୨୬ ବର୍ଷ ପରେ ପଡ଼ୁଛି ନାଗାର୍ଜୁନ ବେଶ, ବିନା ଭକ୍ତରେ ଦର୍ଶନ ଦେବେ ମହାପ୍ରଭୁ
Advertisement

୨୬ ବର୍ଷ ପରେ ପଡ଼ୁଛି ନାଗାର୍ଜୁନ ବେଶ, ବିନା ଭକ୍ତରେ ଦର୍ଶନ ଦେବେ ମହାପ୍ରଭୁ

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଚଳିତ ବର୍ଷ କାର୍ତ୍ତିକ ମାସର ନଭେମ୍ବର ୨୭ରେ ହେବ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ। ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏହି ଦୁର୍ଲଭ ବେଶ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ୪୦ ଲକ୍ଷ ଟଙ୍କାର ବଜେଟ। ହେଲେ କୋଭିଡ କ

୨୬ ବର୍ଷ ପରେ ପଡ଼ୁଛି ନାଗାର୍ଜୁନ ବେଶ, ବିନା ଭକ୍ତରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଚଳିତ ବର୍ଷ କାର୍ତ୍ତିକ ମାସର ନଭେମ୍ବର ୨୭ରେ ହେବ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ। ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏହି ଦୁର୍ଲଭ ବେଶ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ୪୦ ଲକ୍ଷ ଟଙ୍କାର ବଜେଟ। ହେଲେ କୋଭିଡ କଟକଣାରେ ଯେଭଳି ମହାପ୍ରଭୁଙ୍କର ଘୋଷଯାତ୍ରା ହେଲା ସେହିଭଳି ଯଦି ସ୍ଥିତିରେ ସୁଧାର ନ ଆସେ ତେବେ ବିନା ଭକ୍ତରେ ନାଗାର୍ଜୁନ ବେଶ କରାଯିବା ପାଇଁ ଆଲୋଚନା କରାଯିବ। 

ତେବେ ଏ ନେଇ ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରି ସବିଶେଷ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କମିଟି ସଦସ୍ୟ । ସେପଟେ ବେଶ କରିବା ପାଇଁ ଚଳିତ ବର୍ଷ ବଳରାମ ଖୁଣ୍ଟିଆଙ୍କ ପାଳି ରହିଥିବା ବେଳେ ତାଙ୍କ ବାପା ଚକ୍ରକୋଟ ଜଗନ୍ନାଥ ଖୁଣ୍ଟିଆ ୧୯୬୬ ଓ ୧୯୯୪ ପରେ ବେଶ ସମ୍ପାଦନ କରିଥିବା ତଥ୍ୟ ରହିଥିବା ବେଳେ ଏବର୍ଷ ମଧ୍ୟ ତାଙ୍କ ପରିବାର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଫେବ୍ରୁଆରୀରେ ଚିଠି କରିଥିବା କହିଛନ୍ତି।

୨୬ ବର୍ଷ ପରେ ପଡୁଛି ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ। ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି। ହେଲେ ବେଶଟି ଶ୍ରୀମନ୍ଦିର ଭିତରେ ହେଇଥିବାରୁ ବେଶ କରାଯିବାରେ କୌଣସି ସମସ୍ୟା ନାହିଁ। ହେଲେ ବର୍ତ୍ତମାନର କୋଭିଡର ସ୍ଥିତିକୁ ଦେଖିଲେ ଯଦି ସେ ସମୟରେ କୋରୋନାର ପ୍ରକୋପ କମିନଥିବ ତେବେ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ତେବେ ଶ୍ରୀମନ୍ଦିର ବିଧି ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ ଯେବେ ପଞ୍ଚୁକ ୬ ଦିନ ପଡେ ସେହି ବର୍ଷ ନାଗାର୍ଜୁନ ବେଶ କରାଯିବ। ତେଣୁ ଚଳିତ ବର୍ଷ କାର୍ତ୍ତିକ ମାସର ଦ୍ୱାଦଶୀ ତିଥିରେ ଅର୍ଥାତ ନଭେମ୍ବର ୨୭ରେ ପଡୁଛି ନାଗାର୍ଜୁନ ବେଶ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ଚଳିତ ବର୍ଷର ବଜେଟରେ ନାଗାର୍ଜୁନ ବେଶ ପାଇଁ ୪୦ ଲକ୍ଷ ଟଙ୍କାର ଅନୁମୋଦନ ହୋଇଛି। ତେବେ ମହାପ୍ରଭୁଙ୍କର ଏହି ବୀର ବେଶ ଦୁର୍ଲଭ ହୋଇଥିବାରୁ ଭକ୍ତଙ୍କର ମଧ୍ୟ ଉତ୍ସାହ ରହିଛି। 

୧୯୯୪ରେ ଶେଷଥର ଏହି ବେଶ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନାଗାର୍ଜୁନ ବେଶ ହେଲେ ୬୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା କରାଯାଉଛି। ତେବେ କୋରୋନାକୁ ନେଇ ଚଳିତ ବର୍ଷ ଲକ୍ଷଲକ୍ଷ ଭକ୍ତ ଦର୍ଶନରୁ ବଞ୍ଚିତ ହେବେ। ତେବେ ୧୯୯୪ରେ ହୋଇଥିବା ନାଗାର୍ଜୁନ ବେଶରେ ୬ ଜଣ ଲୋକ ଦଳାଚକଟାରେ ମୃତ୍ୟୁବରଣ କରିଥିଲେ। ତେଣୁ ଚଳିତବର୍ଷ ବିନା ଭକ୍ତରେ କରାଯିବାକୁ ଥିବା ବେଳେ ଆଗାମୀ ପରିଚାଳନା କମିଟିରେ ଏ ନେଇ ଆଲୋଚନା ହୋଇପାରେ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ  ।

ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ସମୟରେ ଅନେକ ନାଗା ସାଧୁ ମଧ୍ୟ ଆସିଥାନ୍ତି । ତେବେ ଶ୍ରୀମନ୍ଦିର ତଥ୍ୟ ଅନୁସାରେ ୧୯୬୬, ୧୯୮୩, ୧୯୯୩, ୧୯୯୪ରେ ଏହି ବେଶ ରତ୍ନ ସିଂହାସନରେ ହୋଇଥିଲା। ଏହା ପରଠାରୁ ଆଉ ତିଥି ପଡିନାହିଁ। ହେଲେ ତିନି ପୁରୁଷ ଧରି ନାଗାର୍ଜୁନ ବେଶ କରୁଥିବା ଲୋକନାଥ ଖୁଣ୍ଟିଆଙ୍କ ପୁଅ ଚକ୍ରକୋଟ ଜଗନ୍ନାଥ ଖୁଣ୍ଟିଆଙ୍କ ପରିବାରକୁ ୧୯୯୩ ଓ ୧୯୯୪ରେ ନାଗାର୍ଜୁନ ବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲା। ତେଣୁ ସେହି ପରିବାର ପକ୍ଷରୁ ତାଙ୍କ ପୁଅ ବଳରାମ ଖୁଣ୍ଟିଆ ରେକର୍ଡ ଅଫ ରାଇଟ୍ସ ବା ଶ୍ରୀମନ୍ଦିର ସତ୍ୱଲିପିକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ବେଶ କରିବା ପାଇଁ ଅନୁରୋଧ କରିଛନ୍ତି  । 

ସେ ବାପାଙ୍କ ସମୟର ତଥ୍ୟକୁ ନେଇ  ୨୦୨୦ ଫେବୃୟାରୀରେ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଛନ୍ତି  । ଦଶହରା ଦିନ ଏହି ବେଶ ତିଆରି କରାଯିବ  । ସେଥିରେ ନାଗାଧେନୁ , ତୀର , ହାଣ୍ଡିଆ ନାଗା ତାଟି ତିଆରି କରାଯିବ। ଆଉ ଏସବୁ ସୋଲ, ଜରି, ଜମ୍ବୁରା, ବତା, କଇଁଥ ଅଠାରେ ପ୍ରସ୍ତୁତ କରାଯିବ। ଆଉ ଚଳିତ ବର୍ଷ ବେଶ ତାଙ୍କ ପରିବାର କରିବାକୁ ଥିବାବେଳେ ରତ୍ନ ସିଂହାସନରେ ବେଶ ଲାଗି କରିବେ ସିଂହାରୀ। ସକାଳ ଧୁପ ପରେ ନୀତି ଆରମ୍ଭ ହୋଇ ଦେଢ ଘଣ୍ଟାରୁ ଦୁଇ ଘଣ୍ଟା ଧରି ବେଶ କରାଯିବ। ତେଣୁ ଚଳିତ ବର୍ଷ ବିନା ଭକ୍ତରେ ଏହା ହେବାକୁ ଯାଉଥିବା ବେଳେ ଏଭଳି ଏକ ବେଶ ତିଆରି କରିବା ପାଇଁ ତାଙ୍କ ପରିବାର ବେଶ ଗର୍ବିତ ବୋଲି କହିଛନ୍ତି ବଳରାମ ଖୁଣ୍ଟିଆ ।