ଅସମ୍ଭାଳ ଜାଡ଼: ଫୁଟପାଥରେ ପରିବାର ସହ କଟୁଛି ଅନେକଙ୍କ ଜୀବନ
Advertisement

ଅସମ୍ଭାଳ ଜାଡ଼: ଫୁଟପାଥରେ ପରିବାର ସହ କଟୁଛି ଅନେକଙ୍କ ଜୀବନ

ରାଜଧାନୀ ପାଲଟିଛି ମୁକ୍ତାକାଶ ରାତ୍ରି ଆଶ୍ରୟସ୍ଥଳ ।

ଅସମ୍ଭାଳ ଜାଡ଼: ଫୁଟପାଥରେ ପରିବାର ସହ କଟୁଛି ଅନେକଙ୍କ ଜୀବନ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ରାଜଧାନୀ ପାଲଟିଛି ମୁକ୍ତାକାଶ ରାତ୍ରି ଆଶ୍ରୟସ୍ଥଳ । ଶୀତୁଆ ରାତିରେ ଖୋଲାରେ ବିତୁଛି ଶହ ଶହ ନିରାଶ୍ରୟଙ୍କ ଜୀବନ । ରାତି ବଢିଲେ ଶୀତର ପ୍ରକୋପ ବଢୁଛି ତା ସାଙ୍ଗକୁ ବଢୁଛି ବାସହରାଙ୍କ ରାତ୍ରି ଯାପନ । ଏପରି କିଛି ଦୃଶ୍ୟ ରାଜଧାନୀରେ ବୟାନ କରିଛି ବାସ୍ତବ ସ୍ଥିତି । ଗଲା କିଛି ଦିନ ରାଜଧାନୀରେ ଦିନ ରୁ ରାତି ପର୍ଯ୍ୟନ୍ତ ଶୀତର ମାଡରେ ଦେହ ହାତ କାଲୁଆ ପଡିଯାଉଥିବା ବେଳେ ଚଳପ୍ରଚଳ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି । ଏପରି ସ୍ଥଳେ ଖୋଲାରେ ବିଭିନ୍ନ ନିରାଶ୍ରୟଙ୍କ ଜୀବନ ବିତୁଛି ।

ସଂଜ ନଇଁବା ପରେ ରାତି ଯେତିକି ବଢୁଛି ଶୀତର ରୂପ ସେତିକି ଭୟଙ୍କର ହେଉଛି । ଆଉ ଠିକ୍ ସେତିକି ବେଳେ ରାଜଧାନୀର ରେଳ ଷ୍ଟେସନ, ବିଭିନ୍ନ ମଠ ମନ୍ଦିର ସାମ୍ନା, ବସ ଷ୍ଟାଣ୍ଡ, ଫୁଟ ପାଥ୍ ଆଦି ସ୍ଥାନରେ ଦେଖିବାକୁ ମିଳୁଛି ବାସହୀନଙ୍କ ମେଳି । ଖୋଲା ଆକାଶ ତଳେ ବିନା ସାହାରରେ କାଟୁଛନ୍ତି ରାତି । ଜରି ପାଲ ତ ଗୋଟିଏ କମ୍ବଳ ସାହାରରେ ରାତ୍ରିଯାପନ କରୁଛନ୍ତି ବାସହରା । ଦିନରେ ଏଣେତେଣେ ବୁଲି ଭିକ୍ଷା ବୃତ୍ତି ତ ପେଟ ପୋଷିବା ପାଇଁ ନାନାଦି କାର୍ଯ୍ୟ କରୁଥିବା ବେଳେ ରାତି ହେଲେ ମୁଣ୍ଡ ଗୁଂଜିବାକୁ ଛାତ ଅଭାବରୁ ଏପରି ଖୋଲା ଆକାଶରେ ଅତିବାହିତ କରୁଛନ୍ତି ଶତାଧିକ ନିରାଶ୍ରୟ ।

ସେପଟେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସହରରେ ହୋଇଥିବା ରାତ୍ରି ଆଶ୍ରୟସ୍ଥଳି ପକ୍ଷରୁ ସେଠାରେ ଥଇଥାନ କରାଯାଉଥିବା କର୍ତ୍ତୂପକ୍ଷ କହିଛନ୍ତି । ଗତ କିଛି ଦିନର ପ୍ରବଳ ଶୀତ ପରେ ବିଏମସି ନିର୍ଦ୍ଦେଶ କ୍ରମେ ରବିବାର ଓଡିଶା ପତିତ ଉଦ୍ଧାର ସମିତର କର୍ମକର୍ତ୍ତା ବିଭିନ୍ନ ସ୍ଥାନ ଗସ୍ତ କରି ବାସହରା ମାନଙ୍କୁ ନାନା ଉଦ୍ୟମରେ ଉଦ୍ଧାର କରି ଗାଡି ସାହାଯ୍ୟରେ ସହରାଂଚଳ ଆଶ୍ରୟ ସ୍ଥଳୀକୁ ସ୍ତାନାନ୍ତର କରିଥିଲେ । ତେବେ ସହରରେ ଥିବା ୯ଟି ରାତ୍ରି ଆଶ୍ରୟସ୍ଥଳରେ ବେଡ୍ ଖାଲିନଥିବା ବେଳେ କଲ୍ୟାଣ ମଣ୍ଡପ ଖୋଲାରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି ।

ତେବେ ଖୋଲାରେ ରହୁଥିବା ଅନେକ ଲୋକ ଆଶ୍ରୟସ୍ଥଳକୁ ଯିବାକୁ ମଙ୍ଗୁନଥିବା ବେଳେ ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି, ରାସ୍ତା କଡ ଓ ବିଭିନ୍ନ ସ୍ଥାନରେ ରାତ୍ରି ଯାପନ କରିବା ଦ୍ବାରା ଦୂର୍ଘଟଣାର ମଧ୍ୟ ଶିକାର ହେବାର ସମ୍ଭାବନା ରହିଛି । ଏଥିପାଇଁ କର୍ତ୍ତୂପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।