Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ମେଳି ହେଲେ ସେବାୟତ । ରାଜ୍ୟରେ ମନ୍ଦିର ଖୋଲିବାକୁ ଦାବି ନଚେତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚେତାବନୀ । କୋରୋନା କଟକଣାରେ ପ୍ରାୟ ୬ ମାସ ହେବ ରାଜ୍ୟରେ ଭକ୍ତମାନଙ୍କ ପାଇଁ ବନ୍ଦ ରହିଛି ଧର୍ମାନୁଷ୍ଠାନ । ଯାହାର ପ୍ରଭାବରେ ପ୍ରଭାବିତ ଲକ୍ଷାଧିକ ସେବାୟତ । ଏନେଇ ଭୁବନେଶ୍ୱର ସାମ୍ବାଦିକ ଭବନରେ ସମ୍ମିଳନୀ କରି କ୍ଷୋଭ ପ୍ରକାଶ କରିବା ସହ ଭକ୍ତଙ୍କ ନିମନ୍ତେ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି । ଅକ୍ଟୋବର ୧ ତାରିଖରୁ ସରକାର ମନ୍ଦିର ଖୋଲିବାକୁ ଅନୁମତି ନଦେଲେ ୭ ତାରିଖରୁ ବିଧାନସଭା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ପ୍ରତିବାଦ କରିବାକୁ କହିଛନ୍ତି ।
ବୈଶ୍ୱିକ ମହାମାରୀ କୋରୋନା ପାଇଁ ଗତ ମାର୍ଚ୍ଚ ମାସ ୨୦ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଗୁଡିକୁ ଭକ୍ତ ମାନଙ୍କ ପ୍ରବେଶ ନିଷେଦ୍ଧ କରାଯିବା ପରେ ଜୁନ୍ ୮ ତାରିଖରୁ କେନ୍ଦ୍ର ସରକରଙ୍କ ପକ୍ଷରୁ ଅନୁମିତ ଦିଆଯାଇଥିଲା । ହେଲେ ରାଜ୍ୟରେ ମନ୍ଦିର ଖୋଲିବାକୁ ଏଯାବତ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି । ଦେବୋତ୍ତର କମିଶନଙ୍କ ଅଧିନରେ ରାଜ୍ୟରେ ୧୭ ହଜାର ୭୩୫ଟି ମନ୍ଦିର ଥିବା ଏଥିରେ ଲକ୍ଷାଧିକ ସେବାୟତ ପ୍ରଭାବିତ ହୋଇଥିବା ସାମ୍ବାଦିକ ସମ୍ମୀଳନୀରେ ଅଭିଯୋଗ କରିଛି ଓଡିଶା ମନ୍ଦିର ସେବାୟତ ସଂଘ ।
ସମ୍ମିଳନୀରେ ରାଜ୍ୟର ଏକାଧିକ ମନ୍ଦିରର ସେବାୟତ ମେଳି ହୋଇ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି । ପ୍ରାୟ ୬ ମାସ ଧରି ଭକ୍ତମାନଙ୍କ ନିମନ୍ତେ ମନ୍ଦିର ବନ୍ଦ ରହିଥିବା ବେଳେ ସେମାନଙ୍କ ଦାନ ଦକ୍ଷିଣାରେ ପରିବାର ଚଳାଉଥିବା ସେବାୟତ ଆର୍ଥିକ ଅନଟନ ଦେଇ ଗତି କରୁଥିବା କହିଛନ୍ତି । ତେଣୁ ସରକାର ସେମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ କୋଭିଡ କଟକଣାରେ ମନ୍ଦିର ଖୋଲିବା ଏବଂ ସମ୍ବେଦନଶୀଳ ମନ୍ଦିର ବନ୍ଦ କରି ତାର ସେବାୟତଙ୍କ ଲାଗି ବ୍ୟବସ୍ଥା କରିବାକୁ ଦାବି କରିଛି ସଂଘ । ଆସନ୍ତା ଅକ୍ଟୋବର ୧ ତାରିଖରୁ ମନ୍ଦିର ଖୋଲିବାକୁ ଅନୁମତି ନ ଦେଲେ ୭ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ ।
ତେବେ ଗୋଟିଏ ପଟେ କୋରୋନା ମହାମାରୀ ଅନ୍ୟପଟେ ପେଟର ଭୋକ, ଏହାରି ଭିତରେ ଭକ୍ତଙ୍କ ଲାଗି ମନ୍ଦିର ଖୋଲିବା ଦିଗରେ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।