ଏସସିବିରେ ନର୍ସିଂ ଅଫିସର ଏବଂ ହାଉସ୍ ସର୍ଜନ ସଂଘ ବିବାଦ ଘଟଣା, ଆନ୍ଦୋଳନରୁ ଓହରିଲେ ହାଉସ୍‌ ସର୍ଜନ
Advertisement
Article Detail0/zeeodisha/odisha2341408

ଏସସିବିରେ ନର୍ସିଂ ଅଫିସର ଏବଂ ହାଉସ୍ ସର୍ଜନ ସଂଘ ବିବାଦ ଘଟଣା, ଆନ୍ଦୋଳନରୁ ଓହରିଲେ ହାଉସ୍‌ ସର୍ଜନ

SCB: ରବିବାର ସଂଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ କଥା କଟାକଟି ହୋଇଥିଲା। ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସମାନେ ଗତକାଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଏସସିବିରେ ନର୍ସିଂ ଅଫିସର ଏବଂ ହାଉସ୍ ସର୍ଜନ ସଂଘ ବିବାଦ ଘଟଣା, ଆନ୍ଦୋଳନରୁ ଓହରିଲେ ହାଉସ୍‌ ସର୍ଜନ

କଟକ: କଟକ ବଡ଼ ଡାକ୍ତରଖାନାରେ ହାଉସ୍‌ସର୍ଜନ ଓ ନର୍ସିଂ ସଂଘ ମଧ୍ୟରେ ତିନି ଦିନ ହେଲା ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଆଜି ହାଉସ୍‌ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉଭୟଙ୍କୁ ନେଇ ବୈଠକ ବସିଥିଲା। ଯେଉଁଥିରେ ତଦନ୍ତ କମିଟିର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଉପସ୍ଥିତ ଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଆନ୍ଦୋଳନ ସ୍ଥଗିତ ରହିଛି। ଆଜିଠୁ ରୋଗୀ ସେବା ସ୍ୱାଭାବିକ ରହିବ। ସମସ୍ତେ ରୋଗୀ ସେବାରେ ସହଯୋଗ କରିବେ। 

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ସ୍ବାସ୍ଥ୍ୟ ସଚିବ ବୈଠକ ଜରିଆରେ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। 

ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଭୟ ପକ୍ଷର ଅଭିଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଉଭୟ ସଂଘ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲେ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ସିଏମ୍‌ସି କମିସନର ବିଜୟ କୁମାର ଦାଶଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଛି। ଏହି କମିଟି ଉଭୟ ପକ୍ଷର ଅଭିଯୋଗକୁ ନେଇ ତଦନ୍ତ କରିବେ। ଆଜିର ସମନ୍ବୟ ବୈଠକରେ ସିଏମ୍‌ସି କମିସନର ବିଜୟ କୁମାର ଦାଶ,ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମିଶ୍ର, ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ, ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ, ହାଉସ୍‌ ସର୍ଜନ, ନର୍ସିଂ, ରେସିଡେଣ୍ଟ ଡାକ୍ତର, ପିଜି ଡାକ୍ତର ସଂଘର ପ୍ରତିନିଧି, ନର୍ସିଂ ସୁପରିଟେଣ୍ଡେଣ୍ଟ, ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ଯୋଗଦେଇ ପକ୍ଷ ରହିଥିଲେ। ଆଜିଠାରୁ ଏସ୍‌ସିବିରେ ହାଉସସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଜୁନିଅର ଡାକ୍ତର ସଂଘ, ରେସିଡେଣ୍ଟ ଡାକ୍ତର ସଂଘ ଓ ଡାକ୍ତରୀ ଛାତ୍ର ସଂସଦ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ। 

ସୂଚନାଥାଉକି, ରବିବାର ସଂଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ କଥା କଟାକଟି ହୋଇଥିଲା। ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସମାନେ ଗତକାଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେପଟେ ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଜୁନିଅର୍ ଡାକ୍ତର।