ଲାଜୁଆ ଲାଜୁଆ ତୋ ଚାହାଣି...
Advertisement

ଲାଜୁଆ ଲାଜୁଆ ତୋ ଚାହାଣି...

ଆଜି ଦୀପାଙ୍କ ସେହି ଆଲବମ୍ ଗୀତଟି ମନେପଡ଼ୁଛି । ଯେଉଁଥିରେ ହିରୋ ଲୋକନ ଗାଉଥିଲେ, ମୁଁ ଆଜି ଭଲ ପାଉଛି, କାଲି ବି ତୁମକୁ ଭଲ ପାଇବି...ମୁଁ ସମୟ ନୁହେଁ ଯେ ବଦଳି ଯିବି । 

ଫାଇଲ ଫଟୋ

ଭୁବନେଶ୍ୱର: ଦିନେ ଏକ ଆଲବମ୍ ଗୀତରେ ହିରୋକୁ ଟା ଟା Bye Bye କହୁଥିଲେ ଦୀପା ସାହୁ । ହିରୋ ପଛରେ ପଡ଼ିଥାଏ । ହିରୋଇନ ଦୀପା ସାହୁ ଫୁଲେଇ ହେଉଥାନ୍ତି । କହୁଥାନ୍ତି, ଟା ଟା Bye Bye । ଦୀପାଙ୍କ ଏ ଗୀତଟି ବେଶ ସୁପରହିଟ ମଧ୍ୟ ହୋଇଥିଲା । ହେଲେ କିଏ ଜାଣିଥିଲା, ଦିନେ କେବଳ ହିରୋକୁ ନୁହେଁ, ପୁରା ଦୁନିଆକୁ Bye Bye କରିଦେବେ ଦୀପା । ଆଜି ପୁରା ଓଲିଉଡ ସ୍ତବ୍ଧ । ପ୍ରିୟ ଆଲବମ୍ ହିରୋଇନକୁ ହରାଇ ସମସ୍ତେ ଭାବୁକ ହୋଇପଡ଼ିଛନ୍ତି । ପଞ୍ଚଭୂତରେ ଲୀନ ହୋଇଛି ଦୀପାଙ୍କ ମର ଶରୀର । ସୋସିଆଲ ମିଡିଆରେ ମଧ୍ୟ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଦିଆଯାଉଛି ଗଭୀର ଶ୍ରଦ୍ଧାଞ୍ଜଳି । 

ଦୀପା ସାହୁ, ଓଡ଼ିଆ ଆଲବମ୍ ଜଗତରେ ଏକ ଜଣାଶୁଣା ନାଁ । ତାଙ୍କ ଲାଜୁଆ ଲାଜୁଆ ଚାହାଣିରେ ସଭିଏଁ ମତୁଆଲା । ତାଙ୍କ ଡ୍ୟାନ୍ସ ଦେଖିବାକୁ ଫ୍ୟାନ୍ସ ପାଗଳପ୍ରାୟ । ଓଡ଼ିଆ ଆଲବମକୁ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ମଲ୍ଲି ଫୁଲ ଗଜରା କାହାର ବା ପସନ୍ଦ ନଆସିଛି । ଟଣା ଟଣା ଆଖିରେ ସେ ମନ କିଣି ନେଉଥିଲେ । ସେଇଥିପାଇଁ ତ ଏକ ଆଲବମରେ ତାଙ୍କ ହିରୋ ଅନୁଭବ କହୁଥିଲେ, ତୁ ହସି ଚାହିଁଲେ ଫଟୋ ବଢ଼ିଆ...ତୁ ମୁହଁ ମୋଡିଲେ ସବୁ ଅଡ଼ୁଆ । 

ଦୀପାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ସତ । ହେଲେ କେବଳ ଓଡ଼ିଆ କାହିଁକି, ସମ୍ବଲପୁରୀ ଆଲବମ୍ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆଲବମ୍ ହିରୋଇନ ଦୀପା ସାହୁ ନାଁ ଶୁଣିଲେ ଫ୍ୟାନ୍ସ ମତୁଆଲା ହୋଇଯାଉଥିଲେ । ମର ଗୁଲାପିଗାଲୀରେ , ତୁ ଦୀପା ସାହୁ ଡୁପ୍ଲିକେଟ, ମୋର ଖରା ପାଏନ୍ ଢୁଲେ, ପାନ ପତରିଆ ମୋର୍, ହଏଗୋ କ୍ୟାମେରା ବାଲା, ମୁଇଁ ଗୋବିନ୍ଦା ଡୁପ୍ଲିକେଟ...ତୁଇ କରିସ୍ମା ଡୁପ୍ଲିକେଟ ଇତ୍ୟାଦି ସମ୍ବଲପୁରୀ ଆଲବମ୍ ଗୀତ ବେଶ୍ ସୁପରହିଟ ହୋଇଥିଲା ।  

ସୁପରଷ୍ଟାର ଅନୁଭବ ମହାନ୍ତି, ଶ୍ରୀତମ ଦାସ, ବବି ମିଶ୍ର ଇତ୍ୟାଦିଙ୍କ ସହ କାମ କରିଥିଲେ ଦୀପା । ଓଡ଼ିଆ ଆଲବମ୍ ଜଗତରେ ନିଜର ଜଲୱା ଦେଖାଇବାରେ ବେଶ ସଫଳ ହୋଇଥିଲା ସେ । ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ମିଛେଇ ଝିଅ, ମସ୍ତ ମସ୍ତ ଚାଲି ତୋର, ତୋ ଟଣା ଟଣା ଆଖି, ମୁଁ ବାନ୍ଧିବି ତୋ ପାଇଁ ଖୋଷା, ତୁ ଟାଏଁ ଟାଏଁ ଖରା ବେଳରେ, ତୁ କେଉଁ ରାଶିର ଝିଅ,  କଣ୍ଢେଇ ଇତ୍ୟାଦି ଆଲବମ୍ ଗୀତ ଆଜି  ବି ଦର୍ଶକଙ୍କ ଭିତରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଆଉ ଏ ତମାମ ଗୀତରେ ଦୀପାଙ୍କ ଅଭିନୟ ମଧ୍ୟ ଅବିସ୍ମରଣୀୟ । 

ସେହିପରି କିଛି ଓଡ଼ିଆ ଫିଲ୍ମରେ ମଧ୍ୟ କାମ କରିଥିଲେ ଦୀପା ସାହୁ । ନାରୀ ଆଖିରେ ନିଆଁ, ସୁନା ଚଢ଼େଇ ମୋ ରୂପା ଚଢ଼େଇ, କଲେଜ ଟାଇମ୍ ଇତ୍ୟାଦି ଚଳଚିତ୍ରରେ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ଅନ୍ୟପଟେ ଓଡ଼ିଆ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ସେ ଖଳନାୟିକା ଭୂମିକାରେ ନଜର ଆସିଥିଲେ । 

ଠିକ୍ ଯେତେବେଳେ ଦୀପା ସାହୁ ୧୬ ବର୍ଷର ହୋଇଥିଲେ, ତାଙ୍କ ମା' ଗର୍ଭାଶୟ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ । ଆଉ ଏବେ ସେହି ସମାନ ରୋଗରେ ଦୀପାଙ୍କ ମୃତ୍ୟୁ ହୋଇଛି । ସମସ୍ତଙ୍କୁ କନ୍ଦେଇ ଆରପାରିକୁ ଚାଲିଯାଇଛନ୍ତି ଏହି ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ । ୧୯୯୬ରୁ ଆଲବମ୍ ଜଗତରେ ପାଦ ଥାପିଥିବା ଦୀପା । ସ୍ୱାମୀ ମନିନ୍ଦ୍ର ଦତ୍ତଙ୍କ ସହ ଏବେ ଦୀପାଙ୍କ ୧୧ ବର୍ଷର ଝିଅଟିଏ ମଧ୍ୟ ଅଛି । 

କିଛି ଦିନ ପୂର୍ବରୁ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି ଚାଲିଯାଇଗଲେ । ଆଉ ଆଜି ଦୀପା ନାହାଁନ୍ତି । କାନ୍ଦୁଛି ଓଲିଉଡ, ଦୀପାକୁ ଝୁରୁଛନ୍ତି ହଜାର ହଜାର ଫ୍ୟାନ୍ସ । ହେଲେ ଏହା ସତ ଯେ, ଓଡ଼ିଆ ଆଲବମ୍ ଜଗତ କେବେ ବି ଦୀପା ସାହୁଙ୍କୁ ଭୁଲି ପାରିବ ନାହିଁ । ଓଡ଼ିଆ ଓ ସମ୍ବଲପୁରୀ ଆଲବମ୍ ପ୍ରତି ତାଙ୍କର ଅବଦାନ ତାଙ୍କୁ ସବୁବେଳେ ଜୀବନ୍ତ ରଖିବ । ଆଗାମୀ ପୀଢ଼ି ମଧ୍ୟ ତାଙ୍କର ଏହି ଲାଜୁଆ ଚାହାଣିରେ ମତୁଆଲା ହେଉଥିବେ । ଆଜି ଦୀପାଙ୍କ ସେହି ଆଲବମ୍ ଗୀତଟି ମନେପଡ଼ୁଛି । ଯେଉଁଥିରେ ହିରୋ ଲୋକନ ଗାଉଥିଲେ, ମୁଁ ଆଜି ଭଲ ପାଉଛି, କାଲି ବି ତୁମକୁ ଭଲ ପାଇବି...ମୁଁ ସମୟ ନୁହେଁ ଯେ ବଦଳି ଯିବି ।