ଶତାୟୁଙ୍କୁ ଟାଣି ଆଣିଲା ଜଗା ଡୋରୀ: ପୁଅ ବୋହୂ ସହ ପୁରୀ ଆସି ଜଗା ଦର୍ଶନ କଲେ ୧୦୦ ବର୍ଷର ବୁଢୀ ମାଉସୀ
Advertisement

ଶତାୟୁଙ୍କୁ ଟାଣି ଆଣିଲା ଜଗା ଡୋରୀ: ପୁଅ ବୋହୂ ସହ ପୁରୀ ଆସି ଜଗା ଦର୍ଶନ କଲେ ୧୦୦ ବର୍ଷର ବୁଢୀ ମାଉସୀ

ସାମର୍ଥ୍ୟ ନଥାଉ ପଛେ, ହେଉ ପଛେ କଷ୍ଟ। ସାଆନ୍ତଙ୍କୁ ଅଣ୍ଟା ନୁଆଇଁ ମୁଣ୍ଡିଆଟିଏ ନମାରିଲେ କଣ ତୃପ୍ତି ମିଳିବ। ତେଣୁ ଅଣ୍ଟା ନୂଆଁଇ ମୁଣ୍ଡିଆ ମାରି ପକାଉଛି ବୁଢ଼ୀ ମା। ଏଇ ପୁଣ୍ୟ ସିଂହଦ୍ୱାରରେ ପୁଅ ପାଣି ବୋତଲରୁ ବୁଢ଼ୀ ମା କୁ ପାଣି ପିଆଇ ଦଉଛି। 

ଶତାୟୁଙ୍କୁ ଟାଣି ଆଣିଲା ଜଗା ଡୋରୀ: ପୁଅ ବୋହୂ ସହ ପୁରୀ ଆସି ଜଗା ଦର୍ଶନ କଲେ ୧୦୦ ବର୍ଷର ବୁଢୀ ମାଉସୀ

Odisha News: ପୁରୀ: ଜଗନ୍ନାଥ (Jagannath Dham) ନାମ ସଦା ତମ ତୁଣ୍ଡେ ଥାଉ, ଯମ ପାରିବନି ଛୁଇଁ। ତା' ଚକାନୟନ ଦର୍ଶନ ମାତ୍ରକେ ଜୀବନର ସମସ୍ତ ପାପ ମଧ୍ୟ ଧୋଇ ଯାଏ ବୋଲି ରହିଛି ବିଶ୍ୱାସ। ଯାହାଙ୍କ ନିର୍ଦେଶରେ ଶୈଶବରୁ ଶେଷ ଜୀବନଯାଏ ମନୁଷ୍ୟଟିଏ ବାଟ ଚାଲିଥାଏ। ତାଙ୍କରି ଡୋରି ଲାଗିଲେ କଳା ଶ୍ରୀମୁଖ ଦର୍ଶନ ପାଇ ଏ ଆତ୍ମା ବି ତୃପ୍ତ ହୁଏ। ଆଉ କାଳିଆର ସେଇ ଚକାନୟନ ଦର୍ଶନ ପାଇଁ ପୁଅ ସାଙ୍ଗେ ନିଇତି ଲଗାଇଥିଲା ଶତାୟୁ ବୁଢ଼ୀ ମା। କଳାଶ୍ରୀମୁଖ ଟିକେ ମନଭରି ଦେଖିବାକୁ। ବୟସ ଶହେ ଟପିଲାଣି। ନା ଆଉ ଭଲ ଦିଶୁଛି, ନା ଭଲ ଶୁଭୁଛି। ଶରୀର ବୋହିବାକୁ ପାଦରେ ବି ସାମର୍ଥ୍ୟ ନାହିଁ ଯେ ଏକା ଯାଇ ଦର୍ଶନ କରିଆସିବ। ପୁଅ ତ କଳାସାଆନ୍ତଙ୍କ ସେବାୟତ। ମହାପ୍ରଭୁଙ୍କ ବିମାନକୁ କାନ୍ଧରେ କାନ୍ଧେଇ ନେଇ ସେ ବେଶ ସୌଭାଗ୍ୟବାନ। 

ହେଲେ ବୟସର ସାୟାହ୍ନରେ ପହଁଚିଥିବା ବୁଢ଼ୀମା ସେ ଚକାଆଖିର ସାନିଧ୍ୟ ଖୋଜି ଖୋଜି ଅଥୟ। ପୁଅ ବୋହୁଙ୍କୁ ଆଉ ରଖେଇ ବସେଇ ଦଉନି ବୁଢ଼ୀମା। କେତେ କିଏ ଦୂରରୁ ଆସି ଦର୍ଶନ କରି ଯାଉଛନ୍ତି। ମୁଁ ଏଇଠି ଶ୍ରୀକ୍ଷେତ୍ରର ବୋହୁ ହେଇ କାଳିଆଠୁ ଦୂରରେ ରହିବି !! କେହି ନନେଲେ ବି ଘୁଷୁରୀ ଘୁଷୁରୀ ଚାଲିଯିବି ଏକା। ଦେଖି ଆସିବି ମୋ କଳାଠାକୁରଙ୍କୁ। ଏମିତି ଅଭିମାନ ସବୁକୁ ଅଜାଡି ଦେଉଛି ବୁଢ଼ୀମା। ହେଲେ କଳାଠାକୁର ପରା ନାଟୁଆ। ଡୋରି ନଲଗେଇଲେ କଣ ହେବ। ଶେଷରେ ଆଜି କାଳିଆ ଟାଣି ଆଣିଛି ତା ପାଖକୁ। ୧୦୦ ବରଷ ଟପିଲାଣି। ପାଚିଲା ପତ୍ର ଭଳି ଏବେ ଜୀବନ। କୋଉ ମୁହୂର୍ତ୍ତରେ ଗଛରୁ ପତ୍ର ଝଡ଼ିଲା ଭଳି ଜୀବନ ଯେ ଚାଲିଯିବ, ତା ବି କିଏ କହିବ। ଯା'ହେଉ ଆଜି ଦୁଇପଟରେ ପୁଅ ବୋହୁ ଆଶା ବାଡ଼ି ଭଳି ବୁଢ଼ୀମାଆକୁ ନେଇ ଆସିଛନ୍ତି ଶ୍ରୀମନ୍ଦିର। ସିଂହଦ୍ୱାରରେ ପତିତପାବନଙ୍କୁ ଦେଖି ଗଦଗଦ ହେଉଛି ମନ, ପବିତ୍ର ହେଉଛି ନୟନ।

ସାମର୍ଥ୍ୟ ନଥାଉ ପଛେ, ହେଉ ପଛେ କଷ୍ଟ। ସାଆନ୍ତଙ୍କୁ ଅଣ୍ଟା ନୁଆଇଁ ମୁଣ୍ଡିଆଟିଏ ନମାରିଲେ କଣ ତୃପ୍ତି ମିଳିବ। ତେଣୁ ଅଣ୍ଟା ନୂଆଁଇ ମୁଣ୍ଡିଆ ମାରି ପକାଉଛି ବୁଢ଼ୀ ମା। ଏଇ ପୁଣ୍ୟ ସିଂହଦ୍ୱାରରେ ପୁଅ ପାଣି ବୋତଲରୁ ବୁଢ଼ୀ ମା କୁ ପାଣି ପିଆଇ ଦଉଛି। ତଣ୍ଟି,ପାଟି ନହେଲେ ଶୁଖିଯିବ। ହେଲେ କଣ ହେବ, ଜୀବନର ଶେଷ ଶୋଷ ତ ତୁଳସୀ ଜଳରେ ହିଁ ମେଣ୍ଟିବ। ପୁରା ଜୀବନ ଏଇ ପାବନ ମାଟିରେ କଟିଛି। ୪ ପୁଅରେ ସଂସାର ଭାରି ସୁନ୍ଦର। ଆଜି ବି ପରିବାରରେ ସମସ୍ତେ ଏକାଠି ହୋଇ ଅଛନ୍ତି। ଏକାଠି ଖାଉଛନ୍ତି ଆଉ କାଳିଆ କରୁଣାରୁ ସୁଖ ସାଉଁଣ୍ଟୁଛନ୍ତି। ସବୁ ଆନନ୍ଦ ଭିତରେ ଏବେ ଖାଲି ଥକିଯାଇଥିବା ଶରୀର ଚିରବିଶ୍ରାମ ଖୋଜୁଛି। ଏଇ ସିଂହଦ୍ୱାରରେ ଜୀବନ ଚାଲିଯାଆନ୍ତାନି। ଏଇଠୁ ସ୍ୱର୍ଗଦ୍ୱାର ବା ଆଉ କେତେ ବାଟ। ହେଲେ ସବୁ ସେଇ ବିଶ୍ୱନିଅନ୍ତାଙ୍କ ଇଚ୍ଛା। ଶେଷ ଇଚ୍ଛା ତ ପୁରଣ ହେଇଛି। ଏବେ ତାଙ୍କରି ନିର୍ଦେଶକୁ ଅପେକ୍ଷା। କେବେ ଏ ଜୀବରୁ ଜୀବନ ଯିବ। ଗୁଣୁଗୁଣୁ ହେଇ କଳାଠାକୁରଙ୍କ ସହ ଏମିତି ଗପି ଚାଲିଛନ୍ତି ଏହି ବୁଢ଼ୀ ମା। ଜୀବନ କେବେ କୋଉ ମୋଡ଼ ନିଏ, କାହାକୁ ହସାଏ,କାହାକୁ କନ୍ଦାଏ,ହେଲେ ସବୁ ତୃଷ୍ଣା ତାଙ୍କ ଶ୍ରୀଅଙ୍ଗ ଦର୍ଶନରେ ମେଣ୍ଟିଯାଏ।