ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ
Advertisement
Article Detail0/zeeodisha/odisha589153

ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ବିଜେପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ ପରେ ନବୀନଙ୍କ କୃତଜ୍ଞତା । ବିଜେପୁରବାସୀଙ୍କୁ ଏହି କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 

ଫାଇଲ ଫଟୋ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ ପରେ ନବୀନଙ୍କ କୃତଜ୍ଞତା । ବିଜେପୁରବାସୀଙ୍କୁ ଏହି କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଦଳୀୟ କର୍ମକର୍ତ୍ତାଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ଆମେ ସଂଖ୍ୟା ଗରିଷ୍ଠତା ସହ ଜିତିଛୁ ବୋଲି କହିଛନ୍ତି ନବୀନ । ଏପଟେ ବିଜେପିକୁ ମହଙ୍ଗା ପଡିଛି ବୁଝାମଣା ଆଭିମୁଖ୍ୟ । ସଙ୍ଘୀୟ ବ୍ୟବସ୍ଥାର ଦ୍ୱାହି

ଆଜି ବିଜେପୁର ଉପନିର୍ବାଚନର ଫଳଫଳା ବାହାରିଛି । ଆଉ ଏହା ଶାସକ, ବିରୋଧୀ ସଭିଙ୍କୁ ଚମକାଇଦେଇଛି । କାହିଁକିନା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ଯାହା କରି ଦେଖାଇଛନ୍ତି, ତାହା ଆଜି ପର୍ଯ୍ୟନ୍ତ କେହି କରିପାରିନଥିଲେ । ଯଦିଓ ବିଜେଡି ବିଜୟ ନେଇ ଗୋଟିଏ ପ୍ରକାର ସୁନିଶ୍ଚିତ ଥିଲା, ତଥାପି ବି ଏତେ ବ୍ୟବଧାନରେ ବିଜୟ ହେବା କଥା ସ୍ୱପ୍ନରେ ବି ଭାବିନଥିଲା । ୯୭ ହଜାର ୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ ସନତ ଗଡତିଆଙ୍କୁ ପରାଜିତ କରିଛନ୍ତି ରୀତା ।  

ଓଡିଶା ରାଜନୈତିକ ଇତିହାସରେ ରୀତାଙ୍କ ନାଁ । ଯାହା ତୁଙ୍ଗ ତୁଙ୍ଗ ନେତା କରିପାରିନଥିଲେ, ତାହା କରି ଦେଖାଇଲେ ଦିବଙ୍ଗତ ନେତା ସୁବୋଳ ସାହୁଙ୍କ ପତ୍ନୀ ରୀତା ସାହୁ । ଯାହା ଓଡିଶା ଇତିହାସରେ କେବେ ଦେଖିବାକୁ ମିଳିନଥିଲା, ତାହା କଲେ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ । ୯୭ ହଜାର ୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇ ଏହି ରେକର୍ଡ ରଚିଛନ୍ତି । 

ଇତିହାସ କହୁଛି, ସବୁଠୁ ଅଧିକ ବ୍ୟବଧାନରେ ବିଜୟୀ ହେବା ରେକର୍ଡ ପୂର୍ବରୁ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ଥିଲା । ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଥିବା ଶ୍ରୀଯୁକ୍ତ ହରିଚନ୍ଦନ ୨୦୦୦ ମସିହା ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ୯୪, ୫୫୪ ଭୋଟରେ ବିଜୟୀ ହୋଇଥିଲେ । ଆଉ ଗତ ସାଧାରଣ ନିର୍ବାଚନରେ ଏହି ରେକର୍ଡ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁରେ ଥିଲା । ଖଣ୍ଡପଡାରୁ ବିଜେଡି ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ୮୧, ୪୩୦ ଭୋଟରେ ବିଜୟୀ ହୋଇଥିଲେ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏତେ ଅଧିକ ବ୍ୟବଧାନରେ ବିଜୟୀ ହେବା ଦେଖିବାକୁ ମିଳିନଥିଲା । ପାଖାପାଖି ୫୬ ହଜାର ଭୋଟରେ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ସନତ ଗଡ଼ତିଆଙ୍କୁ ହରାଇଥିଲେ ନବୀନ । ହେଲେ ରୀତା ଆଜି ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ବିଜୟୀ ତ ହେଲେ, ସଭିଙ୍କୁ ଚକିତ ବି କରିଦେଲେ । ବନ୍ଦ ହୋଇଗଲା ବିରୋଧୀଙ୍କ ମୁହଁ । ଖୋଦ ବିଜୁ ଜନତା ଦଳ ମଧ୍ୟ ଏତେ ବ୍ୟବଧାନ ରହିବ ବୋଲି ଆଶା କରିନଥିଲା, ଯାହା ରୀତା କରି ଦେଖାଇଛନ୍ତି । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଖୁସିବ୍ୟକ୍ତ କରିଛନ୍ତି । 

ତତ୍କାଳୀନ ବିଧାୟକ ସୁବୋଳ ସାହୁଙ୍କ ମୃତ୍ୟୁ ପରେ ଲୋକଙ୍କ ଅନୁକମ୍ପା ସ୍ତ୍ରୀ ରୀତା ସାହୁଙ୍କ ପାଖକୁ ଯିବ । ବୋଧେ ଏଭଳି କିଛି ଆଶା ରଖି ତାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ରୀତା ଯେ ଖୁବ କମ ଦିନରେ ରାଜନୀତିରେ ଏତେ ପରିପକ୍ୱ ହେବେ, ତାହା କେହି ବି ଭାବିନଥିଲେ । ଜନତାଙ୍କ ମନ କିଣିବାରେ ସେ ଯେ ମାହିର, ଆଜି ତାହା ପ୍ରମାଣିତ କରିଛନ୍ତି । ବିଜେଡିର ହ୍ୟାକ୍ଟ୍ରିକ ସହ ରୀତା ଦ୍ୱିତୀୟ ଥର ପାଇଁ ବିଜେପୁରରୁ ବିଜୟୀ ହୋଇଛନ୍ତି ।