ବସ୍ ଗଡ଼ିଲା, ହେଲେ ଧରାଛୁଆଁ ଦେଉନାହାଁନ୍ତି ଯାତ୍ରୀ
Advertisement

ବସ୍ ଗଡ଼ିଲା, ହେଲେ ଧରାଛୁଆଁ ଦେଉନାହାଁନ୍ତି ଯାତ୍ରୀ

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ନିଜ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି ବସ୍ ମାଲିକ । 

ପ୍ରତୀକାତ୍ମକ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ଗୋଟିଏ ପ୍ରକାର ସଫଳ ହୋଇଥିଲା । ବସ ମାଲିକଙ୍କ ଦାବି ଉପରେ ସରକାରଙ୍କ ପ୍ରତିଶ୍ରୁତ ପରେ ଆରମ୍ଭ ହୋଇଛି ବସ୍ ଚଳାଚଳ । ନୂଆ ଗାଇଡଲାଇନ ଅନୁସାରେ, ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ ହୋଇପାରିବ । ହେଲେ ଏବେ ପୁଣି ଥରେ ବସ୍ ସେବା ଠପ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ବସ୍ ସିନା ଚାଲୁଛି, ହେଲେ ଯାତ୍ରୀ କାହିଁ ? କୋରୋନା ଭୟରେ କୁଆଡ଼େ ଯିବା ପାଇଁ ଲୋକେ ଚାହୁଁନାହାଁନ୍ତି । 

ଆଜି ଏନେଇ ଘରୋଇ ବସ୍ ମାଲିକ ସଂଘ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ନିଜ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି ବସ୍ ମାଲିକ । ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ କହିବା କଥା ହେଲା, ଯାତ୍ରୀ ନଗଲେ ବସ ଚାଲିବ କେମିତି ? ସେହିପରି କୋରୋନା ଯୋଗୁଁ ଏବେ ରାଜ୍ୟର ରାଜସ୍ୱ ବ୍ୟାପକ ହ୍ରାସ ପାଇଛି । ତେଣୁ ସମସ୍ତଙ୍କୁ ସହାୟତା ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । 

ଅର୍ଥାତ ବସ୍ ମାଲିକଙ୍କୁ ଏବେ ଆର୍ଥିକ ସହାୟତା ଦେବା ମୁଡରେ ନାହାଁନ୍ତି ରାଜ୍ୟ ସରକାର । ଅନ୍ୟପଟେ ସଚେତନ ଓଡ଼ିଶାର ଲୋକ ଏବେ ଘରେ ରହିବାକୁ ଉଚିତ ମନେ କରୁଛନ୍ତି । ଫଳରେ ବସରେ ସିଟ ଖାଲିପଡ଼ୁଛି । କ୍ଷତି ସହୁଥିବା କହୁଛନ୍ତି ବସ୍ ମାଲିକ । ଆଉ ଏସବୁ ଭିତରେ ଆଗକୁ ଘରୋଇ ବସ ଚଳାଇବା ସମ୍ଭବ ହୋଇନପାରେ, ଏଭଳି କିଛି ଅଶଙ୍କା ପ୍ରକାଶ ପାଇବା ସ୍ୱଭାବିକ କଥା । ସେମିତିରେ ବି କୋରୋନା ଲଢ଼େଇ ଆମକୁ ଆହୁରି ବହୁତ ଦିନ କରିବାର ଅଛି ।