ପୁଣି ଅନର କିଲିଂ : ସର୍ବସାଧାରଣ ସ୍ଥାନରେ ଛୁରୀଭୁଷି ହତ୍ୟା
Advertisement
Article Detail0/zeeodisha/odisha1192323

ପୁଣି ଅନର କିଲିଂ : ସର୍ବସାଧାରଣ ସ୍ଥାନରେ ଛୁରୀଭୁଷି ହତ୍ୟା

ସମ୍ମାନ ପାଇଁ ହତ୍ୟା । ଅନ୍ୟଜାତିରେ ଝିଅ ବିବାହ କରିଥିବାରୁ ଜ୍ୱାଇଁଙ୍କୁ ମାରିଲେ ଶ୍ୱଶୁର ଘର ଲୋକେ। ୧୫ ଦିନ ଭିତରେ ହାଇଦ୍ରାବାଦ ସହରର ଦ୍ୱିତୀୟ ଅନର କିଲିଂ ଘଟଣା।

ପୁଣି ଅନର କିଲିଂ : ସର୍ବସାଧାରଣ ସ୍ଥାନରେ ଛୁରୀଭୁଷି ହତ୍ୟା

ହାଇଦ୍ରାବାଦ: ହାଇଦ୍ରାବାଦ ସହରରେ ପୁଣି ଦେଖିବାକୁ ମିଳିଛି ଅନର କିଲିଂ(Honour Killing)। 'ସମ୍ମାନ' ପାଇଁ ଜଣେ ଯୁବକଙ୍କୁ ତାଙ୍କ ବାପାଙ୍କ ସାମ୍ନାରେ ଛୁରୀଭୁଷି ହତ୍ୟା କରାଯାଇଛି । ଯୁବକଙ୍କ ଭୁଲ ଏତିକି ଥିଲା ଯେ ସେ ଭଲ ପାଇ ଅନ୍ୟ ଜାତିରେ ବିବାହ କରିଥିଲେ। ଶୁକ୍ରବାର ଦିନ  ରାତିରେ ଶାହିୟାଥଗୁଞ୍ଜ ପୋଲିସ ଥାନା (Shahinayathgunj Police Station) ଅଧିନସ୍ଥ ବେଗମ ବଜାରର ବ୍ୟସ୍ତବହୁଳ ମାଛ ବଜାର ନିକଟରେ ମୃତ ଯୁବକଙ୍କୁ ତାଙ୍କ ପତ୍ନୀଙ୍କ ସମ୍ପର୍କୀୟ ଛୁରୀ ଭୁଷି ହତ୍ୟା କରିଥିଲେ। ନୀରଜ ପନୱାର ନାମକ ଏହି ଯୁବ ବ୍ୟବସାୟୀ ତାଙ୍କ ବାପା ରାଜେନ୍ଦ୍ର ପନୱାରଙ୍କ ସହ ଘରକୁ ଫେରିବା ପାଇଁ ଦୋକାନ ବନ୍ଦ କରିବା ସମୟରେ ଆକ୍ରମଣକାରୀ ତାଙ୍କୁ ପ୍ରଥମେ ଗ୍ରାନାଇଟ୍ ପଥରରେ ପଛପଟୁ ଆକ୍ରମଣ କରିଥିଲେ। ନୀରଜ ତଳେ ପଡ଼ିଯିବା ପରେ ନଡ଼ିଆ କାଟିବା ପାଇଁ ବ୍ୟବହୃତ ହେଉଥିବା ଏକ  ଛୁରୀ ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିଲେ ଆକ୍ରମଣକାରୀ।

୨୨ ବର୍ଷୀୟ ନୀରଜ ପନୱାର (Neeraj Panwar) କୋଲସାୱାଡି (Kolsawadi) ଅଞ୍ଚଳର ବାସିନ୍ଦା ଯାହା ବେଗମ୍ ବଜାର ଅଞ୍ଚଳରେ (Begum Bazar Area) ଅବସ୍ଥିତ। ସେ ବାପା ରାଜେନ୍ଦ୍ର ପନୱାରଙ୍କ ସହ ଚିନାବାଦାମର ଖୁଚୁରା ବ୍ୟବସାୟ କରୁଥିଲେ। ଏହାରି ଭିତରେ ଗତ ଦେଢ଼ବର୍ଷ ତଳେ କନ୍ୟା ଘର ଲୋକଙ୍କ ବିରୋଧ ସତ୍ତ୍ୱେ ସେହି ଅଞ୍ଚଳର ବାସିନ୍ଦା ସଞ୍ଜନାଙ୍କୁ ପ୍ରେମ ବିବାହ କରିଥିଲେ। ଗତ ଦେଢ଼ ମାସ ପୂର୍ବରୁ ତାଙ୍କର ଏକ ଛୋଟ ସନ୍ତାନ ଟିଏ ମଧ୍ୟ  ଜନ୍ମ ନେଇଛି। ତେବେ ସଞ୍ଜନାଙ୍କ ପରିବାର ଏହି ବିବାହକୁ  ବିରୋଧ କରୁଥିବାରୁ ସେମାନଙ୍କର ନୀରଜଙ୍କ ଉପରେ ଘୃଣାଭାବ ରହିଥିଲା ଏବଂ ବିବାହ ପରେ ସଞ୍ଜନାଙ୍କ ପରିବାର ସଦସ୍ୟ ବାରମ୍ବାର ନୀରଜଙ୍କୁ ଧମକ ଦେଉଥିଲେ ବୋଲି ଜଣାପଡିଛି । ସେମାନେ ଗତ ଛଅମାସ ଧରି ଏହି ହତ୍ୟା ଷଡ଼ଯନ୍ତ୍ର ରଚି଼ଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି । ତେବେ ଷଡ଼ଯନ୍ତ୍ରକୁ ହତ୍ୟାକାଣ୍ଡର ରୂପ ଦେବାପାଇଁ ଗୋଟିଏ ସପ୍ତାହ ପୂର୍ବରୁ ସେମାନେ ନୀରଜଙ୍କ ଦୋକାନ ପାଖରୁ ତାଙ୍କ ଘର ପର୍ଯ୍ୟନ୍ତ  ଗତିବିଧି ଜାଣିବା ସହିତ ରେକି (recee) ମଧ୍ୟ କରିଥିଲେ।  

ଶୁକ୍ରବାର ଦିନ ପାଗ ମେଘୁଆ ଥିବାରୁ ରାସ୍ତାରେ ବେଶି ଜନସମାଗମ ନଥିଲା । ଆଉ ଏହାର ସୁଯୋଗ ନେଇ  ଏହି ଷଡଯନ୍ତ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇଟି ବାଇକ ରେ ଆସିଥିବା ଆକ୍ରମଣକାରୀ ଅପରାଧ କରିବା ପରେ ପଳାଇ ଯାଇଥିଲେ। ପୋଲିସ ନୀରଜଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା ​​ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତକାଲି ନୀରଜଙ୍କ ପରିବାର ସହ ସମ୍ପର୍କୀୟ ବେଗମ ବଜାରରେ ପୋଲିସ ବିରୋଧରେ ଆନ୍ଦୋଳନ କରିଥିଲେ। ଏନେଇ ନୀରଜଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି (IPC) ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇ ନେଇଛି । ଏହାଭିତରେ ପୋଲିସ ଶନିବାର ଦିନ ହାଇଦ୍ରାବାଦ ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା କର୍ଣ୍ଣାଟକର ଗୁରୁମିତକାଲ (Gurumitkal) ଅଞ୍ଚଳରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ  ୧୫ ଦିନ ପୂର୍ବରୁ ହାଇଦ୍ରାବାଦ ସହର ସରୁର ନଗର ପୋଲିସ ଥାନା ଅଞ୍ଚଳରେ ଆଉ ଏକ ଅନର କିଲିଂ ଘଟଣା ସାମ୍ନାକୁ ଆସିଥିଲା। ଯାହାକି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣା ମନରୁ ଲିଭି ନଥିବାବେଳେ ପୁଣି ଏକ ଅନର କିଲିଂ ମାମଲା ସାମ୍ନାକୁ ଆସିଛି।