)
Khordha Industrial Estate: ଖୋର୍ଦ୍ଧା ଏବଂ ସାରୁଅ ଶିଳ୍ପାଞ୍ଚଳରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗତ ୧୦ ବର୍ଷ ମଧ୍ୟରେ ଖୋର୍ଦ୍ଧାର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଦୁର୍ଘଟଣା ଘଟି ପ୍ରାୟ ୧୦ ଜଣରୁ ଉର୍ଦ୍ଧ୍ୱ ଶ୍ରମିକ ପ୍ରାଣ ହରାଉଥିବା ବେଳେ ଶତାଧିକ ଶ୍ରମିକ ଆହତ ହୋଇଛନ୍ତି। ଏପରିକି ଅନେକ ଶ୍ରମିକ ମଧ୍ୟ ନିଜର ଅଙ୍ଗ ହରାଉଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ ପାଖରେ ସଠିକ୍ ଖବର ରହିନଥିବା ବେଳେ ଶିଳ୍ପାଞ୍ଚଳରେ କାର୍ଯ୍ୟରତ ଶ୍ରମିକ କମ୍ପାନୀ କର୍ତ୍ତପକ୍ଷ ଏବଂ ଠିକାଦାର ସଂସ୍ଥାଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିବାର ଅଭିଯୋଗ କରିଛନ୍ତି।
ଖୋର୍ଦ୍ଧା ସହର ନିକଟରେ ରହିଛି ସାରୁଅ ଏବଂ ଖୋର୍ଦ୍ଧା ଶିଳ୍ପା଼ଞ୍ଚଳ। ଏହି ଶିଳ୍ପାଞ୍ଚଳ ମଧ୍ୟରେ ଛୋଟ ବଡ଼ ହୋଇ ଶହେରୁ ଅଧିକ ଶିଳ୍ପାନୁଷ୍ଠାନ ରହିଛି। ଏଥିରେ ପ୍ରାୟ ୫ ହଜାର ଠିକା ଶ୍ରମିକ ଏବଂ ୨ ହଜାରରୁ ଉର୍ଦ୍ଧ୍ୱ ନିୟମିତ ଶ୍ରମିକ କାମ କରନ୍ତି। ହେଲେ କୋକାକୋଲା, ବ୍ରିଟାନିଆ, ଇଣ୍ଡୋ ନିଶାନ, ଏସଏମଏସ, ଆଇଟିସି, ଗୁପ୍ତା ପାୱାର ଏବଂ ୟୁନାଇଟେଡ଼୍ ବେଭରେଜ ଭଳି ହାତଗଣତି କେତୋଟି ଶିଳ୍ପସଂସ୍ଥାକୁ ଛାଡ଼ିଦେଲେ ବାକି ସବୁ କମ୍ପାନୀ ଠାରେ କାର୍ଯ୍ୟରତ ଶ୍ରମିକ ହେଲମେଟ୍, ଗ୍ଲୋବସ୍, ଜୋତା ନପିନ୍ଧି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି। ସେପଟେ ଯେଉଁ କିଛି କମ୍ପାନୀ ସୁରକ୍ଷା ଦୃଷ୍ଟିରୁ ଶ୍ରମିକଙ୍କୁ ଏସବୁ ସାମଗ୍ରୀ ଦେଉଛନ୍ତି, ସେହି କମ୍ପାନୀର ଶ୍ରମିକ ଠିକାଦାର ଠିକ୍ ସମୟରେ ଏହାକୁ ଦେଉନଥିବା ଅଭିଯୋଗ କରିଛନ୍ତି କାର୍ଯ୍ୟରତ ଶ୍ରମିକ। ଏପରିକି ଅଧିକାଂଶ ଶ୍ରମିକ ଠିକାଦାର ଶ୍ରମିକଙ୍କ ଠାରୁ ହେଲମେଟ୍, ଗ୍ଲୋବସ୍, ଜୋତା ଆଦି ସାମଗ୍ରୀ ଦେବା ପାଇଁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।
ଶିଳ୍ପାଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ହାଲୁକା ଭାବେ ନେଇ ଚାପି ଦେଉଥିବାର ଅନେକ ନଜିର ରହିଛି। ବିଗତ ୧୦ବର୍ଷ ମଧ୍ୟରେ ବିଭିନ୍ନ ଶିଳ୍ପାନୁଷ୍ଠାନରେ ଦୁର୍ଘଟଣା ଘଟି ୧୦ ଜଣରୁ ଉର୍ଦ୍ଧ୍ୱ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ଜୀବନ ଜୀବିକା ହରାଇଛନ୍ତି। ଏବେ ଗୋଟିଏ ସପ୍ତାହ ତଳେ ସାରୁଅ ଶିଳ୍ପାଞ୍ଚଳର ଏକ ପାଇପ କମ୍ପାନୀ ଠାରେ କାର୍ଯ୍ୟରତ ଜଣେ ଶ୍ରମିକ ଇଲେକ୍ଟ୍ରି କରେଂଟ୍ ସଂଶ୍ପର୍ଷରେ ଆସି ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶ୍ରମିକ ନେତା ଏନେଇ ବର୍ଷକୁ ଗୋଟିଏ ଦୁଇଟି ଆନ୍ଦୋଳନ କରି ଚୁପ୍ ବସି ପଡୁଥିବାର ଅଭିଯୋଗ ହୋଇଛି।
ସେପଟେ ପେଟ ଚାଖଣ୍ଡକ ପାଇଁ ବାଧ୍ୟ ହୋଇ ମରଣକୁ ବରଣ କରି ଶ୍ରମିକ ସୁଉଚ୍ଚ ଅଟାଳିକାରେ ବିନା ହେଲମେଟ ସହାୟତାରେ କାମ କରୁଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସବୁ କମ୍ପାନୀ ପ୍ରତି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ସେପଟେ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗର ଉପ-ନିର୍ଦ୍ଦେଶକ କହୁଛନ୍ତି ଯେ, ବିଗତ ୧୦ ବର୍ଷ ମଧ୍ୟରେ ଶ୍ରମିକ ମୃତ୍ୟୁ ହାର କମିଛି ଏବଂ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ହେଲେ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଏବଂ ଶ୍ରମିକଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସଂସ୍ଥାର ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗ ଏବଂ ଶ୍ରମ ବିଭାଗ ନିୟମିତ ଯାଞ୍ଚ କରିବା ଜରୁରୀ। ନଚେତ ଆଗାମୀ ଦିନରେ ଅନେକ ଶ୍ରମିକ ଅକାଳରେ ପ୍ରାଣ ହରାଇବେ କିମ୍ବା ନିଜର ଅଙ୍ଗ ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି।