କୁଖ୍ୟାତ ମାଓବାଦୀ ଶଙ୍କର ଗିରଫ, ୨୦୦୯ ନାଲକୋ ଆକ୍ରମଣରେ ଥିଲା ଲିଙ୍କ୍
ମହେନ୍ଦ୍ର ଦରୁନ, ରମେଶ, ଆରୁଣ, ମହେଶ ନାମରେ ଭେରା ମଲାଇୟାଙ୍କ ପୁଅ ଦୁବାଶି ଶଙ୍କର ପରିଚିତ ଥିଲା। ତାଙ୍କ ଘର ତେଲେଙ୍ଗାନାର ମେଡକ ଜିଲ୍ଲାର ଦୌଲତାବାଦ ଅନ୍ତର୍ଗତ ମୁଥାରାସି ଚେଟଲା ଗ୍ରାମରେ ବୋଲି ସୂଚନା ମିଳିଛି।
କୋରାପୁଟ: କୁଖ୍ୟାତ ମାଓବାଦୀ ଶଙ୍କର ଗିରଫ ହୋଇଛି। ରବିବାର ରାତିରେ ସର୍ଚ୍ଚ ଅପରେସନ ବେଳେ ବୈପାରିଗୁଡାର ଏକ ଜଙ୍ଗଲରୁ ତାକୁ ସୁରକ୍ଷା କର୍ମୀମାନେ ଗିରଫ କରିଛନ୍ତି। ଓଡିଶା ସମେତ ତିନୋଟି ରାଜ୍ୟରେ ଶଙ୍କର ଆତଙ୍କ ଖେଳାଇଥିଲା। ବିଶେଷ କରି କୋରୋପୁଟ ଓ ମାଲକାନଗିରିରେ ହୋଇଥିବା ମାଓ ହମଲାରେ ସେ ସକ୍ରୀୟ ଥିଲା।
ମହେନ୍ଦ୍ର ଦରୁନ, ରମେଶ, ଆରୁଣ, ମହେଶ ନାମରେ ଭେରା ମଲାଇୟାଙ୍କ ପୁଅ ଦୁବାଶି ଶଙ୍କର ପରିଚିତ ଥିଲା। ତାଙ୍କ ଘର ତେଲେଙ୍ଗାନାର ମେଡକ ଜିଲ୍ଲାର ଦୌଲତାବାଦ ଅନ୍ତର୍ଗତ ମୁଥାରାସି ଚେଟଲା ଗ୍ରାମରେ ବୋଲି ସୂଚନା ମିଳିଛି। ଗତ ୧୨ ତାରିଖରେ ବୈପାରିଗୁଡା ଥାନା ଅଧୀନସ୍ଥ ପେଟାଗୁଡା ଏବଂ ନୋରୋ ଗ୍ରାମରେ, ବୈପାରୀଗୁଡା ପୋଲିସ, SOG, DVF ଓ BSF ମିଳିତ ଭାବେ ଏକ ଅପରେସନ୍ କରିଥିଲେ। ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷାକର୍ମୀମାନେ ହାର୍ଡକୋର ମାଓବାଦୀ (SZCM) ଡୁବାସି ଶଙ୍କରକୁ ଗିରଫ କରିବା ସହ ଗୋଟିଏ ଇନସାସ୍ ରାଇଫଲ, ୧୦ ରାଉଣ୍ଡ ଗୁଳି, ଗୋଟିଏ ମୋବାଇଲ୍, ରେଡିଓ ସହ ୩୫,୫୦୦/- ଟଙ୍କା ଜବତ କରିଛନ୍ତି।
Also Read: ଆମେରିକା ରାଜନୀତିରେ ଆଫଗାନିସ୍ତାନ; ତାଲିବାନ ନିର୍ଦ୍ଧାରଣ କରିବ କି ବାଇଡେନଙ୍କ କ୍ୟାରିୟର?
ସୋମବାର ବୈପାରିଗୁଡା ଥାନାରେ ବିଭିନ୍ନ ଧାରାରେ ଶଙ୍କର ବିରୁଦ୍ଧରେ ମାମଲା ପଞ୍ଜିକୃତ ହୋଇଛି। ୧୯୮୭ ମସିହାରେ ତେଲେଙ୍ଗାନା ରାଜ୍ୟ ଇନ୍ଦ୍ରାପୁରିଆଲ୍ କ୍ଷେତ୍ର କମିଟିରେ ମାଓବାଦୀ ସଂଗଠନରେ ଶଙ୍କର ଯୋଗ ଦେଇଥିଲା। ପ୍ରାୟ ୨୦୦୪ ପର୍ଯ୍ୟନ୍ତ ତେଲେଙ୍ଗାନାର ବିଭିନ୍ନ ନକ୍ସଲ ଗତିବିଧିରେ ଜଡିତ ଥିଲେ। ତାଙ୍କୁ ୨୦୦୩ ମସିହାରେ ସ୍ପେଶାଲ ଜୋନାଲ କମିଟି ସଦସ୍ୟ (SZCM) ପଦବୀକୁ ଉନ୍ନୀତ କରାଯାଇଥିଲା ଏବଂ ଆନ୍ଧ୍ର ଓଡିଶା ସୀମା ସ୍ପେଶାଲ ଜୋନାଲ କମିଟି (AOBSZC)ରେ ଯୋଗ ଦେଇଥିଲେ।
ବର୍ଷ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ଶଙ୍କର ରାଜ୍ୟ ସାମରିକ ଆୟୋଗ (SMC)ରେ ଯୋଗ ଦେଇଥିଲା। AOBSZCରେ ରହିବା ସମୟ ମଧ୍ୟରେ, ସେ କୋରାପୁଟ, ମାଲକାନଗିରି ଏବଂ ବିଶାଖାପାଟନମ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ତଥା ସାଧାରଣ ନାଗରିକଙ୍କ ହତ୍ୟାରେ ଜଡିତ ଥିଲା। ଶଙ୍କର ସାମିଲ ଥିବା ପ୍ରମୁଖ ମାଓ ହମଲା ଘଟଣାରେ ମଧ୍ୟରେ ୨୦୦୯ ଦାମନଯୋଡି ଆକ୍ରମଣ ( ୧୦ CISF ଯବାନ ଶହୀଦ), ୨୦୧୦ ଗୋବିନ୍ଦପାଲ୍ଲୀ ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟିଂ (୧୧ ପୋଲିସ କର୍ମଚାରୀ ଶହୀଦ), ୨୦୧୨ ଚିତ୍ରୋକଣ୍ଡା, ଜାନିଗୁଡା ଆମ୍ବୁଶ୍ ( କମାଣ୍ଡାଣ୍ଟଙ୍କ ସମେତ ୪ BSF ଯବାନ ଶହୀଦ) ଅନ୍ୟତମ।
Also Read: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ଦୁଇ ସାମ୍ବାଦିକଙ୍କୁ ମଙ୍ଗଳାବାଗ ପୋଲିସର ସମନ
ଶଙ୍କର ନାମରେ ଓଡିଶାରେ ୨୦ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ କୋରାପୁଟରେ ୨ ଓ ମାଲକାନଗିରି ଜିଲ୍ଲା ୧୮ଟି ମାମଲା ରହିଛି। ସେହିପରି ବିଶାଖାପାଟନମ୍ ଜିଲ୍ଲାରେ ୩୨ଟି ମାମଲା ଓ ତେଲେଙ୍ଗାନାରେ ୨୪ଟି ଅପରାଧିକ ମାମଲା ରହିଛି।