ବିଜେଡି ତଣ୍ଟିରେ ସୌମ୍ୟ କଣ୍ଟା; ନା ଗୁଳୁଛି ନା ବାନ୍ତି କରୁଛି
Advertisement

ବିଜେଡି ତଣ୍ଟିରେ ସୌମ୍ୟ କଣ୍ଟା; ନା ଗୁଳୁଛି ନା ବାନ୍ତି କରୁଛି

ସୌମ୍ୟ ରଞ୍ଜନ ଯେ କେବଳ ଜଣେ ବିଧାୟକ ତାହା ନୁହେଁ। ଏକଦା ତାଙ୍କ ଆବଶ୍ୟକତା ଦଳରେ ଯଥେଷ୍ଟ ରହିଥିଲା। ଏଣୁ  ମାର୍ଚ୍ଚର ମଧ୍ୟାହ୍ନରେ ସେ ଦଳରେ ଯୋଗ ଦେଇଥିଲେ ଆଉ ଅପରାହ୍ଣରେ ରାଜ୍ୟସଭା ଟିକଟ ହାତେଇଥିଲେ। ସେ ଅସନ୍ତୁଷ୍ଟ ହୋଇ ବିଧାୟକ ହେବାକୁ ଚାହିଁବାରୁ ତାଙ୍କୁ ୨୦୧୯ ନିର୍ବାଚନରେ ଖଣ୍ଡପଡ଼ା ଆସନରୁ ମଧ୍ୟ ଟିକଟ ମିଳିଥିଲା ଆଉ ସେହି ଟିକଟରେ ସେ ନିର୍ବାଚିତ ବି ହୋଇଥିଲେ।

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଗଲା ୧୦ ଦିନ ହେଲା ରାଜ୍ୟ ରାଜନୀତି ପଡ଼ୁଛି ଉଠୁଛି। ଜଣେ ପରେ ଜଣେ ନେତା ଏ ସମ୍ପର୍କରେ ଗଣମାଧ୍ୟମରେ ସୌମ୍ୟଙ୍କ ଉପରେ ଆରୋପ ଲଗାଉଛନ୍ତି। ଗତକାଲି  ଦଳୀୟ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳର ଉପସଭାପତି  ପଦବୀରୁ ବହିଷ୍କାର କରିବା ପରେ ସୌମ୍ୟଙ୍କୁ ଏବେ ବିରୋଧୀ ଦଳର ନେତାମାନେ ମଧ୍ୟ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଅପରପକ୍ଷେ ଦଳ ତାଙ୍କୁ ସଦସ୍ୟ ପଦବୀରୁ କାହିଁକି ବାହାର କରୁ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଅର୍ଥାତ୍‍ ସୌମ୍ୟ ଏବେ ଏମିତି ଏକ କଣ୍ଟା ସାଜିଛନ୍ତି, ଯାହାକୁ  ଦଳ ନା ଗିଳିପାରୁଛି ନା ବାନ୍ତି କରିପୋରୁଛି। 

ସୌମ୍ୟ ରଞ୍ଜନ ଯେ କେବଳ ଜଣେ ବିଧାୟକ ତାହା ନୁହେଁ। ଏକଦା ତାଙ୍କ ଆବଶ୍ୟକତା ଦଳରେ ଯଥେଷ୍ଟ ରହିଥିଲା। ଏଣୁ  ମାର୍ଚ୍ଚର ମଧ୍ୟାହ୍ନରେ ସେ ଦଳରେ ଯୋଗ ଦେଇଥିଲେ ଆଉ ଅପରାହ୍ଣରେ ରାଜ୍ୟସଭା ଟିକଟ ହାତେଇଥିଲେ। ସେ ଅସନ୍ତୁଷ୍ଟ ହୋଇ ବିଧାୟକ ହେବାକୁ ଚାହିଁବାରୁ ତାଙ୍କୁ ୨୦୧୯ ନିର୍ବାଚନରେ ଖଣ୍ଡପଡ଼ା ଆସନରୁ ମଧ୍ୟ ଟିକଟ ମିଳିଥିଲା ଆଉ ସେହି ଟିକଟରେ ସେ ନିର୍ବାଚିତ ବି ହୋଇଥିଲେ। ପୁଣି ଯେତିକି ବ୍ୟବଧାନରେ ସେ ନିର୍ବାଚିତ ହୋଇଥିଲେ ତାହା ଥିଲା ରାଜ୍ୟରେ ସର୍ବାଧିକ। ଏମିତିକି ଲଗାତାର ୫ମଥର ପାଇଁ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ତାଙ୍କ ବିଜୟ ବ୍ୟବଧାନ ଅଧିକ ରହିଥିଲା। ନବୀନ 60160 ଭୋଟ ବ୍ୟବଧାନରେ ଜିତିଥିବାବେଳେ ସୌମ୍ୟ ଜିତିଥିଲେ 81430 ଭୋଟ୍‍ ବ୍ୟବଧାନରେ। 

ଏବେ କିନ୍ତୁ ସେ ଦଳ ପାଇଁ ବୋଝ ହୋଇଛନ୍ତି। ଜଣେ ପରେ ଜଣେ ନେତା ତାଙ୍କୁ ସମାଲୋଚନା କରିଛନ୍ତି। କିଏ ତାଙ୍କୁ ସୁବିଧାବାଦୀ କହିଛି ତ ଆଉ କିଏ ଅକୃତଜ୍ଞ ପୁଣି କିଏ ତାଙ୍କୁ ବ୍ଲାକ୍‍ ମେଲର ବୋଲି ବି ଅଭିହିତ କରିଛନ୍ତି। ସେ ସୌଜନ୍ୟତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବି ବୋଲି ଆଜି ବିଜେଡିର କିଛି ବରିଷ୍ଠ ନେତା କହିଛନ୍ତି। ପ୍ରଶ୍ନ ଉଠୁଛି ବିଜେଡି ଇତିହାସରେ ଯିଏ ଦଳର ଶୃଙ୍ଖଳା ଭଙ୍ଗ କରିଛି ତାଙ୍କୁ ସଙ୍ଗେ ସଙ୍ଗେ ତଡ଼ି ଦିଆଯାଇଛି। ଏପରିକି ତାଙ୍କୁ କଳେ ବଳେ କୌଶଳେ ବିଭିନ୍ନ ସ୍ତରରେ ନିନ୍ଦିତ କରିବାକୁ ଚେଷ୍ଟା କରାଯାଇଛି। ହେଲେ ସୌମ୍ୟଙ୍କ କ୍ଷେତ୍ରରେ ସେ ଅସ୍ତ୍ର କାହିଁକି ବ୍ୟବହାର କରାଯାଉ ନାହିଁ? କାହିଁକି ତାଙ୍କୁ ଉପସଭାପତି ପଦବୀରୁ ହଟାଇ ଚାପ ଭିତରେ ରଖିବାକୁ ଚେଷ୍ଟା କରାଯାଇଛି ବା ଦଳ ସହ ତାଙ୍କୁ ସାଲିସ କରିବାକୁ ସୁଯୋଗ ଦିଆଯାଇଛି?

ଏହାର ଉତ୍ତର ଅନେକ ପରିମାଣରେ ସ୍ପଷ୍ଟ। ତାହା ହେଲା ତାଙ୍କର ଲୋକପ୍ରିୟତା, ପ୍ରଭାବ ଏବଂ ମିଡିଆ ଅସ୍ତ୍ର। ଆଜି ଦେଶର ପ୍ରତିଷ୍ଠିତ ଇଂରାଜୀ ଖବରକାଗଜମାନେ ମଧ୍ୟ ଏହି ଖବରକୁ ପ୍ରକାଶ କରିବାବେଳେ ପରୋକ୍ଷରେ ଏହି କାରଣକୁ ଇଙ୍ଗିତ କରିଛନ୍ତି।  

ତାଙ୍କୁ ଦଳରୁ ବହିଷ୍କାର କରିଲେ ବିଜେଡି ଲାଭ ପାଇବ କି? ଏହାର ଉତ୍ତରରେ ଯେତିକି ହଁ ନାହିଁ, କ୍ଷତି କଥା ପଚାରିଲେ ତା’ଠୁ ଅଧିକ ରହିଛି। ତାଙ୍କୁ ବହିଷ୍କାର କରିଲେ ଦଳ ଏକ ଗୁରୁତ୍ୱପୂର୍ଣ ମିଡିଆ ସଂଗଠନ ହରାଇବ। ଯେଉଁଥିରେ ସବୁଠାରୁ ଅଧିକ ପ୍ରସାରିତ ଖବର କାଗଜ, ଟିଭି, ରେଡିଓ ଏବଂ ପ୍ରଭାବଶାଳୀ ଡିଜିଟାଲ୍‍ ପ୍ଲାଟ୍‍ଫର୍ମ ସାମିଲ ରହିଛି। ଯେଉଁଥିପାଇଁ ବିଜେଡି ତାଙ୍କୁ ୨୦୧୮ରେ ଦଳକୁ ନେଇଥିଲା। ଦଳ ବିପକ୍ଷରେ ଓଟିଭି ରହିଥିବାରୁ ସମ୍ବାଦ ଦଳକୁ ସହାୟକ ହେବ ବୋଲି ଆଶା କରିଥିଲା। ଏହାଦ୍ୱାରା ୨୦୧୯ ନିର୍ବାଚନରେ ଦଳ କି ସଫଳତା ପାଇଛି ତାହା ଦଳର ରଣନୀତିକାରଙ୍କୁ ବେଶ୍‍ ଭଲ ଭାବେ ଜଣା। 

ଏ ଭିତରେ ଯଦିଓ ବିଜେଡି ନିଜର ଟିଭି ଏବଂ ଖବରକାଗଜ ସହ ଅନେକଗୁଡ଼ିଏ ଡିଜିଟାଲ ଚ୍ୟାନେଲ୍‍ ଖୋଲିବାରେ ସକ୍ଷମ ହୋଇଛି କିନ୍ତୁ ଏସବୁ ଯେ ଦଳକୁ ନିର୍ବାଚନରେ ଜିତାଇପାରିବ ତାହା ସନ୍ଦହରେ ରହିଛି। ଏଣୁ ପ୍ରଭାବଶାଳୀ ଓଟିଭି ପରେ ସମ୍ବାଦ ମିଡିଆ ଗୋଷ୍ଠୀକୁ ହରାଇବା ଦଳ ପାଇଁ ମହଙ୍ଗା ପଡ଼ିପାରେ। ଏ ବିଷୟକୁ ଚିନ୍ତା କରି ହୁଏତ ଦଳର ରଣନୀତିକାରମାନେ ସୌମ୍ୟଙ୍କୁ ସଦସ୍ୟତା ପଦରୁ ବହିଷ୍କାର କରିବାକୁ ନ ଚାହିଁ କିଛି ମଝିରାସ୍ତା ବାହାର କରିବା ଲାଗି ଚାହୁଁ ଥାଇପାରନ୍ତି। 

ଅପରପକ୍ଷେ ଯଦି ଏହି ମଝିରାସ୍ତା ପାଇଁ ବୁଝାମଣା ହେଲା ଏବଂ ସେଥିରେ ସୌମ୍ୟ ଜିଦରେ ଅଟଳ ରହିଲେ ତେବେ ଦଳକୁ ସେ ଇଙ୍ଗିତ ଦେଉଥିବା ଅଧିକାରୀଙ୍କୁ ଗୌଣ କରିବାକୁ ହେବ।  କିନ୍ତୁ ବିଜେଡି ଯେଉଁ ଚାରାକୁ ଗତ ପାଞ୍ଚବର୍ଷ ହେଲା ପାଣି ପବନ ଦେଇ ବଡ଼ କରିଛି, ଯେଉଁ ଆଦର୍ଶକୁ ପାଥେୟ କରିଛି ତାହା ଏହାଦ୍ୱାରା ସାଲିସ ହୋଇଯିବ। ଅର୍ଥାତ୍‍ ବିଜେଡି ପାଇଁ ଏକ କର ବା ମର ପରିସ୍ଥିତି ଏବଂ ସୃଷ୍ଟି ହୋଇଛି। କି ନିଷ୍ପତ୍ତି ସଭାପତି ନେବେ ତାହାକୁ ଅପେକ୍ଷା।