ଏ ସମ୍ପର୍କରେ ଅଭିଯୋଗ ମଧ୍ୟ ହୋଇଛି। ଏଠାରେ ଏକପାଦ ଭୈରବଙ୍କ ଏକ ସୁନ୍ଦର ମୂର୍ତ୍ତି ଦେଖୁବାକୁ ମିଳେ। ଯାହା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ। ଜଗତସିଂହପୁର ଜିଲ୍ଲା ଅଲଣାହାଟରୁ ୫ କିଲୋମିଟର ଦୂରରେ କୁଣ୍ଡେଶ୍ୱର ଗାଁରେ ତ୍ରିଲୋଚନେଶ୍ୱର ମନ୍ଦିର ତଥା ଏହି ସମସ୍ତ ଐତିହାସିକ କୀର୍ତ୍ତିରାଜିକୁ ଦେଖିବାକୁ ପାଇ ପାରିବେ।