ବୁଣାକାରଙ୍କ ହାତ ବାନ୍ଧି ଦେଲା କୋରୋନା! ଅନ୍ୟ ଉପରେ ନିର୍ଭର କରି ଉପବାସରେ ପରିବାର
ଲକଡାଉନ ସମୟରେ କଞ୍ଚାମାଲ ଅଭାବ ସାଙ୍ଗକୁ ବାନ୍ଧକଳା ଏବଂ ରଙ୍ଗ ଉପରେ କୌଶଳ ନଥିବାରୁ ଏମାନଙ୍କୁ ପଡୋଶୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି। ଏବେ ଏମାନେ ପ୍ରଶାସନକୁ ସମ୍ପୃକ୍ତ ବିଷୟରେ ତାଲିମ ଦେବାର ବ୍ୟବସ୍ଥା କରାଯାଉ ବୋଲି ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କର ଏଦିଗରେ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି।
ଝାରସୁଗୁଡା: ସମ୍ବଲପୁରୀ ଶାଢୀ ପ୍ରତି ଅଧିକାଂଶ ମହିଳାଙ୍କର ଦୁର୍ବଳତା ରହିଛି। ବାନ୍ଧକଳା ଏବଂ ସମ୍ବଲପୁରୀ ଶାଢୀର ଚାହିଦା ବିଦେଶରେ ମଧ୍ୟ ଢେର ଅଧିକ ରହିଛି। ନିଜ ହାତରେ ଶାଢୀକୁ କଳାକୃତି ଦେଇ ସୁନ୍ଦର ଭାବରେ ସଜେଇବା ହେଉଛି ସମ୍ବଲପୁରୀ ଶାଢୀ ବୁଣାକାରଙ୍କ ସ୍ୱତନ୍ତ୍ରତା। ହେଲେ କୋରୋନା ମହାମାରୀ ସମୟରେ ଶାଢୀ ବୁଣୁଥିବା ପରିବାରଙ୍କ ଅବସ୍ଥା ଅତି ଶୋଚନୀୟ ହୋଇଯାଇଛି। ଲକଡାଉନ ସମୟରେ କଞ୍ଚାମାଲ ଅଭାବ ସାଙ୍ଗକୁ ବାନ୍ଧକଳା ଏବଂ ରଙ୍ଗ ଉପରେ କୌଶଳ ନଥିବାରୁ ଏମାନଙ୍କୁ ପଡୋଶୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି। ଏବେ ଏମାନେ ପ୍ରଶାସନକୁ ସମ୍ପୃକ୍ତ ବିଷୟରେ ତାଲିମ ଦେବାର ବ୍ୟବସ୍ଥା କରାଯାଉ ବୋଲି ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କର ଏଦିଗରେ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି।
ପଶ୍ଚିମ ଓଡିଶା (Western Odisha) ସମ୍ବଲପୁରୀ ଶାଢୀ (Sambalpuri Saree) ବୁଣିବାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଝାରସୁଗୁଡା (Jharsuguda) ଜିଲ୍ଲା ଲଖନପୁର ବ୍ଲକରେ ମଧ୍ୟ ଅନେକ ବୁଣାକାର ପିଢି ପରେ ପିଢି ସମ୍ବଲପୁରୀ ଶାଢୀ ବୁଣି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଶାଢୀ (Saree) ବୁଣିବାରେ ବେଶ ପାରଙ୍ଗମ। କିନ୍ତୁ ବାନ୍ଧକଳା ଏବଂ ରଙ୍ଗ ବିଷୟରେ ବେଶି ଜ୍ଞାନ ନଥିବାରୁ ଏଠିକାର ବୁଣାକାରମାନେ ପଡୋଶୀ ଜିଲ୍ଲା ବରଗଡ଼ (Bargarh) ଉପରେ ନିର୍ଭର କରିଥାନ୍ତି।
Also Read: କୋରୋନା ମୁକ୍ତ ଖଏଟ ଗାଁ, ଜାଣନ୍ତୁ କେମିତି ଗ୍ରାମବାସୀଙ୍କଠୁ ଦୂରରେ ଅଛି ମହାମାରୀ?
ବରଗଡ଼ ଭଟଲିରୁ ମହାଜନମାନେ ଆସି ଏହି ବୁଣାକାରମାନ (weavers) ଙ୍କୁ ସୂତା ଦେଇ ଯାଆନ୍ତି। ଶାଢୀ ତିଆରି କଲା ପରେ ମହାଜନ ସେମାନଙ୍କୁ ମଜୁରୀ ଦେଇ ଶାଢୀ ନିଅନ୍ତି। ଯାହାକି ସେମାନଙ୍କୁ ତାଙ୍କର ଯେତିକି ପ୍ରାପ୍ୟ ମିଳିବା କଥା ସେତିକି ମିଳେ ନାହିଁ ବୋଲି ଏହି ବୁଣାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ଲକଡାଉନ ସମୟରେ ଏମାନଙ୍କ କଥା ନ କହିବା ଭଲ, କାରଣ ବରଗଡରୁ ଏମାନଙ୍କ ପାଖକୁ ସୂତା ଆସି ପାରିଲା ନାହିଁ। ଫଳରେ ବର୍ଷ ବର୍ଷ ଧରି ସେମାନଙ୍କ ମଙ୍ଗା (କପଡା ତିଆରି କରୁଥିବା ହାତ ଚାଳିତ ଯନ୍ତ୍ର) ଚାଲୁନାହିଁ। ଫଳରେ କାମ ଧନ୍ଦା ବନ୍ଦ ଥିବାରୁ ଏଠିକାର ବୁଣାକାରମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଅନେକ ଗ୍ରାମ ରହିଛି ଯେଉଁଠି ଲୋକମାନେ ଶାଢୀ ବୁଣିବାକୁ ନିଜର କୌଳିକ ବୃତ୍ତି ଭାବେ ଆପଣେଇଛନ୍ତି। ସୁନ୍ଦର ଆକର୍ଷଣୀୟ ଶାଢୀ, କପଡା ଆଦି ତିଆରି କରିପାରୁଛନ୍ତି। ଏଥିରୁ ଯାହା ଆୟ ହୁଏ ସେହିଥିରେ ନିଜ ପରିବାର ର ଗୁଜୁରାଣ ମେଣ୍ଟାଉଛନ୍ତି। ଶାଢ଼ୀ ବୁଣିବା ପାଇଁ ଅନ୍ୟ ଜିଲ୍ଲା ଉପରେ ନିର୍ଭର ହେବା ଛଡ଼ା ଏମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ମଧ୍ୟ ନାହିଁ। ଫଳରେ ଝାରସୁଗୁଡା ଜିଲ୍ଲାର ଶହଶହ ପରିବାର ଦୁର୍ଦଶାରେ ଦିନ କାଟୁଛନ୍ତି। କୋରୋନା ମହାମାରୀ ଏହି ବୁଣାକାରଙ୍କ ମୁହଁରୁ କେବଳ ହସ ନୁ଼ହେଁ ପେଟରୁ ଦାନା ମଧ୍ୟ ଛଡେଇ ନେଇଛି।
Also Read: ବର୍ଷା ଖେଳୁଛି ଲୁଚକାଳି; ପମ୍ଫ ଲଗାଇ ବିଲରେ ପାଣି ମଡାଉଛନ୍ତି ଚାଷୀ
ଜିଲ୍ଲାର ବୁଣାକାରଙ୍କୁ ଆର୍ଥିକ ସହାୟତା, ସ୍ୱଳ୍ପ ମୂଲ୍ୟରେ କଞ୍ଚାମାଲ ଏବଂ ବାନ୍ଧକଳା ପ୍ରତି ଯଦି ତାଲିମ ପ୍ରଦାନ ପାଇଁ ପ୍ରଶାସନ କିମ୍ବା ସରକାର ପ୍ରଚେଷ୍ଟା କରନ୍ତେ ତେବେ ଏମାନଙ୍କର ସମସ୍ୟାର ସମାଧାନ ହୋଇପାରନ୍ତା। ଅନ୍ୟପକ୍ଷରେ ବୁଣାକାର ସଂଘର ସମ୍ପାଦକ ବିଜୟ ମେହେର କହିଛନ୍ତି ଯେ, ରାଜ୍ୟ ସରକାର, କେନ୍ଦ୍ର ସରକାର କିମ୍ବା ପ୍ରଶାସନ ଯଦି ଏମାନଙ୍କୁ ବାନ୍ଧକଳା, ରଙ୍ଗ ଲଗାଇବାର ତାଲିମ ଦିଅନ୍ତେ ତେବେ ଝାରସୁଗୁଡ଼ାର ନାମକୁ ବିଶ୍ୱ ଦରବାରରେ ଗର୍ବରେ ଭରି ଦେବାକୁ ସମୟ ଲାଗିବ ନାହିଁ।
ସେପଟେ ବୁଣାକାରମାନଙ୍କର ସମସ୍ୟା ନେଇ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଏବଂ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ବିଧାୟକ କହିଛନ୍ତି, 'ଆଗାମୀ ଦିନରେ ରାଜ୍ୟ ସରକାର ତରଫରୁ ଏମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯିବ।' ସେହିପରି ଜିଲ୍ଲାପାଳ କହିଛନ୍ତି,'ପଲସଦାର ଏହି ବୁଣାକାରମାନଙ୍କର କାର୍ଯ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଶ୍ଚିତ ଭାବରେ। ଜିଲ୍ଲା ପ୍ରଶାସନ ତରଫରୁ ବୁଣାକାରଙ୍କୁ ତାଲିମ ଏବଂ ଅନ୍ୟାନ୍ୟ ସହାୟତା କରାଯିବ ଯେପରି ସେମାନଙ୍କର ସମସ୍ୟାର ସମାଧାନ ହବ।'