ନନ୍ଦନ କାନନର ଏକ ଡ଼ାକ୍ତରୀ ଟିମ୍ ଏବଂ ସାତକୋଶିଆ ଅଭୟାରଣ୍ୟର ପ୍ରାଣୀ ବିଶେଷଜ୍ଞ ସ୍ଵତନ୍ତ୍ର ଟିମ୍ ଦ୍ଵାରା ହାତୀର ଚିକିତ୍ସା କରାଯାଉଥିଲା।
Trending Photos
ଆଠଗଡ଼: ବିଗତ ୮ ଦିନ ତଳେ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିନସ୍ଥ ଜୟପୁର ସଂରକ୍ଷିତ ଜଙ୍ଗଲରେ ଶୀକାରୀଙ୍କ ଗୁଳିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଏକ ଦନ୍ତା ହାତୀର ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ହାତୀର ଗୋଡ଼ରେ ସେପ୍ଟିସେମିଆ ହୋଇଥିଲା ଯାହାକି ସୁସ୍ଥ ହେବା ବହୁତ କଷ୍ଟକର। ହାତୀ ଶୁଣ୍ଢରେ ଗୋଟିଏ, ଆଗ ଗୋଡ଼ରେ ଦୁଇଟି, କାନ୍ଧରେ ଦୁଇଟି , କାନ ଉପରେ ଗୋଟିଏ ଏପରି ପାଞ୍ଚଟି ଦେଶୀ ଗୁଳି ହାତୀ ଦେହରେ ବାଜିଥିଲା।
ବଡମ୍ବା ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ଯେତେବଳେ ନିଜ ଫେସବୁକ୍ ଆକାଉଣ୍ଟ ମାଧ୍ୟମରେ ଏହି ଘଟଣା ବାବଦରେ ଅବଗତ କରାଇଥିଲେ ସେତେ ଏହି ଘଟଣା ସାମ୍ନାକୁ ଆସିଥିଲା। ଗୁଳି ମାଡ଼ର ଶୀକାର ହୋଇଥିବା ହାତୀକୁ ତୁରନ୍ତ ଚିକିତ୍ସା କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସେ। ଏହା ପରେ ଆରମ୍ଭ ହୋଇଥିଲା ଚିକିତ୍ସା। ନନ୍ଦନ କାନନର ଏକ ଡ଼ାକ୍ତରୀ ଟିମ୍ ଏବଂ ସାତକୋଶିଆ ଅଭୟାରଣ୍ୟର ପ୍ରାଣୀ ବିଶେଷଜ୍ଞ ସ୍ଵତନ୍ତ୍ର ଟିମ୍ ଦ୍ଵାରା ହାତୀର ଚିକିତ୍ସା କରାଯାଉଥିଲା।
ଦେହରେ ଗୁଳି ବାଜିଥିବାରୁ ଖାଇବା ପିଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲା ହାତୀ। ତାକୁ ଖାଇବାକୁ ଦିଆଯାଉଥିଲେ ମଧ୍ୟ ସେ ଖାଇ ପାରୁନଥିଲା। ମଙ୍ଗଳବାର ହାତୀ ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛି। ହାତୀକୁ ଗୁଳିମାଡ଼ କରିଥିବା ଶୀକାରୀଙ୍କୁ ଧରିବା ପାଇଁ ଏକ ୪ ଜଣିଆ ଟିମ ଗଠନ କରାଯାଇଥିବା ପିସିସିଏଫ ଶଶି ପାଲ ଗଣମାଧ୍ୟମକୁ କହିଛନ୍ତି। ଆଠଗଡ଼ ବନଖଣ୍ଡରେ ହାତୀଙ୍କ ସଂଖ୍ୟା ଲୋପ ପାଉଥିବା ବେଳେ ସମ୍ପୃକ୍ତ ବନଖଣ୍ଡ ଏବଂ ବନାଞ୍ଚଳ ଅଧିକାରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ତାହା ଉପରେ ରହିଛି ନଜର।