ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ
Advertisement

ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ବିଏମସି ପକ୍ଷରୁ ଆରଏମଆରସି ସହାୟତାରେ ରାଜଧାନୀ ଭୁବନେଶ୍ୱରରେ ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । 

ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ବିଏମସି ପକ୍ଷରୁ ଆରଏମଆରସି ସହାୟତାରେ ରାଜଧାନୀ ଭୁବନେଶ୍ୱରରେ ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । ଗତ ଜୁନ୍ ମାସର ସ୍ଥିତି ଅନୁଯାୟୀ ଜୁଲାଇ ମାସରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ସର୍ଭେରେ ସହରର ୧.୪୨ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡିଥିଲା । ହେଲେ ଜୁଲାଇ ଓ ଅଗଷ୍ଟରେ ରାଜଧାନୀରେ ସଂକ୍ରମଣ ସଂଖ୍ୟା ପ୍ରାୟ ୮ ହଜାର ବୃଦ୍ଧି ପାଇଥିବା ବେଳେ ସ୍ଥିତି ଉଦବେଗଜନକ ରହିଛି । ତେବେ ଏଯାବତ ସହରରେ କୋରୋନାର ସ୍ଥିତି ସହ ଗୋଷ୍ଠୀ ସଂକ୍ରମଣ ଜନିତ ଭୟ ପରଖିବା ପାଇଁ ଏହି ସର୍ଭେ ଆରମ୍ଭ ହୋଇଛି ।

ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି କି ରାଜଧାନୀ ? କେତେ ପ୍ରତିଶତ ଲୋକଙ୍କ ମଧ୍ୟରେ ବିକଶିତ ହେଲାଣି ଆଣ୍ଟିବଡି ? କେଉଁ ବର୍ଗର ଲୋକ ଅଧିକ ସଂକ୍ରମିତ ? ପ୍ରକୃତରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ? ରାଜଧାନୀରେ ଏସବୁ ସ୍ଥିତି ପରଖିବା ପାଇଁ ଆରଏମଆରସିର ବୌଷୟିକ ସହାୟତାରେ ବିଏମସି ପକ୍ଷରୁ ଚାଲିଥିବା ସେରୋ ସର୍ଭେର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଜୁନ୍ ପରେ ଏବେ ଜୁଲାଇ ଓ ଅଗଷ୍ଟରେ ରାଜଧାନୀରେ କୋରୋନା ସଂକ୍ରମଣର ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏପରି ସ୍ଥଳରେ ଗୋଷ୍ଠୀ ସଂକ୍ରମଣର ଏକପ୍ରକାର ଭୟ ରହିଥିବା ବେଳେ କେଉଁ ସ୍ଥାନର, କେଉଁ ବର୍ଗର ଲୋକ ମାନେ ଅଧିକ ସଂକ୍ରମିତ ଏବଂ ସେମାନଙ୍କ ଶରୀରରେ ଆଣ୍ଟିବଡିର ସ୍ଥିତି କଣ ଏବଂ କେତେ ଆକ୍ରାନ୍ତ ଓ କେତେ ବିନା ଚିକିସ୍ତ୍ରାରେ ସୁସ୍ଥ ହୋଇଛନ୍ତି ସବିଶେଷ ତଥ୍ୟ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ ଜଣାପଡିବ ।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ୧୫ଶହ ନମୂନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ୫ଟି ଟିମ୍ ମୋଟ ୧୫ଟି ୱାର୍ଡରୁ ନମୂନା ସଂଗ୍ରହ କରିବେ । ଯେଉଁସବୁ ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେସବୁ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ସର୍ଭେ କରାଯାଉଛି । ତେବେ ପୂର୍ବାପେକ୍ଷା ଏହି ସର୍ଭେରେ ରାଜଧାନୀବାସୀ ମାନେ ସ୍ୱତଃପ୍ରବୃତ ଭାବେ ସହଯୋଗ କରୁଥିବା ବେଳେ ଅଧିକରୁ ଅଧିକରୁ ଲୋକମାନଙ୍କ ଉପସ୍ଥିତି ପାଇଁ ନିବେଦନ କରିଛି ବିଏମସି ।

ଶନିବାର ଏହି ସର୍ଭେ ଶେଷ ହେବାକୁ ଥିବା ବେଳେ ଆସନ୍ତା ସପ୍ତାହରେ ଏହାର ଅନ୍ତରୀଣ ରିପୋର୍ଟ ବିଏମସିକୁ ଦିଆଯିବ । ତେବେ ଦେଶ ଓ ରାଜ୍ୟର ଅନ୍ୟ ସହରରେ ଏଯାବତ ହୋଇଥିବା ସେରୋ ସର୍ଭେର ରିପୋର୍ଟ ଅନୁଯାଇ ରାଜଧାନୀରେ ସ୍ଥିତି ଭଲ ଥିବା ବେଳେ ବର୍ତ୍ତମାନର ସଂକ୍ରମଣ ହାରକୁ ଦେଖିଲେ ପ୍ରକୃତି ସ୍ଥିତି ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରେ ଜଣାପଡିବ ।