ଘଡ଼ିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢ଼ାଇଲେ ନିରଞ୍ଜନ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ
Advertisement

ଘଡ଼ିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢ଼ାଇଲେ ନିରଞ୍ଜନ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ

ନିଜ ସମର୍ଥକଙ୍କୁ ସହାୟତା ଦେବାକୁ କଲେ ଅନୁରୋଧ

ଫାଇଲ ଫଟୋ

ଭୁବନେଶ୍ୱର: ଯେତେବେଳେ କୋରୋନାକୁ ନେଇ ସମଗ୍ର ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, ଠିକ ସେହି ସମୟରେ ରାଜ୍ୟବାସୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦେବା ନେଇ ସେ ଘୋଷଣା କରିଛନ୍ତି ।  ଏପରିକି କୋଭିଡ ୧୯କୁ ରୋକିବା ଦିଗରେ ରାଜ୍ୟ ସରକାର ନେଉଥିବା ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ପିସିସି ସଭାପତି । ଏଭଳି ମୁହୂର୍ତ୍ତରେ ଦଳମତ ନିର୍ବିଶେଷରେ ସେ ଯେ ରାଜ୍ୟ ସରକାରଙ୍କ ସହ ଅଛନ୍ତି, ଏଭଳି କିଛି ବାର୍ତ୍ତା ଆସିଛି । 

ଆାଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ସହାୟତା ରାଶି କଥା ଉଲ୍ଲେଖ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । କୋରନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ସାମାଜିକ ଦୂରତ୍ୱ ଏବଂ ଲକ୍ ଡାଉନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଲକ୍ ଡାଉନ ଯୋଗୁଁ କଠିନ ସମୟ ଦେଇ ଗତି କରୁଥିବା ନିର୍ମାଣ ଶ୍ରମିକ, ଦିନ ମଜୁରିଆ, ରିକ୍ସା ଚାଳକ, ରାସ୍ତାକଡ଼ ଦୋକାନୀ, ଦାଦନ ଶ୍ରମିକଙ୍କ କଥା ମଧ୍ୟ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ପିସିସି ସଭାପତି । ଏମାନଙ୍କୁ ସହଯୋଗ ପାଇଁ ରାଜ୍ୟ ସରକାର ଆଗେଇ ଆସିବା ଉଚିତ ବୋଲି ସେ ଅନୁରୋଧ କରିଛନ୍ତି । 

ଯଦିଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ, ତଥାପି ମଧ୍ୟ ଏଭଳି ସମୟରେ ଗରିବ ଲୋକଙ୍କ ପାଇଁ ଆହୁରି କିଛି କରିବାର ଆବଶ୍ୟକତା ରହିଛି । ତେଣୁ ଉଭୟ ସରକାର ଏବଂ ଜନସାଧାରଣ ଏକାଠି ହୋଇ କାମ କରିବାର ଆବଶ୍ୟକତା ଥିବା କହିଛନ୍ତି ପିସିସି ସଭାପତି । ସେହିପରି ନିଜର ସମର୍ଥକଙ୍କୁ ମଧ୍ୟ ଏଭଳି ସମୟରେ ସହାୟତା ପାଇଁ ଆଗେଇ ଆସିବାକୁ ଅପିଲ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ ଏବେ ଯେ ସମସ୍ତେ ଏ ଲଢ଼େଇରେ ସାମିଲ, ନିରଞ୍ଜନଙ୍କ ଏହି ସହାୟତା ଏଭଳି କିଛି ବାର୍ତ୍ତା ଦେଇଛି ।