ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ପରେ ପଶିଲା କେଁ। ରାଜ୍ୟରେ ସରକାରୀ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ପରେ ଘରୋଇ ବିଦ୍ୟାଳୟରେ ସମସ୍ତ ଶ୍ରେଣୀ ଖୋଲିବାକୁ ଅଣ୍ଟା ଭିଡିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ସରକାରଙ୍କ ନିର୍ଦ୍ଦେଶ ମୁତାବକ ୮ ତାରିଖରୁ ଦଶମ, ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ସହ ଆସନ୍ତା ୧୪ ତାରିଖରୁ ନବମ ଓ ଏକାଦଶ ଏବଂ ଫେବୃଆରୀ ପହିଲାରୁ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲି ପରୀକ୍ଷା କରିବାକୁ ଓଡିଶା ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଏହାକୁ ଅଭିଭାବକ ସଂଘ ପକ୍ଷରୁ ନାପସନ୍ଦ କରିବା ସହ ବିଦ୍ୟାଳୟ ଖୋଲିବା ପୂର୍ବରୁ ମିଶନ ଜିରୋ କାଜୁଆଲଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଅପରପକ୍ଷେ ସରକାରୀ ବିଦ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହୋଇ ବିଶୋଧନ ସହ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ବ ଦିଆଯାଇଛି। 


ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି। ବର୍ତ୍ତମାନ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ପାଠପଢାର ଆବଶ୍ୟକତା ଥିବାରୁ ସ୍କୁଲ ଖୋଲିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏଥିପାଇଁ ଆସନ୍ତା ୧୪ ତାରିଖରୁ ନବମ ଓ ଏକାଦଶ ଏବଂ ଫେବୃଆରୀ ପହିଲାରୁ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲି ପରୀକ୍ଷା କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।


Also Read: ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଆସିଲା ଗାଇଡଲାଇନ୍


 


ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବେ ବୋଲି କହିଛନ୍ତି ସଂଘ ସଭାପତି ବଦ୍ରିନାଥ ପଟ୍ଟନାୟକ। ସେପଟେ ସମସ୍ତ ଶ୍ରେଣୀ ଲାଗି ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ଓଡିଶା ଅଭିଭାବକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ସେପଟେ ବିଦ୍ୟାଳୟ ଖୋଲିବା ପୂର୍ବରୁ ମିଶନ ଜିରୋ କାଜୁଆଲଟି ଘୋଷଣା କରିବାକୁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ। ପିଲାଙ୍କୁ ଶୂନ୍ୟ ସଂକ୍ରମଣ ଗ୍ୟାରେଣ୍ଟି ଦେଇ ସ୍ୱାସ୍ଥ୍ୟ ବିଭାଗର ତତ୍ତ୍ୱାବଧାନରେ ସ୍କୁଲରେ ପିଲାଙ୍କ ସୁସ୍ଥତା ଓ ପରିମଳ ପାଇଁ ଆବଶ୍ୟକତା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।


Also Read: କଳ୍ପନାଜଳ୍ପନାର ଘଟିଲା ଅନ୍ତ, କଟକଣାରେ ଖୋଲିବ ଶିକ୍ଷାନୁଷ୍ଠାନ


ଅଭିଭାବକଙ୍କ ସମ୍ମତିରେ ସ୍କୁଲ ଛାଡୁଥିବାରୁ ପିଲାଙ୍କ ସମସ୍ତ ଦାୟିତ୍ୱ ସରକାର ନେବା ସହ ମାସ୍କ, ସାନିଟାଇଜର ଯୋଗାଇ ତଦାରଖ କରିବାକୁ ସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି। ସେହିପରି ୧୦୦ ଦିନର ପାଠ ପଢ଼ା ପାଇଁ ଘୋଷଣା ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତିରିକ୍ତ କାର୍ଯ୍ୟ ଛାଡି କେବଳ ପାଠ ପଢାଇବାର ଦାୟିତ୍ୱ ଦେବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଅପରପଟେ ଆସନ୍ତା ୩ ଦିନ ପରେ ସରକାରୀ ବିଦ୍ୟାଳୟ ଖୋଲୁଥିବାରୁ ବିଶୋଧନ ଆଦି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। 


Also Read: କୋଡିଏର ଘା’ ଶୁଖିବନି କି ଦାଗ ଲିଭିବନି !


ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ସଦୃଶ ସରକାରୀ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ପରେ ଏବେ ଘରୋଇ ବିଦ୍ୟାଳୟ ମାମଲା ସାମ୍ନାକୁ ଆସିଛି। ସେ ଯାହା ହେଉ ନା କାହିଁକି ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହେଉଥିବାରୁ ପିଲାଙ୍କ ପାଠପଢା ଯେତିକି ଗୁରୁତ୍ବ ସ୍ବାସ୍ଥ୍ୟଗତ ସୁରକ୍ଷା ମଧ୍ୟ ସେତିକି ଆବଶ୍ୟକ। ଏହାକୁ ସନ୍ତୁଳନ ରକ୍ଷା କରି ପଦକ୍ଷେପ ନେବା ଗୁରୁତ୍ୱପୂର୍ଣ୍ଣ। ଏନେଇ ରାଜ୍ୟ ଗଣଶିକ୍ଷା ବିଭାଗ କୌଣସି ପ୍ରତିକ୍ରିୟା ମିଳିନାହିଁ।