Trending Photos
Why Birsa Munda is considered as god for tribals:
ଭାରତର ସ୍ୱାଧୀନତା ସଂଗ୍ରାମରେ କେବଳ ଶିକ୍ଷିତ ସହରୀ ଲୋକଙ୍କ ଭୂମିକା ନଥିଲା । ଗାଁ ଗହଳିର ଅଶିକ୍ଷିତ ଲୋକଙ୍କଠାରୁ ଆଦିବାସୀ ମଧ୍ଯ ଏଥିରେ ଭାଗ ନେଇଥିଲେ । ଆମେ ଗାନ୍ଧୀ,ନେହେରୁଙ୍କୁ ମନେ ରଖିଛେ କିନ୍ତୁ ସେହି ତୁଳନାରେ ବିର୍ସା ମୁଣ୍ଡାଙ୍କୁ ମନେ ରଖିନାହେଁ । କିନ୍ତୁ ଆଦିବାସୀ ବିଶେଷକରି ଝାଡ଼ଖଣ୍ଡର ଲୋକଙ୍କ ମଧ୍ଯରେ ବିର୍ସା ଭଗବାନ ଭାବେ ପରିଚିତ । କାରଣ ସେ ଜଙ୍ଗଲ,ଜମି ଉପରେ ଆଦିବାସୀଙ୍କ ହକ ପାଇଁ ଲଢିଥିଲେ । ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଚାଲକୁ ବୁଝି ଆଦିବାସୀଙ୍କୁ ନିଜ ପାରମ୍ପାରିକ ପରମ୍ପରାକୁ ଫେରିବା ପାଇଁ ପ୍ରେରିତ କରିଥିଲେ । ସେ ନିଜ ପଦ୍ଧତିରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆଦିବାସୀମାନଙ୍କ ଯୁଦ୍ଧର ନେତୃତ୍ୱ ନେଇଥିଲେ। ତାଙ୍କର ଅବଦାନ ଏତେ ଜବରଦସ୍ତ ଥିଲା ଯେ ଆଦିବାସୀମାନେ ତାଙ୍କୁ ଦେବତା ପରି ପୂଜା କରନ୍ତି। ସେ ତାଙ୍କ ସମୟରେ ଏବଂ ଏହା ପରେ ମଧ୍ୟ ଆଦିବାସୀମାନଙ୍କ ପାଇଁ ଏକ ଶକ୍ତିଶାଳୀ ସ୍ୱର ହୋଇ ରହିଛନ୍ତି ।
’ବିଚାର’ ପାଲଟି ଯାଇଥିଲେ ବିର୍ସା ମୁଣ୍ଡା
୧୨୩ ବର୍ଷ ପୂର୍ବେ, ବ୍ରିଟିଶ ସରକାର ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ କିନ୍ତୁ ତାଙ୍କ ବିଚାରକୁ ମାରି ପାରିନଥିଲେ । ସେ ଆଦିବାସୀଙ୍କ ମନରେ ବଂଚିଥିଲେ ଓ ବଂଚି ରହିଛନ୍ତି । ଆଦିବାସୀଙ୍କୁ ସେ ବ୍ରିଟିଶ ଶାସନ ବିରୋଧରେ ଲଢିବା ଶିଖାଇଥିଲେ । ଏହା ସହିତ ସେ ସେମାନଙ୍କୁ ଆତ୍ମ ସମ୍ମାନର ରାସ୍ତା ମଧ୍ୟ ଦେଖାଇଥିଲେ।
ଦାରିଦ୍ର୍ୟରେ ବିତିଥିଲା ପିଲାଦିନ
ବିର୍ସା ମୁଣ୍ଡାଙ୍କ ଜନ୍ମ ୧୫ ନଭେମ୍ବର ୧୮୭୫ରେ ତତ୍କାଳୀନ ବଙ୍ଗପ୍ରଦେଶର ରାଞ୍ଚି ଜିଲ୍ଲାର ଉଲିହାଟୁ ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ସୁଗାନା ମୁଣ୍ଡା ଏବଂ ମାତାଙ୍କ ନାମ ଥିଲା କରିମି ହାଟୁ। ତାଙ୍କର ପିଲାଦିନ ଦାରିଦ୍ର୍ୟରେ ଅତିବାହିତ ହୋଇଥିଲା । ସେ ବଂଶୀ ବଜାଇବାକୁ ବହୁତ ଭଲ ପାଉଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା ସାଲଗାରେ ହୋଇଥିଲା । ପରେ ସେ ଖ୍ରୀଷ୍ଟିଆନ ମିଶନାରୀଙ୍କ ସଂସ୍ପର୍ଷରେ ଆସିଥିଲେ,ଯେଉଁମାନେ କି ତାଙ୍କ ଗାଁର ଲୋକଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଧର୍ମାନ୍ତରିତ କରୁଥିଲେ ।
ଖ୍ରୀଷ୍ଟିଆନ ମିଶନାରୀଙ୍କ ଚାଲ ବୁଝି ପାରିଥିଲେ
ଅଧ୍ୟୟନରେ ବିର୍ସା ବହୁତ ଭଲ ଥିଲେ । ତେଣୁ ସାଲଗା ସ୍କୁଲରୁ ତାଙ୍କୁ ଜର୍ମାନ ମିଶନ ସ୍କୁଲକୁ ପଠାଗଲା, ଯେଉଁଠାରେ ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ଏବଂ ବିର୍ସା ମୁଣ୍ଡାରୁ ବିର୍ସା ଡେଭିଡ ହୋଇଥିଲେ। କିଛି ବର୍ଷ ଅଧ୍ୟୟନ କରିବା ପରେ ବିର୍ସା ମିଶନାରୀମାନଙ୍କର ଖେଳକୁ ବୁଝି ପାରିଥିଲେ । ସେ ଜାଣି ପାରିଥିଲେ ଯେ, ମିଶନାରୀ ଆଦିବାସୀ ସଂସ୍କୃତିକୁ ଲୋପ କରିବାକୁ ଚାହୁଁଛନ୍ତି । ସେ ମିଶନାରୀଙ୍କ ବିରୋଧ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ଦୀର୍ଘ ସମୟ ଧରି ଚାଇଁବସା ରେ ରହିଥିଲେ । ୧୮୯୦ ମସିହାରେ, ସେ ନିଜ ପରିବାର ସହିତ ଖ୍ରୀଷ୍ଟିଆନ ଧର୍ମ ଛାଡି ପାରମ୍ପାରିକ ଆଦିବାସୀ ଧର୍ମକୁ ଫେରି ଆସିଥିଲେ।
ଜନ ଆନ୍ଦୋଳନର ନାୟକ
ଏହି ସମୟ ଥିଲା ଯେତେବେଳେ ଝାଡଖଣ୍ଡର ଆଦିବାସୀ ଅଞ୍ଚଳରେ ସର୍ଦ୍ଦାର ଆନ୍ଦୋଳନ ଚାଲିଥିଲା। ମୁଣ୍ଡା ସର୍ଦାରମାନଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା। ବିର୍ସା ଏହି ଆନ୍ଦୋଳନରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ । ଜଙ୍ଗଲବାସୀଙ୍କୁ ବ୍ରିଟିସ ସରକାର ସେମାନଙ୍କ ଜଙ୍ଗଲରୁ ବଞ୍ଚିତ କରିବାକୁ ଫାନ୍ଦିଫିକର କରୁଥଇଲେ । ୧୮୯୩-୯୪ରେ ଆଦିବାସୀଙ୍କ ଜମି ହଡପ ପାଇଁ ସରକାର ଭାରତୀୟ ଜଙ୍ଗଲ ଆଇନ ୧୮୮୨ କାର୍ଯ୍ୟକାରୀ କରିଥିଲେ। ଆଦିବାସୀଙ୍କ ଜମିକୁ ସଂରକ୍ଷିତ ଜଙ୍ଗଲ ଅଧିନକୁ ଆଣିବା ଥିଲା ଏହି ଆଇନର ଲକ୍ଷ୍ଯ । ଫଳରେ ଖୋଦ ବିର୍ସାଙ୍କ ଗାଁର ଅନେକ ଜମି ସଂରକ୍ଷିତ ଜଙ୍ଗଲ ସୀମା ଭିତରକୁ ଚାଲି ଯାଇଥିଲା । ତେବେ ୧୮୯୪ରେ ସର୍ଦ୍ଦାର ଆନ୍ଦୋଳନ ଦୃଢ ନେତୃତ୍ୱ ଅଭାବରୁ ବିଫଳ ହୋଇଥିଲା ।
ଆଦିବାସୀଙ୍କ ସନ୍ଥ
ଏହାପରଠାରୁ ହିଁ ବିର୍ସା ମୁଣ୍ଡାଙ୍କ ଉତ୍ଥାନ ଆରମ୍ଭ ହୋଇଥିଲା । ସେ ଜଙ୍ଗଲବାସୀଙ୍କୁ ସେମାନଙ୍କ ଆଦିବାସୀ ଧର୍ମକୁ ଫେରିବା ପାଇଁ ପ୍ରେରଣା ଦେଇଥିଲେ ଏବଂ ଜଣେ ସାଧୁ ଭାବରେ ଲୋକଙ୍କ ଭିତରେ ତାଙ୍କର ଭାବମୂର୍ତ୍ତି ତିଆରି ହୋଇଥିଲା ।ସେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଠିଆ ହେବା ପାଇଁ ଲୋକଙ୍କୁ ପ୍ରେରଣା ଦେଇଥିଲେ, ଯେଉଁମାନେ ପାରମ୍ପାରିକ ଆଦିବାସୀ ଚାଷ ବଦଳରେ ନିଜର ଜମିଦାରୀ ବ୍ୟବସ୍ଥା ଲାଗୁ କରିବାକୁ ଚାହୁଁଥିଲେ।
ଧରିତ୍ରୀ ବାବା
ବିର୍ସା ମୁଣ୍ଡା ଲୋକମାନଙ୍କୁ ଖ୍ରୀଷ୍ଟିଆନ ଧର୍ମ ଛାଡି କେବଳ ଏକ ଇଶ୍ବରଙ୍କଠାରେ ବିଶ୍ୱାସ କରିବାକୁ କହିଥିଲେ, ସେ ନିଜକୁ ମସିହା ବୋଲି ଘୋଷଣା କରିଥିଲେ ଏବଂ କହିଥିଲେ ଯେ,ସେ ସେମାନଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେବାକୁ ଆସିଛନ୍ତି । ବର୍ତ୍ତମାନ ରାଣୀ ଭିକ୍ଟୋରିଆଙ୍କ ଶାସନ ଶେଷ ହୋଇଛି ଏବଂ ମୁଣ୍ଡା ଶାସନ ଆରମ୍ଭ ହୋଇଛି ବୋଲି ସେ ଘୋଷଣା କରିଥିଲେ। ମୁଣ୍ଡା ଆଦିବାସୀ ତାଙ୍କୁ ଧରିତ୍ରୀ ବାବା ବୋଲି କହିବା ଆରମ୍ଭ କଲେ । ଏହି ସମୟରେ ବିର୍ସା ମୁଣ୍ଡାଙ୍କୁ ବ୍ରିଟିଶ ସରକାର ଗିରଫ କରି ଦୁଇ ବର୍ଷ ଜେଲରେ ରଖିଥିଲେ ।
୧୮୯୮ ମସିହାରେ ଜେଲରୁ ମୁକୁଳିବା ପରେ ବିର୍ସା ଗୁପ୍ତରେ ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ଏକଜୁଟ କରିବା ପାଇଁ କାର୍ଯ୍ୟ ଜାରି ରଖିଥିଲେ ଏବଂ ବିଭିନ୍ନ ସ୍ଥାନରେ ବ୍ରିଟିଶମାନଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ। ଧୀରେ ଧୀରେ ଏହା ବ୍ରିଟିଶ ଏବଂ ମୁଣ୍ଡା ଆଦିବାସୀମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧର ରୂପ ନେଇଥିଲା । ବ୍ରିଟିଶ ସରକାର ତାଙ୍କ ମୁଣ୍ଡ ଉପରେ ୫ଶହ ଟଙ୍କା ର ପୁରସ୍କାର ରଖିଥିଲେ। ୩ ଫେବୃଆରୀ ୧୯୦୦ ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ୯ ଜୁନ୍ ୧୯୦୦ ରେ ତାଙ୍କର ଦେହାନ୍ତ ହୋଇଥିଲା। ବ୍ରିଟିଶ ସରକାର ତାଙ୍କୁ ବିଷ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଏ । ତାଙ୍କ ପରେ ଏହି ଆନ୍ଦୋଳନକୁ ଦମନ କରାଯାଇଥିଲା, କିନ୍ତୁ ୧୯୦୮ ମସିହାରେ ବ୍ରିଟିସ ସରକାର ଏକ ରକମ ମୁଣ୍ଡ ନୁଆଁଇ ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାରକୁ ସ୍ୱୀକାର କରିଥିଲେ । ଘୋଷଣା କରିଥିଲେ ଯେ ଆଦିବାସୀମାନଙ୍କଠାରୁ ଜମି ନିଆଯିବ ନାହିଁ।