Teacher Employement: ରାଜ୍ୟରେ ନିଯୁକ୍ତି ହେବେ ଆହୁରି ୭ ହଜାରରୁ ଅଧିକ ଶିକ୍ଷକ, ଜାଣନ୍ତୁ ସବିଶେଷ
Advertisement

Teacher Employement: ରାଜ୍ୟରେ ନିଯୁକ୍ତି ହେବେ ଆହୁରି ୭ ହଜାରରୁ ଅଧିକ ଶିକ୍ଷକ, ଜାଣନ୍ତୁ ସବିଶେଷ

ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୭ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ। ଏଥିପାଇଁ ଆଜି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। 

ପ୍ରତିକାତ୍ମକ ଫଟୋ

Teacher Employement: ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବିଭାଗକୁ ମଜବୁତ କରିବାକୁ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରି ଆସୁଛନ୍ତି। ସେପଟେ ଆଜି ରାଜ୍ୟ ଯୁବକ ଯୁବତୀଙ୍କ ପାଇଁ ବମ୍ପର ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସରକାରୀ ମାଧ୍ୟମିକ ସ୍କୁଲରେ ୭ ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିକ୍ଷାର ରୂପାନ୍ତରଣ ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନକୁ ଅଧିକ କ୍ରିୟାଶୀଳ କରିବ। ସୋସିଆଲ୍ ମିଡିଆରେ ଏନେଇ 5Tସଚିବ ଭିକେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି।

ନୂତନ ଶିକ୍ଷକ ନିଯୁକ୍ତି ନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ସରକାର ଗତବର୍ଷ ୧୩ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଚଳିତବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ରରେ ମେଗା ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଯୁବକ-ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରି ଆତ୍ମନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହା ବଳିଷ୍ଠ ଉଦ୍ୟମ। ଏହି କ୍ରମରେ ଚଳିତ ବର୍ଷ ୭ ହଜାର ୫୪୦ ଶିକ୍ଷକଙ୍କୁ  ନିଯୁକ୍ତି ପ୍ରଦାନ କରିବେ।

ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍‌ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ।

ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। ପ୍ରକାଶ ଥାଉ କି, ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି।

୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି। ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ।