ବିଜେପି ପାଇଁ ଜଟିଳ ହେବ ଏନଆରସି
Advertisement
Article Detail0/zeeodisha/odisha613810

ବିଜେପି ପାଇଁ ଜଟିଳ ହେବ ଏନଆରସି

ସିଏଏକୁ ନେଇ ଦେଶର ବିଭିନ୍ନ ଜାଗାରେ ଅଶାନ୍ତି ଦେଖାଦେଇଥିବା ବେଳେ ଏବେ ସମ୍ଭାବ୍ୟ ଏନ୍ଆରସି  ଆଇନକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି  । କେନ୍ଦ୍ର ସରକାର ମଧ୍ୟ ବିନା ଆଲୋଚନାରେ ଏନ୍ଆରସି  ଆଣିବେ ନାହିଁ ବୋଲି ସବୁଜ ସଙ୍କେତ ଦେଲେଣି ।

ବିଜେପି ପାଇଁ ଜଟିଳ ହେବ ଏନଆରସି
ଯଯାତି ମହାନ୍ତି, ଭୁବନେଶ୍ୱର: ନାଗରିକ ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ଏବେ ଏନ୍ଆରସି  ଉପରେ କେନ୍ଦ୍ର ସରକାରଙ୍କ ନଜର । ଶାସକ ବିଜେଡ଼ି ଏହାକୁ ବିରୋଧ ଆରମ୍ଭ କରିବା ପରେ ଏବେ ଦେଶବ୍ୟାପୀ ଏହାକୁ ବିରୋଧ କରିବା ଆରମ୍ଭ କଲେଣି ବିଭିନ୍ନ ରାଜନୈତିକ ଦଳ । ଜେଡ଼ି-ୟୁ, ଶିବସେନା, ତୃଣମୂଳ କଂଗ୍ରେସ ସହ ଅନେକ ଦଳ ଯୋଡ଼ି ହେଲେଣି ଏନ୍ଆରସି  ବିରୋଧରେ । କେନ୍ଦ୍ର ସରକାର ମଧ୍ୟ ଏହାର ଗମ୍ଭୀରତାକୁ ଉପଲବ୍ଧି  କରି ଏହାର ବିସ୍ତୃତ ଆଲୋଚନା କରିବାର ଆବଶ୍ୟକତା କଥା କହିଲେଣି । ସିଏଏର ବାଟ ଯେତେ ସହଜ ଥିଲା, ଏନ୍ଆରସିକୁ  ନେଇ ବିଜେପିର ପଥ ସେତିକି ସୁଗମ ନୁହେଁ, ବିଜେପି ପାଇଁ ସିଏଏ ଓ ଏନ୍ଆରସିକୁ  ନେଇ ବଢୁଛି ବିପଦ ।
 
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସିଏଏ ଓ ଏନ୍ଆରସି  ସମ୍ପର୍କରେ ପ୍ରତିକ୍ରିିୟା ପରେ ଦେଶବ୍ୟାପୀ ରାଜନୀତି ଆହୁରି ଜୋର୍ ଧରିଛି । ବିଜେଡ଼ିର ଏନ୍ଆରସିକୁ ବିରୋଧ ପରେ ଜେଡ଼ି-ୟୁ, ଶିବସେନା, ତୃଣମୂଳ କଂଗ୍ରେସ ଭଳି ଅନେକ ଦଳ ଏହାକୁ ବିରୋଧ କରିବା ଆରମ୍ଭ କଲେଣି । ସିଏଏ ଦେଶ ବାହାରର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାକୁ ବିଜେଡ଼ି ଗ୍ରହଣ କରିଛି । ହେଲେ ଏନ୍ଆରସି ଦେଶ ଭିତରର ଲୋକଙ୍କୁ ନାଗରିକ ପ୍ରମାଣପତ୍ର ଦେବାକୁ ଥିବାରୁ ଏହାକୁ ବିରୋଧ କରିଛି । ସଂସଦରେ ମଧ୍ୟ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସିଏଏ ଆଲୋଚନାରେ ଭାଗ ନେବା ବେଳେ ଏନ୍ଆରସିକୁ  ସିଏଏ ସହିତ ଯୋଡ଼ାନଯାଉ ବୋଲି କହିଥିଲେ । ଏନ୍ଆରସି  ନେଇ ଥିବା ଦ୍ୱନ୍ଦ୍ୱ ଦୂର ନହେବା ପର୍ଯ୍ୟନ୍ତ ବିଜେଡ଼ି ଏହାକୁ ବିରୋଧ କରିବ ବୋଲି କହିଛି ।
 
ସିଏଏ ଆଇନରେ ପରିଣତ ହୋଇଛି ସତ, ହେଲେ ଏହା ବିରୋଧରେ ନିଆଁ ଜଳୁଛି । ଉତ୍ତରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିିମବଙ୍ଗ ଠାରୁ ଆରମ୍ଭ କରି ଆସାମ, ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବିରୋଧର ସ୍ୱର ଲମ୍ବିବାରେ ଲାଗିଛି । ଆଇନ ଯଦିଓ ଦେଶ ପାଇଁ ଭଲ, ହେଲେ ଏହାକୁ ଲାଗୁ କରିବା ପୂର୍ବରୁ ଦେଶର ସବୁ ରାଜନୈତିକ ଦଳ ସହ ବିସ୍ତୃତ ଭାବେ ବିଚାର ବିମର୍ଷ କରିବାର ଆବଶ୍ୟକତା ଥିଲା ବୋଲି ସମୀକ୍ଷକ ମତ ଦେଇଛନ୍ତି । ଏବେ ସିଏଏ ଯେତିକି ସମସ୍ୟା କେନ୍ଦ୍ର ସରକାର ପାଇଁ ଆଣିଛି, ସେତିକିରେ ବିଜେପି ଏବେ ବ୍ୟାକଫୁଟରେ ରହିଛି । ତେଣୁ ପରବର୍ତ୍ତୀ ପଦକ୍ଷେପ ଏନ୍ଆରସିକୁ ଆଇନ ଭାବେ ଲାଗୁ କରିବା ପୂର୍ବରୁ ଦଳ ଶହେ ଥର ଚିନ୍ତା କରିବ ବୋଲି ସମୀକ୍ଷକ ମତ ଦେଇଛନ୍ତି ।