କାଳିଆ ମାୟାରେ 'ରାଜନୀତି' ବାୟା
Advertisement

କାଳିଆ ମାୟାରେ 'ରାଜନୀତି' ବାୟା

ସମସ୍ୟା ଯେଉଁଠି ଥିଲା ସେଇଠି...ମଣ୍ଡିରେ ସଢ଼ୁଛି ଚାଷୀ...

ସୌଜନ୍ୟ: ସୋସିଆଲ ମିଡିଆ

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ଧାନ ମଣ୍ଡିରେ ଶୀତ କାକରରେ ଜଗି ବସିଛନ୍ତି ଚାଷୀ, କେତେବେଳେ ମିଲର ଆସିବେ ଧାନ ବିକ୍ରି ହେବ । କିନ୍ତୁ ମିଲରଙ୍କ ଦେଖାନାହିଁ, ସମାଧାନ ହେବାର ବି ନାଁ ଧରୁନାହିଁ ଚାଷୀଙ୍କ ସମସ୍ୟା । କେତେବେଳେ ଅଦିନିଆ ବର୍ଷା ତ କେତେବେଳେ, ରୋଗ ପୋକର ଦାଉ । ଆଉ ଏବେ ଦାଉ ସାଜିଛି ସରକାରଙ୍କ ଟୋକନ ବ୍ୟବସ୍ଥା । ଯାହାକୁ ନେଇ ବିରୋଧିଙ୍କଠାରୁ ଆରମ୍ଭ କରି ସରକାର ଯାଏଁ ସମସ୍ତେ କୁମ୍ଭୀର କାନ୍ଦଣା ଆରମ୍ଭ କରିଦେଲେଣି । ମାତ୍ର ବାସ୍ତବ ସ୍ଥିତି କିଛି ଅଲଗା ବୟାନ କରୁଛି  । ଧାର କରଜ  କରି ଚାଷୀ ନିଜର ଲହୁଲୁହକୁ ଲଗାଇ ଚାଷ କରୁଛି, ମାତ୍ର ତାର ଉତ୍ପାଦକୁ ସଠିକ ମୂଲ୍ୟରେ ବିକ୍ରି କରିପାରୁନାହିଁ, ଯଦି କହିବା କାହା ଭାଗ୍ୟରେ ବିକ୍ରି ହୋଇଯାଉଛି । ସେ ବି ପୁଣି ଠିକ ସମୟରେ ପ୍ରାପ୍ୟ ବି ମିଳୁନି । ଯାହା ଫଳରେ ପୁଣି ତେଜିବାରେ ଲାଗିଛି ଚାଷୀ ଅସନ୍ତୋଷ । ଧାନ ବିକ୍ରି ପାଇଁ ସରକାର ନିୟମକୁ ଜଟିଳ କରି ଦେଇଥିବା ଅଭିଯୋଗ ହେଉଛି । ଫଳରେ ଚାଷୀ ତାର ଉତ୍ପାଦ ବିକ୍ରି କରିବାକୁ ନୟାନ୍ତ ହେବାକୁ ପଡ଼ୁଛି । ଚାଷୀଙ୍କ ଅଭିଯୋଗ ରହିଛି ଟୋକନ୍ ବ୍ୟବସ୍ଥାରେ ନିର୍ଦ୍ଧିଷ୍ଟ ପରିମାଣର ଧାନ ବିକ୍ରି ହୋଇ ପାରିବ, ହେଲେ ଚଳିତ ବର୍ଷ ଭଲ ଅମଳ ହୋଇଥିବା ବେଳେ, ବଳକା ଧାନକୁ କିପରି ବିକ୍ରି କରିବେ ସେନେଇ ପ୍ରଶ୍ନ ଉଠିଛି । ଗତ ୧୫ ତାରିଖରୁ ମଣ୍ଡି ଖୋଲିଥିଲେ ବି ଏଯାଏଁ ଧାନ ବିକ୍ରି ହୋଇପାରିନି । ତେବେ ଖରିଫ ଧାନ କିଣା ଆରମ୍ଭରୁ ରାଜ୍ୟର ବିଭିନ୍ନ ମଣ୍ଡିରେ ଏପରି ଅବସ୍ଥା ଆରମ୍ଭ ହୋଇଯାଇଥିବା ବେଳେ, ବିଗତ ବର୍ଷ ଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ଚାଷୀମାନେ ଧାନ ବିକ୍ରି କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଳଜଳ ଦିଶୁଛି । 

ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟର ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗୀତା ଚାଲିଛି । ସମସ୍ତେ ଚାଷୀଙ୍କ ପ୍ରତି ଦରଦ ଦେଖାଉଛନ୍ତି । ପ୍ରକୃତରେ ଏମାନଙ୍କ ପାଇଁ ହୃଦୟ କାନ୍ଦୁଛି ନା କେବଳ ଭୋଟବ୍ୟାକକୁ ଆଖି ଆଗରେ ରଖି ମାଇଲେଜ ବଢ଼ାଇବାକୁ ଉଦ୍ୟମ ଚଳାଇଛନ୍ତି ତାହା ମୁଖ୍ୟ ପ୍ରସଙ୍ଗ । କାରଣ ଅସଲରେ ଚାଷୀଙ୍କ ଦୃର୍ଦ୍ଦଶାର ଚିତ୍ର ଆଖିରେ ଦେଖିଲେ ଜାଣିହେବ । ସେପଟେ କାଳିଆ ଯୋଜନାକୁ ନେଇ ଦିନକୁ ଦିନ ରାଜନୀତି ଘନେଇବାରେ ଲାଗିଛି ।  କାଳିଆ ମାୟାରେ ବିଜେଡି ବାୟା ହେଉଥିବା ବେଳେ, ବିରୋଧୀ ବି ଆକ୍ଷେପ କରିବାରେ ପଛାଉନାହାଁନ୍ତି ।  ହେଲେ ଚାଷୀଙ୍କ ସମସ୍ୟା ଯେଉଁଠି ଥିଲା ସେଇଠି ରହିଛି । କେଉଁଠି ମଣ୍ଡିରେ ଧାନ ଧରି ଚାଷୀ ଶୀତ କାକରରେ ପଡିଛି ତ, ପୁଣି କେଉଁଠି ରାସ୍ତାକୁ ଓହ୍ଲାଇଛି । ଯେଉଁ ଚାଷୀଙ୍କ ପ୍ରତି ଦରଦ ଦେଖାଇବାକୁ ରାଜନୀତିକ ଦଳ ଭିତରେ ଜବରଦସ୍ତ ପ୍ରତିଯୋଗିତା  ଚାଲିଛି ସେମାନେ ନିଜ କଷ୍ଟ ଉର୍ପାଜିତ ଫସଲ ବିକି ନପାରି ରାସ୍ତାରେ ପଡିଛନ୍ତି ।