ଜେଲ୍ ରୁ ବେଲ୍ ହେଲା ପତ୍ନୀ ଓ ଝିଅର ଚିକିତ୍ସା ପାଇଁ । ମାତ୍ର ବେଲ୍ ରେ ଆସି ସାମିଲ ହେଲେ ବାହୁଡା ଯାତ୍ରାରେ। ପତ୍ନୀ ଓ ଝିଅର ଚିକିତ୍ସା ପାଇଁ ୧୪ ଦିନର ଅନ୍ତରୀଣ ଜାମିନ ପାଇ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବାହୁଡ଼ା ଯାତ୍ରା ଭଳି ସାମୂହିକ କାର୍ଯ୍ୟକ୍ରମରେ ସାମିଲ ହେଲେ । ବାହୁଡାରେ ସାମିଲ ହେବା ସମସ୍ୟା ନୁହେଁ,ହେଲେ ପ୍ରଶ୍ନ ,ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବେନି ଗୋବିନ୍ଦ ସାହୁ?
Trending Photos
ବଲାଙ୍ଗିର: ଚିକିତ୍ସା କରେଇବାପାଇଁ ବେଲ୍ ରେ ଆସିଲେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ହେଲେ ଦେଖିବାକୁ ମିଳିଲା ଗାଁରେ ଅନୁଷ୍ଠିତ ହୋଇଥିବା ବାହୁଡ଼ା ଯାତ୍ରାରେ । ପତ୍ନୀ ଓ ଝିଅର ଚିକିତ୍ସା ପାଇଁ ଗୋବିନ୍ଦ ସାହୁଙ୍କୁ ଚଳିତ ମାସ ୮ ତାରିଖରେ ୧୪ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ମାନ୍ୟବର ହାଇକୋର୍ଟ । ମାତ୍ର ସେ ଜଣେ ସାଧାରଣ ଲୋକଙ୍କ ପରି ଗାଁ ରଥଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । କହିରଖୁଛୁ ଯେ,ବାହୁଡା ଯାତ୍ରାରେ ସାମିଲ ହେବା କୌଣସି ଦୋଷାବହ ନୁହେଁ,ମାତ୍ର ଜଣେ ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପତ୍ନୀ ଓ ଝିଅର ଚିକିତ୍ସା ପାଇଁ ଜେଲ୍ ରୁ ଜାମିନରେ ଆସି ବାହୁଡ଼ା ଯାତ୍ରା ଭଳି ସାମୂହିକ କାର୍ଯ୍ୟକ୍ରମରେ କିପରି ସାମିଲ ହୋଇପାରୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ? କଥାଉଠୁଛି,ଏପରି ଖୁଲମଖୁଲା ବୁଲାବୁଲି କରୁଥିବା ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବେନି ତ ?
ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତ ଶୁକ୍ରବାର ଜାମିନରେ ବାହାରିଛି । ଗତ ୨୯ ତାରିଖ ଦିନ ମାନ୍ୟବର ହାଇକୋର୍ଟ ତାକୁ ୧୪ ଦିନିଆ ଅନ୍ତରୀଣ ପ୍ରଦାନ କରିଥିଲେ । ସେହି କ୍ରମରେ ଶୁକ୍ରବାର କଡ଼ା ସୁରକ୍ଷା ବଳୟରେ ଗୋବିନ୍ଦକୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯିବା ପରେ ଜେଲ୍ ହାଜତରୁ ସେ ଘରକୁ ଯାଇଥିଲା । ସୁଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡି କଣ୍ଟାବାଞ୍ଜି ଉପକାରଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ । ଗୋବିନ୍ଦର ଓକିଲ ଦୁର୍ଗାନନ୍ଦ ପାଢ଼ୀ ଗୋବିନ୍ଦର ସ୍ତ୍ରୀ ଏବଂ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ । ଶୁକ୍ରବାର ଓକିଲ ଶ୍ରୀ ପାଢ଼ୀ ହାଇକୋର୍ଟ ଦେଇଥିବା ଜାମିନ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଦାଖଲ କରିଥିଲେ। ତାପରେ ଗୋବିନ୍ଦ ବେଲ୍ ରେ ଘରକୁ ଯିବାକୁ ସକ୍ଷମ ହୋଇଥିଲା ।
ତେବେ ମାନ୍ୟବର ଅଦାଲତ ବିଭିନ୍ନ ସର୍ତ୍ତ ଏବଂ ୫୦ ହଜାରର ଦୁଇଜଣଙ୍କ ଜମାନତରେ ଗୋବିନ୍ଦକୁ ଜାମିନରେ ଛାଡ଼ିଛନ୍ତି । ଏ ନେଇ ଗୋବିନ୍ଦର ଓକିଲ ଶ୍ରୀ ପାଢ଼ୀ କହିଛନ୍ତି ଯେ, ମାନ୍ୟବର ହାଇକୋର୍ଟ ୮ଟି ସର୍ତ୍ତ ରଖିଛନ୍ତି । ସେଥିରେ ତଦନ୍ତ କରୁଥିବା ପୁଲିସ ଅଧିକାରୀ(Investing officer) ପାଖରେ ଗୋବିନ୍ଦ ପ୍ରତିଦିନ ସନ୍ଧ୍ୟାରେ ହାଜର ହେବ । ନିଜ ଅଞ୍ଚଳରେ ହିଁ ରହିବ,କୋର୍ଟଙ୍କ ଜାମିନ ସର୍ତ୍ତ ଅନୁସାରେ ବିନା ଅନୁମତିରେ ସେ ନିଜ ଅଞ୍ଚଳ ଛାଡ଼ି ପାରିବେ ନାହିଁ। ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେ ନାହିଁ କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେନି । ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବ ନାହିଁ ଆଦି ଆଦେଶ ରହିଛି । ଅନ୍ୟପକ୍ଷରେ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମ ଚଣ୍ଡିର ଜାମିନ୍ ଖାରଜ ହେବାରୁ ସେ ବିଚାର ବିଭାଗୀୟ ହାଜତରେ ରହିଛି ।
ସୂଚନାଯୋଗ୍ୟ, ମହାଲିଙ୍ଗ ସନ୍ ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମମିତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ହତ୍ୟା କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ଯାହାକି ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲାରେ ଗୋବିନ୍ଦ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଜେଲ୍ ରେ ଥିଲା । ତେବେ ଗୋବିନ୍ଦ ସହିତ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା ।