ଭୁବନେଶ୍ୱର: ରାତିରେ ହେଉବା ଦିନରେ ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି। ଅପରାଧୀ ରାତି ଅଧରେ ଗ୍ୟସ କଟ୍ଟରରେ କାଟି କୋଟି କୋଟି ଟଙ୍କାର ସୁନା ଗହଣା ଲୁଟି ନେଉଛନ୍ତି ତ ଦିନ ବେଳେ ରାସ୍ତାରେ ଯାଉଥିବା ଲୋକଙ୍କୁ ଛୁରା ମାଡ କରି ଅନ୍ତ ବୁଜୁଳା ବାହାର କରିଦେଉଛନ୍ତି। ବିଧାନସଭା ସୁରକ୍ଷା ବ୍ୟବସ୍ଥାରେ ଲାଗି ପଡିଥିବା କମିଶନରେଟ ପୋଲିସ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ବେଖାତିର କରି ଚାଲିଛନ୍ତି। ଭୁବନେଶ୍ବର ଡେଲଟା ଛକରେ ଥିବା ସୁନା ଦୋକାନକୁ ଗ୍ୟାସ କଟ୍ଟରରେ କାଟି କୋଟିଏ ଟଙ୍କାର ସୁନା ଲୁଟି ନେଇଥିବା ବେଳେ ରସୁଲଗଡ ଛକରେ ଛୁରାମାଡ କରି ବ୍ୟବସାୟୀଙ୍କ ଅନ୍ତବୁଜୁଳା ବାହାର କରିଦେଇଛନ୍ତି ଲୁଟେରା। ଏପଟେ ମୋଷ୍ଟ ପାୱାରଫୁଲ କମିଶନରେଟ ପୋଲିସର ପିସିଆର ବ୍ୟବସ୍ଥା ଠପ ହୋଇପଡିଛି। 


COMMERCIAL BREAK
SCROLL TO CONTINUE READING

ରାଜଧାନୀରେ ବୁଲୁଥିଲେ ହୁସିଆର ହୋଇଯାଆନ୍ତୁ। ଆପଣଙ୍କ ଉପରେ ହୋଇପାରେ ଅତର୍କିତ ଛୁରା ମାଡ। ଗଳିକନ୍ଦି ହେଉ ବା ମେନରୋଡ, ସବୁଠାରେ ଆତତାୟୀ ବୁଲୁଛନ୍ତି। କେଉଁଠୁ ଲୁଟିବେ ଆଉ କାହାକୁ ହାଣିବେ ତାହାର ଯୋଜନା କରୁଛନ୍ତି। ଅନ୍ୟପଟେ କମିଶନରେଟ ପୋଲିସ କୋମାରେ ଚାଲିଯାଇଛି। ପୋଲିସ ବିଧାନସଭା ଜଗିଛି, ଆତତାୟୀ ଲୁଟତରାଜ କରୁଛନ୍ତି। ଭୁବନେଶ୍ୱର ଡେଲଟା ଛକରେ ଥିବା ସୁନା ଦୋକାନ ଲୁଟ ଘଟଣାରେ ସିସିଟିଭି ପାଇଥିବା ପୋଲିସ ଶେଷରେ ଜାଣିବାକୁ ପାଇଛି ଚୋରି କରିଥିବା ଗ୍ୟାଙ୍ଗ ହେଉଛି ରାଜ୍ୟ ବାହାରର। 


Also Read: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପ୍ରଥମ ଥର ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ


ଲୁଟର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଲୁଟେରାଙ୍କ ତେର ପାଇନି। ଡିସିପି, ଉମାଶଙ୍କର ଦାସ କହୁଛନ୍ତି, ଏକାଧିକ ଟିମ କରି ଗ୍ୟାଙ୍ଗରେ ଥିବା ସଦସ୍ୟଙ୍କୁ ଧରିବାକୁ ପୋଲିସର ଚେଷ୍ଟା ଚାଲିଛି। ଦୀର୍ଘ ୪ ଘଣ୍ଟା ଧରି ସଟର କାଟି ଦୋକାନ ଭିତରେ ପଶି ଏକ କାଚ କବାଟ ଭାଙ୍ଗି କୋଟିଏ ଟଙ୍କାର ସୁନ-ରୁପା ଟଙ୍କା ଲୁଟ ଚାଲିଥିଲା। ହେଲେ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ପିସିଆର ପେଟ୍ରୋଲିଂ ଚାଲିଥିବା ବେଳେ ପୋଲିସ ଯାଇଥିଲେ କୁଆଡେ। 


ରାତି ନୁହଁ ଦିନରେ ବି ସୁରକ୍ଷିତ ନାହାନ୍ତି ରାଜଧାନୀବାସୀ। ଗତ ଶନିବାର ରସୁଲଗଡ଼ ଫାଣ୍ଡି ନିକଟରେ ଛୁରାମାଡ଼ରେ ଆହତ ହୋଇଥିଲେ ସନ୍ତୋଷ ରାଉତ ଓରଫ କାଳିଆ। ସେ ରସୁଲଗଡ଼ ଛକରେ ସନ୍ଧ୍ୟା ସମୟରେ ଠିଆ ହୋଇଥିବା ବେଳେ ଜଣେ ଯୁବକ ତାଙ୍କ ବେକାରୁ ସୁନା ଚେନ ଲୁଟ ପାଇଁ ଉଦ୍ୟମ କରିଥିଲା। ବିରୋଧ କରିବାରୁ କାଳିଆକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପେଟକୁ କାଟି ଅନ୍ତବୁଜୁଲା ବାହାର କରିଦେଇଥିଲା। ଘଟଣା ପରେ ସହିଦନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି, ହେଲେ ପୋଲିସ ସେଭଳି କୌଣସି ସୁଫଳ ବର୍ତ୍ତମାନ ଯାଏ ପାଇପାରିନି। 


Also Read: ଜୟପୁର ହାଜତ ମୃତ୍ୟୁ ମାମଲା: ଆକାଶଙ୍କ ଭଉଣୀ କଲେ ବଡ଼ ଖୁଲାସା


ଗୋଟାଏ ପଟେ ବିଧାନସଭା ସୁରକ୍ଷା, ଅନ୍ୟପଟେ ଥିଲା ଜୁନିଅର ହକି ବିଶ୍ବକପ। କମିଶନରେଟ ପୋଲିସ ଉଭୟ ପଟେ ବ୍ୟସ୍ତ ରହିଥିବା ବେଳେ ଏହାର ସୁଯୋଗ ନେଇ ଅପରାଧୀ ସେମାନଙ୍କ କଳାକାରନାମା କରିଚାଲିଥିଲେ। ହେଲେ ଏବେ ଯାଏ ପୋଲିସ ହାତ ଖାଲି। ପୋଲିସ ଏ ସବୁ ଘଟଣାରେ ଅନ୍ୟକୁ ପ୍ରବଚନ ଦେଇ ନିଜ ଦାୟିତ୍ବରୁ ଓହରିବା କେତେ ଯଥାର୍ଥ ତାହା ଏବେ ସାଧରଣ ଲୋକଙ୍କ ପ୍ରଶ୍ନ ପାଲଟିଛି।