ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ଆଖିରେ ଆଖିଏ ସ୍ୱପ୍ନ ନେଇ ଜିଇଁବାର ରାହା ଖୋଜୁଥିଲି । ଛାତିରେ ଛାତିଏ ଖୁସି ନେଇ ସ୍ୱପ୍ନର ବିରାଟ ପାହାଡ଼ ତିଆରି କରିଥିଲି । କିନ୍ତୁ, ଅଚାନକ୍ ମାଡ଼ି ଆସିଲା କଳାବାଦଲର ବିରାଟ ପ୍ରହେଳିକା । ନିମିଷକ ମଧ୍ୟରେ ସବୁକିଛି କରିଦେଲା ଖିନଭିନ୍ । ରକ୍ତ, ମାଂସ ଭରା ଶରୀରକୁ ଶାଗୁଣା, ବିଲୁଆ ଭଳି ଝୁଣି ଖାଇ ଚାଲିଲା । ପାପୀର ଦାନ୍ତ ଚିହ୍ନ ଆଉ ଶକ୍ତ ଚାପୁଡ଼ାର ଚାବୁକ୍ ମାଡ଼ରେ କୋମଳ ଶରୀର ମୋର ବିକୃତ ହୋଇଗଲା । ହେ ପାପୀ, ହେ ରାକ୍ଷସ, କାହିଁକି ତମର ଏ ଜୁଲୁମ୍ ? କାହିଁକି ନାରୀକୁ ଏତେ ଅସମ୍ମାନ ? ଚିରି ପାରିବ ତୁମ ମା' ଭଉଣୀର ଅନ୍ତଃବସ୍ତ୍ର, ଠିକ୍ ମୋର ଯେମିତି ଚିରିଦେଲ । ବିକୃତ କରିପାରିବ ତୁମ ଝିଅ ଓ ଭଉଣୀଙ୍କ କୋମଳ ଶରୀର, ଠିକ୍ ଯେମିତି ମୋ ସହ କଲ । ହେ, ଭଗବାନ ମୁଁ ଏକ ବଳାତ୍କୃତା ଝିଅ । ଅସହ୍ୟ ଅତ୍ୟାଚାର ପୀଡ଼ା ସହି ନ ପାରି ଚିତ୍କାର କରୁଛି, କିନ୍ତୁ ପ୍ରତିବାଦ କରିବାକୁ ଅନେକ ଥର ସୁଯୋଗ ପାଉନି କି ଜୀବୀତ ରହିପାରୁନି। ଯଦି ବି ବଞ୍ଚିଯାଉଛି ପ୍ରତିବାଦ କରିବାକୁ ମୋ ଶରୀରରେ ଶକ୍ତି ରହୁନି । କ୍ଷତାକ୍ତର ପୀରାମିଡରେ ଆଜି ମୁଁ ସମାଧିସ୍ଥ । ମୋତେ ଉଦ୍ଧାର କର, ଉଦ୍ଧାର କର । ବାସ୍ ଉଦ୍ଧାର କର ।
ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ପରେ ବର୍ବର ହତ୍ୟାକାଣ୍ଡକୁ ନେଇ ସାରା ଦେଶ କ୍ରୋଧିତ। କେବଳ ହାଇଦ୍ରାବାଦ ନୁହେଁ, ସାରା ଦେଶରେ ଦିନକୁ ଦିନ ଆନ୍ଦୋଳନ ତେଜୁଛି।ପ୍ରଫେସନାଲ୍, ଛାତ୍ରଛାତ୍ରୀ, ମହିଳାମାନେ। ସମସ୍ତେ ଓହ୍ଲାଇ ଆସିଛନ୍ତି ସଡ଼କକୁ । ଲୋକଙ୍କ ଏକମାତ୍ର ଦାବି, ଅଭିଯୁକ୍ତଙ୍କୁ ଫାଶୀ ଦିଅ । ଆଉ ବଳାତ୍କାର ବିରୋଧରେ କଡ଼ା ଆଇନ ଆଣ । ଲୋକଙ୍କ ମଧ୍ୟରେ ସରକାର ଓ ସିଷ୍ଟମ ବିରୋଧରେ ମଧ୍ୟ କ୍ରୋଧ ସୀମା ଲଙ୍ଘୁଛି। ସରକାରଙ୍କୁ ଲୋକଙ୍କ ଗୋଟିଏ ପ୍ରଶ୍ନ, ଦିଲ୍ଲୀ ନିର୍ଭୟା କାଣ୍ଡର ୭ବର୍ଷ ପରେ ବି ହାଇଦ୍ରାବାଦରେ ମହିଳାଙ୍କ ଉପରେ ସେହି ଜଘନ୍ୟ ପାପରେ ବ୍ରେକ୍ ଲାଗିନି । ପୀଡ଼ିତ ପରିବାରକୁ ନ୍ୟାୟ ଦେବାପାଇଁ ସାରା ଦେଶ ଏବେ ଏକାଠି ହୋଇଯାଇଛି। ହାଇଦ୍ରାବାଦରେ ଆକ୍ରୋଶ ଏତେମାତ୍ରାରେ ବଢ଼ିଯାଇଛି ଯେ, ଲୋକେ ଅଭିଯୁକ୍ତଙ୍କୁ ଅନ ଦି ସ୍ପଟ୍ ଦଣ୍ଡ ଦେବାକୁ ଚାହୁଁଛନ୍ତି ।ଏମିତି ଜନ ଆକ୍ରୋଶ ସେହି ଦେଶରେ, ଯେଉଁ ଦେଶରେ ଦେବୀମାନଙ୍କୁ ପୂଜା ଯାଉଛି । ଏ କ୍ରୋଧ ହେଉଛି ସେହି ସମାଜର, ଯେଉଁଠି ନବରାତ୍ରରେ କନ୍ୟାଙ୍କୁ ପୂଜା କରାଯାଏ । କିନ୍ତୁ ସତ ଏଇଟା ବି ମଧ୍ୟ । ଆଜି ସେହି ଦେଶରେ ସେହି ସମାଜରେ ମଣିଷ ବେଶରେ ଛପିଥିବା ଦୈତ୍ୟଙ୍କ ପାଇଁ ନିଜ ଦେଶରେ ଥାଇ ସୁଦ୍ଧା ଝିଅମାନେ ଭୟରେ ରହୁଛନ୍ତି।ଝିଅଟିଏ ଘରୁ ଗୋଡ଼ କାଢ଼ିଲେ ହିଁ ମାଆ ଛାତିରେ ପଶୁଛି ଅଜଣା ଛନକା । ଘରକୁ ଫେରିବାରେ ଟିକିଏ ଡ଼େରି ହେଲେ ମନକୁ ଛୁଉଁଛି ପାପ । ହେଲେ ଏମିତି କାହିଁକି ? ଝିଅ ଜନ୍ମ କରିବା କ'ଣ ପାପ ? କ'ଣ ପାଇଁ ପ୍ରତି ମୁହୂର୍ତ୍ତରେ ନାରୀଟିଏ ଦୁଷ୍କର୍ମର ଶିକାର ହେଉଛି ? କ'ଣ ପାଇଁ ପୁରୁଷଟିଏ ଅନ୍ୟ ନାରୀକୁ ଦେଖିଲେ ତାକୁ ଉପଭୋଗ କରିବାକୁ ଚାହୁଁଛି ? ଘରେ ତ ତା'ର ମାଆ ଅଛି, ଭଉଣୀ ଅଛି, କାହିଁ ସେମାନଙ୍କ ସହ ରହିଲା ବେଳେ ତ ପୁରୁଷ ଦେହରେ ପୁରୁଷତ୍ୱ ଜାଗ୍ରତ ହେଉନି ? ତେବେ ପର ଝିଅକୁ ଦେଖିଲେ ହଠାତ୍ ଅମଣିଷ ହୋଇଉଠେ କାହିଁକି ? ଏ ପ୍ରଶ୍ନ ସେଇ ପୁରୁଷମାନଙ୍କୁ ।
ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ତାଙ୍କର ନାରୀର ନୀତି ପୁସ୍ତକରେ ଲେଖିଛନ୍ତି, ଝିଅ ମୋର, ତୁମର ସେବା, ତୁମର ଚାଲିବା, ତୁମର ଚିନ୍ତା, ତୁମର କହିବା ପୁରୁଷ ଜନ ସାଧାରଣଙ୍କ ଭିତରେ ଯେପରି ଏପରି ଗୋଟାଏ ଭାବର ସୃଷ୍ଟି କରେ, ଯେଉଁଥିରେ ସେମାନେ ଅବନତ ମସ୍ତକରେ ନତଜାନୁ ହୋଇ ସସମ୍ଭ୍ରମେ ଭକ୍ତି ଗଦ ଗଦ କଣ୍ଠରେ, ମା ମୋର, ଜନନୀ ମୋର କହି ମୁଗ୍ଧ ହୁଅନ୍ତି, ବୁଦ୍ଧ ହୁଅନ୍ତି, ତୃପ୍ତ ହୁଅନ୍ତି, କୃତାର୍ଥ ହୁଅନ୍ତି, ତେବେ ହିଁ ତମେ ନାରୀ, ତେବେ ହିଁ ତମେ ସତୀ!
ହେଲେ ବାସ୍ତବ ସ୍ଥିତି କିଛି ଅଲଗା ।
କିଛି ବି ଦଣ୍ଡ ଦେଇଦିଅ, ଏବେ ଆଉ କ'ଣ କହିପାରିବି ? ଆଉ କ'ଣ ଅବା କରିପାରିବି ? ସବୁ ଭଗବାନଙ୍କ ହାତରେ, ତା' ବାପା ୨୦୦୬ରେ ମରି ଯାଇଥିଲା, ମୋର ବି ଗୋଟିଏ ଝିଅ ଅଛି, ଅଷ୍ଟମରେ ପଢ଼ୁଛି ।ଏ ହେଉଛି ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାର ଜଣେ ଅଭିଯୁକ୍ତର ମାଆର ମନକଥା । ସେ ଯିଏ ବି ହେଉନା କାହିଁ । ଯିଏ ଦୁଷ୍କର୍ମ କରୁଛି, ସେ ଜଣେ କାହାର ପୁଅ, କାହାର ଭାଇ, ଆଉ କୋଉ ମାଆର ପୁଅ । ହେଲେ କେତେ ଜଣ ତାଙ୍କ ପୁଅ, ଭାଇ, ସ୍ୱାମୀକୁ ନାରୀପ୍ରତି ସମ୍ମାନ ଦେବା କଥା ଶିଖାଉଛନ୍ତି । କେବଳ କେମିତି ପୁଅ ବଡ଼ ହେଲେ ବଡ଼ ମଣିଷ ହେବ ? ସେ କଥାକୁ ନେଇ ସବୁ ମାଆମାନେ ଚିନ୍ତିତ ହେଲେ, କିନ୍ତୁ କୋଉ ମାଆ ଚିନ୍ତିତ ନୁହଁନ୍ତି କି କାହା ଘରେ ନାରୀକୁ ସମ୍ମାନ ଦେବା କଥା ପୁଅକୁ ସିଖାଇବା ନେଇ । ଯାହା ଫଳରେ ପୁଅ ବଡ଼ ହୋଇ ନାରୀର କଞ୍ଚାମାଂସ ପ୍ରତି ଆକର୍ଷିତ ହେଉଛି । ତେବେ ଯଦି ଗୋଟିଏ ପରିବାରରୁ ପୁରୁଷଙ୍କୁ ଉଚିତ ଶିକ୍ଷା ମିଳନ୍ତା ତେବେ ଆଜି ଆମକୁ ଏଭଳି ଏକ ଦୁସ୍ଥ ଓ ହୀନ ସମାଜର ସାମ୍ନା କରିବାକୁ ପଡ଼ନ୍ତାନି । ଅ୍ୟପଟେ ଯଦି ଦେଖାଯାଏ, ଆମ ଶିକ୍ଷା ବ୍ୟବସ୍ଥାରେ ବି ନାରୀକୁ ସମ୍ମାନ ନେଇ କୌଣସି ଟପିକ ମଧ୍ୟ ଦେଖାଯାଏ ନାହିଁ । ଏମିତିକି ସେକ୍ସକୁ ନେଇ ସ୍କୁଲ ହେଉକି ବିଶ୍ୱ ବିଦ୍ୟାଳୟ କେଉଁଠି ବି ଖୋଲାଖୋଲି ଭାବେ ସେକ୍ସ EDUCATIONର ସୁବିଧା ନାହିଁ । ଯଦି ଥାନ୍ତା ବୋଧ ହୁଏ କିଛି ମାତ୍ରାରେ ସମାଜ ପରିବର୍ତ୍ତନ ଆଡ଼କୁ ଯାଇପାରନ୍ତା । ଅପରପକ୍ଷେ ବେଳେବେଳେ ଅନ୍ୟ ଦେଶକୁଡିକରେ ଥିବା ସେକ୍ସ ଫ୍ରି ଦେଶକୁ ନେଇ ବହୁ ତର୍କବିତର୍କ ମଧ୍ୟ ହୁଏ । ଯେମିତିକି ନ୍ୟୁଜିଲାଣ୍ଡ, ଅଷ୍ଟ୍ରିୟା, ବେଲଜିୟମ, କାନାଡ଼ା, କଲୋମ୍ବିଆ, ଡେନମାର୍କ, ଇକ୍ୱାଡ଼ର, ପ୍ରାନ୍ସ, ଜର୍ମାନୀ, ଗ୍ରୀସ, ଇଣ୍ଡୋନେସିଆ, ନର୍ଥଲ୍ୟାଣ୍ଡ, ବ୍ୟଙ୍କକକ୍ ଭଳି ଦେଶ ଗୁଡିକରେ ସେକ୍ସକୁ ଫ୍ରି କରାଯାଇଛି । ସେଥିପାଇଁ ତ ସେକ୍ସ ଫ୍ରି କରାଯାଇଥିବା କେତେକ ଦେଶଗୁଡିକରେ ଦଣ୍ଡ ବିଧାନ ମଧ୍ୟ ସେମିତି କଠୋର ରହିଛି । ପାକିସ୍ତାନ, ଇରାନ ଓ ଦକ୍ଷିଣ ଆଫ୍ରିକାରେ ମୃତ୍ୟୁଦଣ୍ଡ ରହିଥିବା ବେଳେ, ୟୁଏଇରେ ୭ ଦିନ ମଧ୍ୟରେ ଫାଶୀ ଦଣ୍ଡ ରହିଛି । ଜାପାନରେ ମୃତ୍ୟୁ ଦଣ୍ଡ ସହ ମେରୁଦଣ୍ଡକୁ ଗୁଳି କରିଦିଆଯାଏ ।ବାଂଲାଦେଶରେ ମଧ୍ୟ ଅପରାଧ ଅନୁସାରେ ଫାଶୀ ଦଣ୍ଡ ଦିଆଯାଏ । ସେହିପରି ଆମେରିକାରେ ଆଜୀବନ କାରାଦଣ୍ଡ ସହ ଫାଶୀ ଦଣ୍ଡ ମଧ୍ୟ ରହିଛି । ତେବେ ଆମ ଦେଶରେ ମଧ୍ୟ ସେକ୍ସକୁ ଅଗ୍ରାଧିକାର ଦେବା ସହ ସେକ୍ସ EDUCATION ମଧ୍ୟ ନିହାତି ଆବଶ୍ୟକ ରହୁଛି । ଅନ୍ୟପଟେ ଦୋଷୀକୁ କଡ଼ା ଦଣ୍ଡ ବିଧାନର ମଧ୍ୟ ବ୍ୟବସ୍ଥା ରହିବା ଆବଶ୍ୟକ ।
ଯଦି ଦେଖାଯାଏ, ଗୋଟିଏ ଲୋକର ଭଲ ମାଆ ଦରକାର, ଭଲ ଭଉଣୀଟିଏ ଦରକାର, ସୁନ୍ଦର ପ୍ରେମିକଟେ ଦରକାର । ସବୁପରେ ପୁରୁଷକୁ ବୁଝୁଥିବା ଆଉ ନିଜକୁ ପୁରଷ ପାଖରେ ସମର୍ପିତ କରୁଥିବା ସ୍ତ୍ରୀଟେ ଦରକାର । ହେଲେ କଣ ଝିଅଟିଏ ଦରକାର ନାହିଁ, କଣ ପାଇଁ ଏ ରୁଗ୍ଣ ମାନସିକତା, ନିସ୍ତବ୍ଦ ରାତିରେ କେବେ ପୁରୁଷମାନେ ଭାବିଛନ୍ତି ? ସତରେ କଣ ନାରୀ ଜନ୍ମ ହେବା ପାପ କି ? ନା ଇଜ୍ଜତକୁ ରକ୍ଷା କରିବାକୁ ଯାଇ ନାରୀ ସ୍ୱାଧୀନତାକୁ ସମାଧି ଦେବାକୁ ପଡ଼ିବ ? ନା ଏମିତି ସବୁଦିନ ନାରୀ ଆଖିରୁ ଲୁହ ବୋହୁଥିବ, ଆମେ ଏମିତି ନାରୀ ସ୍ୱାଧିନତା ପାଇଁ ଚିତ୍କାର କରୁଥିବା ? ଏମିତି କେତେ ନିର୍ଭୟାଙ୍କ ଉପରେ ପଡ଼ୁଥିବ ସଇତାନଙ୍କ ପାପ ଆଖି ? କେତେ ଦିନ ଏମିତି ଚିତ୍କାର କରୁଥିବ କଳାତ୍କୁତା ଝିଅ ?