ଗୋଟିଏ ଶିକ୍ଷାବର୍ଷ ଶେଷ ଓ ଆଉ ଗୋଟିଏ ଶିକ୍ଷାବର୍ଷର ଆରମ୍ଭ ହେବା ଭଳି ଘଡିସନ୍ଧି ମୂହୁର୍ତ୍ତରେ ଦେଶ ଓ ରାଜ୍ୟକୁ କୋରୋନା ଗ୍ରାସ କରିଥିଲା। ୨୦୨୦କୁ ବିଦାୟ ନେଇ ୨୦୨୧ ଆସିଲା। ହେଲେ ବର୍ଷ ୨୦୨୦ ଶିକ୍ଷାକ୍ଷେତ୍ର ପାଇଁ ଯେଉଁ କ୍ଷତି ପହଞ୍ଚାଇଛି, ତାହା କେବେବି ପୂରଣ ହୋଇପାରିବ ନାହିଁ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଧୋଇ ହୋଇଗଲା ଗୋଟିଏ ଶିକ୍ଷାବର୍ଷ। ପିଲାଙ୍କ ଭବିଷ୍ୟତ ଉପରେ ଢାଙ୍କି ହେଇଗଲା କୋରୋନା ରୂପି କଳା ବାଦଲ। ଗୋଟିଏ ଶିକ୍ଷାବର୍ଷ ଶେଷ ଓ ଆଉ ଗୋଟିଏ ଶିକ୍ଷାବର୍ଷର ଆରମ୍ଭ ହେବା ଭଳି ଘଡିସନ୍ଧି ମୂହୁର୍ତ୍ତରେ ଦେଶ ଓ ରାଜ୍ୟକୁ କୋରୋନା ଗ୍ରାସ କରିଥିଲା। ୨୦୨୦କୁ ବିଦାୟ ନେଇ ୨୦୨୧ ଆସିଲା। ହେଲେ ବର୍ଷ ୨୦୨୦ ଶିକ୍ଷାକ୍ଷେତ୍ର ପାଇଁ ଯେଉଁ କ୍ଷତି ପହଞ୍ଚାଇଛି, ତାହା କେବେବି ପୂରଣ ହୋଇପାରିବ ନାହିଁ।
ଶିକ୍ଷାନୁଷ୍ଠାନ (Educational Institute) ଖୋଲିବା ନେଇ ଗୋଟିଏ ପରେ ଗୋଟିଏ ମାସ ଗଡିବା ସହ ଏବେ ବର୍ଷ ସରିଛି। ହେଲେ ଶିକ୍ଷାନୁଷ୍ଠାନର ମାଟି ମାଡିପାରିଲେନି ଛାତ୍ରଛାତ୍ରୀ (Student) । ଏବେ କ୍ୟାଲେଣ୍ଡର ଫର୍ଦ୍ଦ ବଦଳିଛି ଦେଖିବା ଶିକ୍ଷାକ୍ଷେତ୍ରରେ କ’ଣ ରହିଲା ଦୁଃଖ ଆଉ ନୂଆବର୍ଷ (New Year) ପାଇଁ କଣ ରହିବ ଚ୍ୟାଲେଞ୍ଜ...
Also Read: ଯୁକ୍ତ ୩ ଆଡମିଶନ: ୨୩-୨୮ ପର୍ଯ୍ୟନ୍ତ ଆବେଦନ, ଜାନୁଆରୀ ୬ରୁ ନାମଲେଖା
୨୦୨୦ ଜାନୁୟାରୀ ଓ ଫେବୃଆରୀ ମାସରେ ୨୦୧୯- ୨୦ ଶିକ୍ଷାବର୍ଷ ପାଇଁ ପାଠ ପଢା ସରି ପରୀକ୍ଷା ହେବା ଉପରେ। ଦଶମ ବୋର୍ଡ ପରୀକ୍ଷା ସରିଥିବା ବେଳେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଚାଲିଥାଏ। ଆଉ ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ବାକି ଥାଏ। ଠିକ୍ ଏତିକିବେଳେ ମାର୍ଚ୍ଚ ମାସରେ ମହାମାରୀ କୋରୋନା (Corona Virus) ନିଜର କାୟା ବିସ୍ତାର କରିଥିଲା। ସଂକ୍ରମଣକୁ ରୋକିବା ପାଇଁ ଦେଶରେ କର୍ଫୁ ଜାରି ହୋଇ ଲକଡାଉନ (Lockdown) କଟକଣାରେ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା।
ପ୍ରଥମ ଥର ଲାଗି ପରୀକ୍ଷା ନ ଦେଇଥିବା ବିଷୟବସ୍ତୁରେ ସ୍ବତନ୍ତ୍ର ପଦ୍ଧତି ଦ୍ବାରା ମୂଲ୍ୟାୟନ କରାଯାଇ ଫଳ ଘୋଷଣା ହୋଇଥିଲା। ଅନଲକ୍ ପର୍ଯ୍ୟାୟରେ କଟକଣା କୋହଳ ହୋଇଥିଲେ ସୁଦ୍ଧା ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ କୌଣସି ବାଟ ଫିଟିପାରିନି। ଯାହାକୁ ନେଇ ଏବେବି ଦ୍ବନ୍ଦାତ୍ମକ ପରିସ୍ଥିତି ଦେଖାଦେଇଛି। ନଭେମ୍ବର ୪ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ନଭେମ୍ବର ଶେଷ ସୁଦ୍ଧା ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ। ଡିସେମ୍ବର ମାସରେ କୋରୋନାର ଦ୍ବୀତିୟ ଲହରି ଆଶଙ୍କା ହେତୁ ନଭେମ୍ବର ୬ ତାରିଖ ସଂଧ୍ୟାରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବା ନେଇ ବିଭାଗୀୟ ନିର୍ଦ୍ଦେଶନାମା ଆସିଥିଲା।
Also Read: ବାହୁଡିଲା କି କୋରୋନା; ବ୍ରିଟେନରେ ଖେଳୁଛି, ଓଡିଶା ଆସିନି ତ?
କୋରୋନା ପ୍ରକୋପ ଯୋଗୁଁ ୨୦୨୦ ବର୍ଷ ସମ୍ପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଠାରୁ ଦୂରରେ ରହିଥିଲେ। ବିକଳ୍ପ ଭାବେ ଅନଲାଇନ ପାଠପଢା (Online Study) ହିଁ ଏକମାତ୍ର ମାଧ୍ୟମ ସାଜିଥିଲା ଆଉ ସାଜିଛି। ବେସରକାରୀ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନଲାଇନ ପାଠପଢା କେତେକାଂଶରେ ସହାୟକ ହୋଇଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ପାଠପଢା ଭୁଷୁଡିପଡିଛି। ଏବେବି ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ କାଣିଚିଏ ବି ପାଠପଢା ପହଞ୍ଚି ପାରିନହିଁ। ଆଉ ଶିକ୍ଷା ବର୍ଷ ଶେଷ ହେବା ବେଳକୁ ପରୀକ୍ଷା ଚିନ୍ତା ଘାରିଲାଣି। ୨୦୨୦ରେ ଏସବୁ କ୍ଷତ ୨୦୨୧ରେ ପୂରଣ ହେବ କି ନାହିଁ ତାକୁ ନେଇ ମଧ୍ୟ ଆଶା ଆଶଙ୍କା ଦେଖାଦେଇଛି।
ଚିରାଚରିତ ଭାବେ ବର୍ଷ ଶେଷବେଳକୁ ବାର୍ଷିକ ପରୀକ୍ଷା ଲାଗି ସିଲାବସ (Syllabus) ଶେଷ ହୋଇ ପରୀକ୍ଷା ପାଇଁ ଉଭୟ ଛାତ୍ରଛାତ୍ରୀ ଓ ସମସ୍ତ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥାଏ। ହେଲେ ଏଯାଏଁ ନା ଫର୍ମ ଫିଲଅପ୍ ହୋଇଛି ନା ପରୀକ୍ଷା ତାରିଖ ଘୋଷଣା ହୋଇପାରୁଛି। ଏବେ ଅପେକ୍ଷା ନୂଆବର୍ଷ ବାସ୍ତବିକ କୋଡିଏର ଘା’ କୁ ଶୁଖାଇପାରୁଛି କି ନାହିଁ।