ଭୁବନେଶ୍ବର: ରାଜଧାନୀରେ ମଶାଣୀ ଯାତନା। ସ୍ଥିତି ବିଗିଡିଲେ ପରିସ୍ଥିତି ହୋଇପାରେ ସଂଘାତିକ। କୋରୋନା ଦ୍ବିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ପୂରୀ ସ୍ଵର୍ଗଦ୍ଵାରରେ ଜିଲ୍ଲା ବାହାରର ଲୋକଙ୍କ   ଶବଦାହ ଉପରେ ରୋକ ଲଗାଯାଇଛି ସ୍ଥାନୀୟ ପ୍ରଶାସନ। ଏହି ନିଷ୍ପତ୍ତି ନୂଆ ନୁହେଁ ଗତ ବର୍ଷ କୋଭିଡ୧୯ ମହାମାରୀର ପ୍ରଥମ ସଂକ୍ରମଣ ସମୟରେ ମଧ୍ୟ ଏପରି କଟକଣା ଲାଗୁ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ଯାହା ଫଳରେ ଭୁବନେଶ୍ବର ସତ୍ୟନଗରସ୍ଥିତ ଶ୍ମଶାନ ଉପରେ ବୋଝ ବଢିଥିଲା। ଏଠାରେ ମାତ୍ରାଧିକ ଶବଦାହ ହେତୁ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଏମସି ପକ୍ଷରୁ ସହରର ଅନ୍ୟ ୨ ସ୍ଥାନରେ ଗ୍ୟାସ ଆଉ ବୈଦ୍ୟୁତିକ ଚୁଲାର ବ୍ୟବସ୍ଥା କରିବା ନେଇ ଘୋଷଣା କରାଯାଇଥିଲା। ହେଲେ ଏହାକୁ ମାସାଧିକ କାଳ ବିତିଯାଇଥିବା ବେଳେ କୋରୋନା ମହାମାରୀର ଦ୍ବିତୀୟ ସଂକ୍ରମଣ ଏବେ ଧିରେ ଧିରେ ମୁଣ୍ଡ ନେବା ଆରମ୍ଭ କରିଦେଲାଣି ହେଲେ ପ୍ରଶାସନର ମଶାଣି ଚିନ୍ତା ଯଥା ପୂର୍ବଂ ତଥା ପରଂ ହୋଇରହିଛି। 


କୋଭିଡ ମହାମାରୀର ପ୍ରଥମ ସଂକ୍ରମଣରେ ଶବଦାହ କରିବା ଲାଗି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। ଏବେ ସେହି ପୁରୁଣା ସମସ୍ୟା ପୁଣି ଥରେ ତାଜା ହୋଇଉଠିଛି। କାରଣ ଗୋଟିଏ ପଟେ କୋରୋନା ମହାମାରୀର ଦ୍ବିତୀୟ ଲହର ଏବେ ମୁଣ୍ଡ ନେବା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପୁରୀ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାର ମୃତକଙ୍କ ଶବଦାହ ଉପରେ ରୋକ ଲଗାଇଛି ପ୍ରଶାସନ। ଗତ ବର୍ଷ ଭଳି ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ବୋଝ ବଢିବା ଆରମ୍ଭ ହେଲାଣି। 


Also Read: ସ୍ମାର୍ଟସିଟିକୁ ମଶାଣି ଚିନ୍ତା; ଶବଦାହ ପାଇଁ ଅଭାବ ପଡୁଛି ଜାଗା


ହେଲେ ବିଡମ୍ବନାର କଥା ପୁରୁଣା ଘୋଷଣା ମୁତାବକ ସହରର ୨ କୋଣରେ ଗୋଟିଏ ଲେଖାଏଁ ଏଲପିଜି ଗ୍ୟାସ୍ ଚୁଲ୍ଲା ଏବଂ ବୈଦ୍ୟୁତିକ ଚୁଲ୍ଲା କେବଳ ଘୋଷଣାରେ ଅଟକିଯାଇଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଏମସି କମିଶନରଙ୍କର ପୂର୍ବ ଘୋଷଣା ମୁତାବକ ପଟିଆ ଅଞ୍ଚଳରେ ଥିବା ଶ୍ମଶାନରେ ଏଲପିଜି ଗ୍ୟାସ ଏବଂ ଖଣ୍ଡଗିରି ଆଇଗିଣିଆ ଠାରେ ଇଲେକ୍ଟ୍ରିଟ୍ ଚୁଲ୍ଲାର ବ୍ୟବସ୍ଥା କରାଯାଇଥାନ୍ତା। 


ହେଲେ ଇଲେକ୍ଟ୍ରିଟ୍ ଚୁଲାର ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ। ଘୋଷଣାକୁ ୬ ମାସରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡିପାରିଲାନାହିଁ। ସେପଟେ ଏବେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବେଳେ ଶବଦାହ ପାଇଁ ଖୁବଶିଘ୍ର ଏହି ୨ ଚୁଲା କାର୍ଯ୍ୟକ୍ଷମ ହେବ ବୋଲି ଦୋହରାଇଛନ୍ତି ବିଏମସି କମିଶନର (BMC Commissioner)  ପ୍ରେମ ଚନ୍ଦ୍ର ଚୌଧରୀ (Prem Chandra Chaudhary)। 


Also Read: ଏଣିକି ସ୍ୱର୍ଗଦ୍ୱାର ପରିଚାଳନା କରିବ ସ୍ୱର୍ଗଦ୍ୱାର ସେବା ସମିତି


ରାଜଧାନୀରେ ଏ ପର୍ଯ୍ୟନ୍ତ ୨୫୫ ଜଣଙ୍କ ମୃତ୍ୟୁ ଘଟିଛି। ଆଗକୁ ମୃତ୍ୟୁସଂଖ୍ୟା ବଢିଲେ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ହେଲେ ଇଶ୍ବର ଏପରି ନକରନ୍ତୁ ତଥାପି ଆମକୁ ପୂର୍ବ ସ୍ଥିତିରୁ ଶିକ୍ଷାଲାଭ କରି ଆଗୁଆ ପ୍ରସ୍ତୁତ ରହିବାର ଆବଶ୍ୟକ ରହିଛି। ଏହି କ୍ରମରେ କମିଶନରଙ୍କ ଘୋଷଣା କେବେ କାର୍ଯ୍ୟକାରୀ ହେଉଛି ତାହାକୁ ଅପେକ୍ଷା।