ଆଜି ଲୋକସେବା ଭବନରେ ବସିବ ବିଧାନସଭା
Advertisement
Article Detail0/zeeodisha/odisha660745

ଆଜି ଲୋକସେବା ଭବନରେ ବସିବ ବିଧାନସଭା

ପାରିତ ହେବ ବ୍ୟୟମଞ୍ଜୁରୀ ବିଲ୍

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ପାଇଁ ସ୍ଥଗିତ ଥିବା ବିଧାନସଭାର ବଜେଟ ଅଧିବେଶନ ଆଜି ଆରମ୍ଭ ହେବ । ୨୦୨୦-୨୧ ବର୍ଷର ବଜେଟ ପାରିତ କରିବା ପାଇଁ ଅଧିବେଶନ ବସିବା ଜରୁରୀ । ହେଲେ ବିଧାନସଭାର ଡାକ୍ତର ଓ ଅନ୍ୟ କର୍ମଚାରୀମାନେ କୋରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଥିବାରୁ ସୁରକ୍ଷା ଦୃଷ୍ଟିରୁ ଅଧିବେଶନ ଲୋକସେବା ଭବନର ସ୍ୱତନ୍ତ୍ର ଅଡ଼ିଟରିୟମରେ ବସିବ । ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ ଦେବା ପାଇଁ ପ୍ରତି ଦଳର ୩୦ ପ୍ରତିଶତ ବିଧାୟକ ଏହି ଅଧିବେଶନ ଆସିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି । ଏହା ବାଦ୍ ବିଭିନ୍ନ ଅଞ୍ଚଳରୁ ବିଧାନସଭା ଯୋଗ ଦେବାକୁ ଆସୁଥିବା ବିଧାୟକମାନଙ୍କ ପାଇଁ ରାସ୍ତାଘାଟରେ କୌଣସି କଟକଣା ନ କରିବାକୁ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଫେବୃଆରୀ ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଢ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଥିଲେ ।

ଲୋକସେବା ଭବନର ନବ ନିର୍ମିତ ଷ୍ଟେଟ କନ୍‌ଭେନ୍‌ସନ୍ ସେଣ୍ଟରରେ ବସିବ ବିଧାନସଭାର ଅଧିବେଶନ । କୋରୋନା କଟକଣା ଯୋଗୁଁ ମାର୍ଚ୍ଚ ୧୩ରେ ବିଧାନସଭାର ଚଳିତ ବଜେଟ ଅଧିବେଶନକୁ ସୁରକ୍ଷା ଦୃଷ୍ଟି କୋଣରୁ ସ୍ଥଗିତ ରଖାଯାଇଥିଲା । ଏବେ ବି କୋରୋନାକୁ ନେଇ ଅନେକ ଆଶଙ୍କା ରାଜ୍ୟରେ ରହିଛି । ହେଲେ ରାଜ୍ୟ ବଜେଟ ଗୃହରେ ପାରିତ ନ ହେଲେ ଆଗକୁ ଆର୍ଥିକ ସଙ୍କଟ ବି ଉପୁଜିବ । ବିଶେଷ କରି କୋରୋନା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ରାଜ୍ୟ ବଜେଟ ବିଧାନସଭାରେ ପାସ୍ ହେବା ନିହାତି ଆବଶ୍ୟକ । ଏହାକୁ ନଜରରେ ରଖି କୋରୋନା କଟକଣା ସତ୍ୱେ ବିଧାନସଭା ଅଧିବେଶନ ବସିବା ଜରୁରୀ ହୋଇପଡ଼ିଛି । ଇତି ମଧ୍ୟରେ ରାଜ୍ୟର ତୃତୀୟ କୋରୋନା ପଜିଟିଭ୍ ରୋଗୀଙ୍କ ସହ ବିଧାନସଭାର ଡ଼ାକ୍ତର ଓ କର୍ମଚାରୀ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ସୌଧ ମଧ୍ୟ ନିରାପଦ ନୁହେଁ । ସେଥିପାଇଁ ବିଧାନସଭାର ବଜେଟ ଅଧିବେଶନ ଲୋକସେବା ଭବନରେ ବସିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଷ୍ପତି ନେଇଛନ୍ତି ।

କନଭେନସନ ହଲରେ ୨ ମିଟର ଅନ୍ତରରେ ବିଧାୟକମାନେ ବସିବେ। ସବୁ ଦଳର ନେତାଙ୍କୁ ୩୦ ପ୍ରତିଶତ ବିଧାୟକ ପଠାଇବାକୁ ବାଚସ୍ୱତି ଅନୁରୋଧ କରିଛନ୍ତି । ସେହି ଅନୁସାରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀମାନେ, ସରକାରୀ ମୁଖ୍ୟ ସଚେତକ, ଉପ ମୁଖ୍ୟ ସଚେତକ ଏବଂ ବିଜେଡ଼ିର ଯୁବ ବିଧାୟକମାନେ ଉପସ୍ଥିତ ରହିବେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଅଧିବେଶନରେ ଉପସ୍ଥିତ ରହିବେ । ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ମୁଖ୍ୟ ସଚେତକ ମୋହନ ମାଝୀ, ଉପ ମୁଖ୍ୟ ସଚେତକ ବିଷ୍ଣୁ ସେଠୀଙ୍କ ସମେତ ବିଜେପିର ଆଉ କିଛି ଯୁବ ବିଧାୟକ ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ କେବଳ ୩୦ ତାରିଖରେ ବିଧାନସଭା ବସିବ।

ଚଳିତ ବିଧାନସଭା ଅଧିବେଶନର ଅବଧି ଅପ୍ରେଲ ୯ ତାରିଖ ପର୍ଯ୍ୟନ୍ତ ଥିଲେ ମଧ୍ୟ କୋରୋନାର ପ୍ରଭାବ ଯୋଗୁଁ ଆସନ୍ତାକାଲି ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବ ବୋଲି ଜଣାପଡ଼ିଛି । ଗତ ଫେବୃଆରୀ ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଢ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ । ବଜେଟ ଉପରେ ସାଧାରଣ ଆଲୋଚନା ସରିବା ସହିତ ଷ୍ଟାଣ୍ଡିଙ୍ଗ କମିଟି ରିପୋର୍ଟ ବି ଗୃହରେ ଉପସ୍ଥାପିତ ହୋଇଛି । ବିଭାଗୱାରୀ ଆଲୋଚନା ମଧ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ମାର୍ଚ୍ଚ ୧୩ରେ ଘୋଷଣା କରିବା ପରେ ବିଧାନସଭାକୁ ସ୍ଥଗିତ ରଖିବାକୁ ଗୃହ ନିଷ୍ପତି ନେଇଥିଲା ।