ଭୁବନେଶ୍ୱର: ଗଡୁଛି ସମୟ ବଢୁଛି ସସପେନ୍ସ। କିଭଳି ହେଲା ମନୀଷ ଅନୁରାଗଙ୍କ ମୃତ୍ୟୁ। ତାଙ୍କୁ ହତ୍ୟା କରାଯାଇଛି ନା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ସେ ନେଇ ଖୋଳତାଡ ଚଲାଇଛି ପୋଲିସ। ଏହା ମଧ୍ୟରେ ସୁରାକ ଖୋଜି ପାତ୍ରପଡ଼ାସ୍ଥିତ ହୋଟେଲ ସାଉଥ ସିଟିରେ ପହଞ୍ଚିଛି ପୋଲିସ। ସେଠାରେ ଥିବା ସିସିଟିଭି ହାର୍ଡ ଡିସ୍କ ଜବତ କରିବା ସହ ସେଠାକାର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି ପୋଲିସ। 


COMMERCIAL BREAK
SCROLL TO CONTINUE READING

ଘଟଣା ଦିନ ମନୀଷଙ୍କ ସହ କେତେ ଜଣ ଆସିଥିଲେ? ଆସିବା ପରେ ସେମାନେ କ'ଣ କ'ଣ ଖାଇଥିଲେ? କୌଣସି ପ୍ରକାର ନିଶା ସେବନ କରିଥିଲେକି? ଏଭଳି ଅନେକ ପ୍ରଶ୍ନ ଏବେ ପୋଲିସ ସାମନାରେ ରହିଛି। ଏହା ମଧ୍ୟରେ ପୋଲିସ ପାଖରେ ଲିଖିତ ଅଭିଯୋଗ କରିନଥିବା ମନୀଷଙ୍କ ବାପା କିନ୍ତୁ ସୋସିଆଲ ମିଡିଆରେ ଆଣିଛନ୍ତି ହତ୍ୟା ଅଭିଯୋଗ। ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ମାରି ଦେଇଥିବା କହିଛନ୍ତି ମୃତକ ମନୀଷଙ୍କ ବାପା ନବୀନ ଦାସ।  


ହୋଟେଲ କର୍ମଚାରୀଙ୍କ ବୟାନ ମୁତାବକ ମନୀଷ ତାଙ୍କ ସାଙ୍ଗଙ୍କ ସହ ଖାଇସାରି ରାତି ପ୍ରାୟ ୩ଟା ୩୦ ମିନିଟ ସମୟରେ ସେଠାରୁ ବାହାରି ଯାଇଥିଲେ। ବାହାରିବା ପରେ ସେମାନେ କେଉଁ ଆଡେ ଯାଇଥିଲେ ତାହା ଜଣାପଡିନାହିଁ।  ସେପଟେ ବାପା ନବୀନ କହିଛନ୍ତି ରବିବାର ଭୋର ୪ଟା ୧୧ ମିନିଟ ସମୟରେ ତାର ଶେଷ ଫୋନ୍ ସେ ପାଇଥିଲେ। ତାକୁ କିଏ ମାରଧର କରୁଥିବା ମୋତେ ସେ କହୁଥିଲା। ହେଲେ ଭୋର୍ ୪ଟା ୧୩ ମିନିଟରେ ତା' ଫୋନ ସ୍ବିଚ ଅଫ୍ ହୋଇଯାଇଥିଲା।


Also Read: ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ ଦେହ


ଯେଉଁ ସାଉଥ ସିଟି ହୋଟେଲରେ ମନୀଷ ଥିଲେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବାରୁ କୋଭିଡ୍ ନିୟମ ମୁତାବକ ତାକୁ ସିଲ କରାଯାଇଛି। ଇନଫୋସିଟି ଥାନା, ତମାଣ୍ଡୋ ଥାନା, ସ୍ପେଶାଲ ସ୍କ୍ବାଡ ପୋଲିସ ମିଳିତ ଭାବେ ତଦନ୍ତ ଆଗକୁ ବଢାଇଛନ୍ତି। 


ମନୀଷଙ୍କ ପିତା ନବୀନ ଦାସଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଲିଖିତ ଭାବରେ ହତ୍ୟା ମାମଲା ରୁଜୁ ହୋଇନଥିବାରୁ ଅପହରଣ ମାମଲାକୁ ନେଇ ତଦନ୍ତ ଚଳାଇଛି ପୋଲିସ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ। ଏହା ସହ ଭିସେରା ଟେଷ୍ଟ, ଡାଏଟମ ପରୀକ୍ଷା ଦ୍ୱାରା ମଧ୍ୟ ପୋଲିସ କରୁଛି ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ।


ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଫୋନ୍ କରି ଅପରାଧିଙ୍କୁ ଧରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ନବୀନ ଦାସ। ହତ୍ୟାକାରୀଙ୍କୁ ପୋଲିସ ଖୁବ୍ ଶୀଘ୍ର ସାମ୍ନାକୁ ଆଣିବ ବୋଲି ସେ କରିଛନ୍ତି। ଏହା ମଧ୍ୟରେ ମନୀଷଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ତାଙ୍କ ସହ ଥିବା ସାଙ୍ଗଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି ପୋଲିସ।