Mo College Abhijan: ମହର୍ଷି ମହିଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନେଇ ଏକ କର୍ମଶାଳା ଆୟୋଜିତ
Advertisement

Mo College Abhijan: ମହର୍ଷି ମହିଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନେଇ ଏକ କର୍ମଶାଳା ଆୟୋଜିତ

Mo College Abhijan: ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ 'ମୋ କଲେଜ ଅଭିଯାନ'ର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ କରିଥିଲେ । ଆଧୁନିକ ଯୁଗରେ ପ୍ରତିଦ୍ବନ୍ଦିତାକୁ ମୁକାବିଲା କରିବା ପାଇଁ ଉନ୍ନତ ଜ୍ଞାନ କୌଶଳ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଶିକ୍ଷା ଏବଂ ସମ୍ଭାବନା ଦୁଇ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିଦ୍ୟାର୍ଥୀଙ୍କ ଭବିଷ୍ୟ ଗଠନ କରେ । ଉପଯୁକ୍ତ ମାର୍ଗ ଦର୍ଶନ ଉଜ୍ଜ୍ୱଳମୟ ଆସନ୍ତାକାଲି ନେଇ ଅଧିକ ସୁଗମତା ଆଣିଥାଏ । ତେବେ ଏନେଇ ସେମାନଙ୍କୁ ଆଜିଠୁ ତାଲିମ ଦେବା ସହ ପ୍ରସ୍ତୁତ କରିବାକୁ ପଡ଼ିବ । ସୋମବାର ଦିନ ରାଜ୍ୟର ଅଗ୍ରଣୀ ମହର୍ଷି ମହିଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି । ବିଦ୍ୟାର୍ଥୀଙ୍କୁ ଅଧିକ କୁଶଳୀ କରିବା ସହ ଗୁଣାତ୍ମକ ନିଯୁକ୍ତି ସୁଯୋଗ ନେଇ 'ଥିଙ୍କଜୋନସ୍' ଓ 'ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ' ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଶେଷ କରି ଏକବିଂଶ ଶତାବ୍ଦୀ ସହ ତାଳଦେଇ ଡିଜିଟାଲ ଦକ୍ଷତା, ଅର୍ଥନୈତିକ ଅଭିଜ୍ଞତା, କ୍ଷୁଦ୍ର-ଉଦ୍ୟୋଗ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ସେବା ତଥା ସୁଯୋଗ ବାବଦରେ ଅବଗତ କରାଇବା ନେଇ ଏହି ଅଭିଯାନ ଆରମ୍ଭ ହୋଇଛି ।

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ 'ମୋ କଲେଜ ଅଭିଯାନ'ର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ କରିଥିଲେ । ଆଧୁନିକ ଯୁଗରେ ପ୍ରତିଦ୍ବନ୍ଦିତାକୁ ମୁକାବିଲା କରିବା ପାଇଁ ଉନ୍ନତ ଜ୍ଞାନ କୌଶଳ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ‘ମୋ କଲେଜ ଅଭିଜାନ’ରେ ସାମିଲ ହୋଇ ନିଜ ଅନୁଷ୍ଠାନର ବିସ୍ତୃତ ବିକାଶ ନିମନ୍ତେ ଅଧ୍ୟକ୍ଷ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଅନୁରୂପ 'ଥିଙ୍କଜୋନ୍'ର ସିଇଓବିନାୟକ ଆଚାର୍ଯ୍ୟ ଯୋଗଦେଇ ତାଲିମ ଶିବିରର ରୂପରେଖ ବଖାଣିଥିଲେ । ଏହା କିପରି ଓଡିଶାରେ ଶିକ୍ଷାର ଭବିଷ୍ୟତ ଯୁଗକୁ ଅଧିକ ତ୍ବରାନ୍ୱିତ କରିପାରିବ ସେ ସମ୍ବନ୍ଧରେ ମତ ରଖିଥିଲେ ।

‘ମୋ କଲେଜ’ ସଂଯୋଜକ ସ୍ଵପ୍ନା ସାହୁ, ମହର୍ଷି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଶ୍ରୀ ରେଖା ମହାନ୍ତି, ଗଣମାଧ୍ୟମ ସଂଯୋଜକ ଚୈତାଳୀସୋମ୍, ‘ମୋ କଲେଜ’ର ଆଦିତ୍ୟ ଚୌଧୁରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଆଲୁମିନି ସହଯୋଗ କରିଥିଲେ ।ପ୍ରକାଶ ଥାଉକି, ଏକ ମାସ ପୂର୍ବରୁ ବିଦ୍ୟାର୍ଥୀଙ୍କ ଉତ୍ତମ ଏବଂ କୁଶଳୀ ଭବିଷ୍ୟତ ଗଠନ ପାଇଁ ତାଲିମ ଦେବା ନିମନ୍ତେ 'ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ' ଏବଂ 'ଥିଙ୍କଜୋନସ୍' ମଧ୍ୟରେ ଚୁକ୍ତିପତ୍ରସ୍ୱାକ୍ଷରିତ ହୋଇଥିଲା ।